ଆଇସିସିର କୋହଳ ମନୋଭାବକୁ ସମାଲୋଚନା

0

ମୁମ୍ବଇ :   ଅଷ୍ଟ୍ରେଲିଆ ଦଳର ବଲ୍‍ ଟାମ୍ପରିଂ ଘଟଣାକୁ ନେଇ କ୍ରିକେଟ ଦୁନିଆରେ ଏବେ ତୁମ୍ବିତୋଫାନ ଚାଲିଛି। ଏହି ଘଟଣା ପାଇଁ ସମସ୍ତେ ଏବେ ଆଇସିସିକୁ ଦୋଷଦେବା ଆରମ୍ଭ କରିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି- କ୍ରିକେଟ୍‍ରେ ଠକିବାର ଦଣ୍ଡ କ’ଣ ଗୋଟିଏ ମ୍ୟାଚ୍‍ରୁ ବାସନ୍ଦ ଓ ୧୦୦ ପ୍ରତିଶତ ମ୍ୟାଚ୍‍ ଫି କାଟିବା? ଧିମା ଓଭର ହାର ପାଇଁ ତ ଏତିକି ଦଣ୍ଡ ଦିଆ ଯାଇଥାଏ। ତେଣୁ ବଲ୍‍ ଟାମ୍ପରିଂର ଯୋଜନା କରିଥିବା ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ଙ୍କୁ ଗୋଟିଏ ମ୍ୟାଚ୍‍ରୁ ବାସନ୍ଦ ଏବଂ ଏହି କାଣ୍ଡ କରିଥିବା କାମେରନ୍‍ ବାନ୍‍କ୍ରଫ୍ଟଙ୍କ ୭୫ ପ୍ରତିଶତ ମ୍ୟାଚ୍‍ ଫି କାଟିବାକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ବହୁ କ୍ରିକେଟ ବ୍ୟକ୍ତିତ୍ୱ। ଏଣେ ଏହି ମାମଲାରେ କ୍ରିକେଟ ଅଷ୍ଟ୍ରେଲିଆ କଠୋର ପଦକ୍ଷେପ ଗ୍ରହଣକରି ଷ୍ଟିଭେନ୍‍ ସ୍ମିଥ୍‍ ଓ ଡେଭିଡ୍‍ ୱାର୍ଣ୍ଣରଙ୍କୁ ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ୍‍ରୁ ୧୨ ମାସ ଏବଂ କାମେରନ୍‍ ବାନ୍‍କ୍ରଫ୍ଟଙ୍କୁ ୯ ମାସ ବାସନ୍ଦ କରିଛି। ଏଥିପାଇଁ ସମସ୍ତେ କ୍ରିକେଟ ଅଷ୍ଟ୍ରେଲିଆକୁ ପ୍ରଶଂସା କରିଛନ୍ତି।
କିଛି କ୍ରିକେଟ ବିଶେଷଜ୍ଞ ମତ ଦେଇଛନ୍ତି ଯେ କ୍ରିକେଟ୍‍କୁ ଠକିବା ବଡ଼ ଅପରାଧ ଏବଂ ଏଥିପାଇଁ କଠୋର ଦଣ୍ଡ ମିିଳିବା ଉଚିତ। ଯୁବ ପେସ୍‍ ବୋଲର ମହମ୍ମଦ ଆମିର ଜାଣିଶୁଣି ଗୋଟିଏ ନୋ’ବଲ୍‍ ପକାଇବା ଯୋଗୁଁ ଜେଲ୍‍୍‍ ଯାଇଥିଲେ ଏବଂ ୫ ବର୍ଷ କ୍ରିକେଟ୍‍ରୁ ବାସନ୍ଦ ହୋଇଥିଲେ। ସ୍ମିଥ୍‍, ବାନ୍‍କ୍ରଫ୍ଟ ଓ ସାଥୀ ଖେଳାଳି ଯାହାକଲେ; ତାହା ଆମିରଙ୍କ ଅପରାଧ ସହ ସମାନ। ବିସିସିଆଇର ବରିଷ୍ଠ ପଦାଧିକାରୀ ରତ୍ନାକର ସେଟ୍ଟି କହିଛନ୍ତି, ପଡ଼ିଆରେ କ୍ରିକେଟର କରିଥିବା ଅପରାଧ ଲାଗି ଆଇସିସିର ସିଇଓ (ଡେଭ୍‍ ରିଚାର୍ଡସନ୍‍) କାହିଁକି ଦଣ୍ଡବିଧାନ କରିଥିଲେ? ମ୍ୟାଚ୍‍ ରେଫେରୀ କ’ଣ କରୁଥିଲେ? ଅମ୍ପାୟାର ଅଭିଯୋଗ କରିବା କଥା ଏବଂ ଏହାର ତଦନ୍ତକରି ମ୍ୟାଚ୍‍ ରେଫେରୀ ଦଣ୍ଡ ଘୋଷଣା କରିବା କଥା। ମ୍ୟାଚ୍‍ ରେଫେରୀ କ’ଣ ତଥ୍ୟ ପାଇଲେ; ତାହା କେହି କହିପାରିବେ କି? ବୋଧହୁଏ ସାମ୍ବାଦିକ ସମ୍ମିଳନୀରେ ସ୍ମିଥ୍‍ ଓ ବାନ୍‍କ୍ରଫ୍ଟ ଦୋଷ ସ୍ୱୀକାର କରିନଥିଲେ ଅମ୍ପାୟାର ଏବଂ ମ୍ୟାଚ୍‍ ରେଫେରୀ କିଛି ଜାଣି ପାରିନଥା’ନ୍ତେ। ପୁଣି ଆଇସିସି ଦଣ୍ଡବିଧାନ ବେଳେ କହିଥିଲା ଯେ କାମେରନ୍‍ ବାନ୍‍କ୍ରଫ୍ଟ ଆଚାର ସଂହିତା ଭଙ୍ଗ କରିଛନ୍ତି ବୋଲି ସ୍ୱୀକାର କରିଥିଲେ। ତେବେ ପଡ଼ିଆ ଅମ୍ପାୟାର ନାଇଜେଲ ଲଙ୍ଗ୍‍ ଓ ରିଚାର୍ଡ ଇଲିଙ୍ଗ୍‍ୱର୍ଥ ଏବଂ ମ୍ୟାଚ୍‍ ରେଫେରୀ ଆଣ୍ଡର୍ୟୁ ପାଇକ୍ରଫ୍ଟ କ’ଣ ଜାଣିବାକୁ ପାଇଥିଲେ; ତାହା କେହି ଜାଣନ୍ତିନାହିଁ କି ସେମାନଙ୍କ ପକ୍ଷ ଜଣାଇନାହାନ୍ତି। କିଛି କ୍ରିକେଟ ସମୀକ୍ଷକ ଯୁକ୍ତି ବାଢ଼ିଛନ୍ତି ଯେ କାନ୍ଧରେ କାନ୍ଧ ବଜାଇବା ଯୋଗୁଁ ଯଦି କାଗିସୋ ରାବାଡ଼ାଙ୍କୁ ୨ଟି ମ୍ୟାଚ୍‍ରୁ ବାସନ୍ଦ କରାଯାଉଛି; ବଲ୍‍ ଟାମ୍ପରିଂ କରି କ୍ରିକେଟକୁ ଠକିବା ଭଳି ଗୁରୁତର ଅପରାଧର ଦଣ୍ଡ କ’ଣ ଗୋଟିଏ ମ୍ୟାଚ୍‍ରୁ ବାସନ୍ଦ? ପୁଣି ଯେଉଁ ଖେଳାଳି ବଲ୍‍ରେ ବାଲିକାଗଜ ଘଷି କ୍ୟାମେରାରେ ଧରା ପଡ଼ିଥିଲେ; ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‍ରେ ଖେଳିବାର ଅନୁମତି ଦେବା କ’ଣ ଯଥାର୍ଥ? ତେଣୁ କ୍ରିକେଟ୍‍ରେ ଅନୈତିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି କୌଣସି ନିର୍ଦିଷ୍ଟ ନିୟମ ନାହିଁ। ବିଶ୍ୱ କ୍ରିକେଟ୍‍ର ପରିଚାଳନା ପାଇଁ ଆଇସିସି ଥିଲେ ହେଁ କ୍ରିକେଟ୍‍ର ସମ୍ମାନ ରକ୍ଷାକରିବା ପାଇଁ ଏହା କିଛି କରୁନାହିଁ ବୋଲି ଅନେକେ ମତ ଦେଇଛନ୍ତି। ତେଣୁ ତା’ର ଖେଳାଳିଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ କିଛି କଠୋର ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଆଇସିସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଉଚିତ ଥିଲା ବୋଲି ଅନେକେ କହିଛନ୍ତି।

Leave A Reply