ଦଳଗତ ବ୍ୟାଡମିଣ୍ଟନ୍‍ ଫାଇନାଲରେ ଭାରତ

0

ଗୋଲ୍‍ଡ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମିଶ୍ରିତ ଦଳଗତ ବ୍ୟାଡମିଣ୍ଟନ୍‍ ଫାଇନାଲରେ ପ୍ରବେଶ କରିଛି ଭାରତ। ସେମିଫାଇନାଲରେ ଭାରତ ୩-୧ ଗେମ୍‍ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ପ୍ରଥମ ମିକ୍ସଡ୍‍ ଡବଲ୍‍ସ ମ୍ୟାଚ୍‍ରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ରାଙ୍କିରେଡ୍ଡି ଓ ଅଶ୍ୱିନୀ ପୋନ୍ନପାଙ୍କ ମୁକାବିଲା ସିଙ୍ଗାପୁରର ୟଙ୍ଗ କାଇ ଟେରି ହି ଓ ଜିଆ ୟିଙ୍ଗ୍‍ କ୍ରିଷ୍ଟାଲ୍‍ ୱଙ୍ଗଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‍ରେ ଭାରତୀୟ ଯୋଡ଼ି ୨୨-୨୦, ୨୧-୧୮ ପଏଣ୍ଟରେ ବିଜୟୀ ହୋଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ମ୍ୟାଚ୍‍ ୪୧ ମିନିଟ୍‍ ଧରି ଚାଲିଥିଲା। ପରବର୍ତ୍ତୀ ପୁରୁଷ ସିଙ୍ଗଲ୍‍ସ ମ୍ୟାଚ୍‍ରେ ଭାରତର କିଦାମ୍ବି ଶ୍ରୀକାନ୍ତଙ୍କ ମୁକାବିଲା ସିଙ୍ଗାପୁରର କେନ୍‍ ୱେ ଲୋହଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‍େରେ ଶ୍ରୀକାନ୍ତ ୨୧-୧୭, ୨୧-୧୪ ପଏଣ୍ଟରେ ବିଜୟୀ ହୋଇ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଖେଳାଯାଇଥିବା ପୁରୁଷ ଡବଲ୍‍ସ ମ୍ୟାଚ୍‍ରେ ଭାରତର ସାତ୍ତ୍ୱିକ ଓ ଚିରାଗ ସେଟ୍ଟି ସିଙ୍ଗାପୁରର ଟେରି ହି ଓ ଡାନି ବାୱା କ୍ରିସଟାଣ୍ଟଟାଙ୍କ ଠାରୁ ୨୧-୧୭, ୧୯-୨୧, ୧୨-୨୧ ପଏଣ୍ଟରେ ପରାସ୍ତ ହୋଇଥିଲେ। ଖେଳର ସ୍ଥିତି ୨-୧ରେ ଭାରତ ସପକ୍ଷରେ ରହିଥିବା ବେଳେ ମହିଳା ସିଙ୍ଗଲ୍‍ସ ମ୍ୟାଚ୍‍ ଖେଳିବାକୁ ଓହ୍ଲାଇଥିଲେ ଭାରତର ସାଇନା ନେହୱାଲ୍‍। ସାଇନା ଚମତ୍କାର ପ୍ରଦର୍ଶନ କରି ସହଜରେ ସିଙ୍ଗାପୁରର ଜିଆ ମିନ୍‍ ୟେଙ୍କୁ ୨୧-୮, ୨୧-୧୫ ପଏଣ୍ଟରେ ପରାସ୍ତ କରି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ।

Leave A Reply