ସାମିଲ ହେବ ନବରଙ୍ଗପୁର, ନୂଆପଡ଼ା

0

ନୂଆଦିଲ୍ଲୀ : ଦେଶର ପଛୁଆ ୧୧୫ଟି ଜିଲାର ତାଲିକା ବଦଳିବ। ନୂତନ ତାଲିକାରେ ଓଡ଼ିଶାର ନବରଙ୍ଗପୁର ଓ ନୂଆପଡ଼ା ଜିଲାକୁ ସାମିଲ କରାଯିବ। ଊଭୟ ଜିଲାକୁ ପଛୁଆ ଜିଲା ତାଲିକାରେ ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ନୂତନ ତାଲିକା ଘୋଷଣା ହେବ ବୋଲି ନିତିଆୟୋଗର ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର କହିଛନ୍ତିି।
ରାଜ୍ୟର ପଛୁଆ ଜିଲାଗୁଡ଼ିକୁ ସାମିଲ କରିବା ପ୍ରସଙ୍ଗରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝିଙ୍କ ସହ ସାକ୍ଷାତ ବେଳେ ନିତି ଆୟୋଗର ଉପାଧ୍ୟକ୍ଷ ଏହା ଜଣାଇଛନ୍ତି। ମୁଣ୍ଡପିଛା ଆୟ, ଜଳସେଚିତ ଜମି ଅଞ୍ଚଳ, ଯୋଗାଯୋଗ ବ୍ୟବସ୍ଥା, ଭୂମିହୀନଙ୍କ ସଂଖ୍ୟା, ଦିନମଜୁରିଆଙ୍କ ସଂଖ୍ୟା, ନିରାପଦ ମାତୃତ୍ୱହାର, ଶିଶୁ ମୃତ୍ୟୁହାର, ସାକ୍ଷରତା ହାର, ପରିମଳ ବ୍ୟବସ୍ଥା ଆଦିକୁ ମାନଦଣ୍ଡ ଭାବେ ନିଆଯାଇ ଦେଶରେ ଜିଲାଗୁଡ଼ିକୁ ଚୟନ କରାଯାଇଥିଲା। ପଛୁଆ ଜିଲା ମନୋନୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କୁ କାହିଁକି ସାମିଲ କରାଯାଇ ନ ଥିଲା ବୋଲି ସାଂସଦ ମାଝି ପ୍ରଶ୍ନ କରିଥିଲେ। ଯଦି କେନ୍ଦ୍ର ସରକାର ସତରେ ପଛୁଆ ଜିଲାର ବିକାଶ କଥା ଭାବୁଛନ୍ତି କାହିଁକି ଜିଲା ମନୋନୟନରେ କେନ୍ଦ୍ରମନ୍ତ୍ରୀ କୋଟା ବ୍ୟବସ୍ଥା ରହିଛି ?
ସମୁଦାୟ ୧୧୫ଟି ଜିଲା ମଧ୍ୟରୁ ୫୦ଟି ଜିଲାର ମନୋନୟନ କେନ୍ଦ୍ର ସରକାରମନ୍ତ୍ରୀଙ୍କ ଇଚ୍ଛାରେ କରାଗଲେ ପଛୁଆ, ଅବହେଳିତ ଅଞ୍ଚଳର ବିକାଶ ହୋଇପାରିବ ନାହିଁ। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ପଛୁଆ ଜିଲା ବିକାଶ ଯୋଜନା ଲକ୍ଷ୍ୟଚ୍ୟୁତ ହୋଇଯିବ ବୋଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ନୀତି ଆୟୋଗ ଉପାଧ୍ୟକ୍ଷଙ୍କୁ ଜଣାଇଦେଇଥିଲେ। ଦିଲ୍ଲୀରେ ନିଷ୍ପତ୍ତି ନିଆନଯାଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ ପରେ ଜିଲା ତାଲିକା ଘୋଷଣା କରାଯାଉ ବୋଲି ସାଂସଦ ଶ୍ରୀ ମାଝି ଦାବି କରିଥିଲେ। ପଛୁଆ ଜିଲା ତାଲିକାରେ ରାଜ୍ୟର ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଢ଼େଙ୍କାନାଳ, ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରିକୁ ସାମିଲ କରାଯାଇଥିଲା।

Leave A Reply