ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଲେ ଏ.ବି. ଡି’ଭିଲିଅର୍ସ

0

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ତାରକା ବ୍ୟାଟ୍ସମ୍ୟାନ ଏ.ବି ଡି’ଭିଲିଅର୍ସ ବୁଧବାର ଆନ୍ତର୍ଜାତିକ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ବୁଧବାରଏ.ବି ଡି’ଭିଲିଅର୍ସ ନିଜ ଅଫିସିଆଲ ଟ୍ୱିଟ୍‌ର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରେ ‘ଆଜି ମୁଁ ଏକ ବଡ଼ ନିଷ୍ପତ୍ତି ନେଇଛି’ ବୋଲି ଲେଖିଥିଲେ । ଏହାପରେ ସେ ଆନ୍ତର୍ଜାତିକ କ୍ରିଟେରୁ ନିଜ ଅବସର ଘୋଷଣା କରିଥିଲେ । କ୍ରିକେଟ ଜଗତରେ ଏ.ବି ଡି’ଭିଲିଅର୍ସଙ୍କ ଅନେକ ପ୍ରଶଂସକ ଅଛନ୍ତି । ବର୍ତ୍ତମାନ କ୍ରିକେଟରେ ସେ ଶୀର୍ଷ ୩ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଛନ୍ତି । ୧୪ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନରେ ଏ.ବି ଡି’ଭିଲିଅର୍ସ ୧୧୪ଟି ଟେଷ୍ଟ ମ୍ୟାଚ ଖେଳି ୨୨ଟି ଶତକ ସହ ୫୦.୬୬ ହାରରେ ୮୬୭୫ ରନ କରିଛନ୍ତି । ସେହିପରି ୨୨୦ଟି ଦିନିକିଆ ମ୍ୟାଚରେ ୫୩.୫ ରନ ହାରରେ ୯୫୭୭ ରନ କରିଛନ୍ତି ଓ ଆନ୍ତର୍ଜାତିକ ଟି-୨୦ରେ ୭୮ଟି ମ୍ୟାଚ ଖେଳି ୧୬୭୨ ରନ କରିଛନ୍ତି । ନିକଟରେ ସେ ଆଇପିଏଲର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ । ତାଙ୍କ ଦଳ ରାଜସ୍ଥାନ ନିକଟରୁ ହାରି ପ୍ଲେଅଫ ଖେଳିବାରୁ ବଞ୍ଚିତ ହୋଇଥିଲା । ୨୦୧୯ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଏ.ବି ଡି’ଭିଲିଅର୍ସଙ୍କ ହଠାତ ଆନ୍ତର୍ଜାତିକ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା ଦକ୍ଷିଣ ଆଫ୍ରିକା ପାଇଁ ଝଟକା ସଦୃଶ ହୋଇଛି । ଏ.ବି ଡି’ଭିଲିଅର୍ସ ଭିଡ଼ିଓରେ କହିଛନ୍ତି ଯେ ‘ମୋ ପାରି ଶେଷ ହେଲା, ସଚ୍ଚୋଟତାର ସହ କହିବି ତ ମୁଁ ଥକିଯାଇଛି । ଏହା କଷ୍ଟକର ନିଷ୍ପତ୍ତି ଥିଲା, ମୁଁ ଏ ନେଇ ଦୀର୍ଘ ସମୟ ଧରି ଚିନ୍ତା କରୁଥିଲି ଓ ଏବେ ମୁଁ ଉତ୍କର୍ଷ ଖେଳ ଖେଳୁଥିଲେ ବି ଅବସର ନେବାକୁ ଚାହୁଁଛି । ଉଲ୍ଲେଖ ଯେ ୩୬୦ ଡିଗ୍ରୀ ବ୍ୟାଟିଂ କରିବା ପାଇଁ ପ୍ରସିଦ୍ଧ ଡି’ଭିଲିଅର୍ସ ୨୦୧୮ ମାର୍ଚ୍ଚ ୩୦ରେ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । ଜୋହାନ୍ସବର୍ଗରେ ଅଷ୍ଟ୍ରେଲିଆ ବିରୋଧରେ ଖେଳିଥିବା ଶେଷ ଟେଷ୍ଟ ମ୍ୟାଚରେ ଏ.ବି ଡି’ଭିଲିଅର୍ସ ଦୁଇ ପାରିରେ (୬୯+୬) ମୋଟ ୭୫ ରନ କରିଥିଲେ ।

Leave A Reply