ରଞ୍ଜିତା ଓ ସୁଶାନ୍ତଙ୍କୁ ମୁହାଁମୁହିଁ ଜେରା ; ଓଗାଳିଲେ ସତ

0

କଟକ  : କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳର ବିଜୟ ପାଲଙ୍କୁ ଗୁଳିକରି ହତ୍ୟା କରାଯିବା ପାଇଁ ରଚାଯାଇଥିବା ଷଡଯନ୍ତ୍ରର ମାଷ୍ଟର ମାଇଣ୍ଡ ସୁଶାନ୍ତ ଧଳ ସାମନ୍ତ ଏବଂ କଟକ ମହାନଗର ନିଗମ ୭ ନମ୍ବର ୱାର୍ଡ କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଲିସ୍‌ ଜେରାରେ ବ୍ୟସ୍ତବିବ୍ରତ ହୋଇ ସତ ଓଗାଳିଛନ୍ତି। ଅପରାଧ ସଂପର୍କରେ ସତ ଓଗାଳିବା ପାଇଁ ଗୁରୁବାର ପୁଲିସ ଉଭୟଙ୍କୁ ମୁହାଁମୁହିଁ ଜେରା କରିଥିଲା। ବିଜୟଙ୍କ ସହିତ ଅନ୍ୟ ତିନିଜଣକୁ ହତ୍ୟା କରିବା ଷଡଯନ୍ତ୍ର ରଚିଥିଲେ ବୋଲି ଦୁହେଁ ମାନିଛନ୍ତି। ପୂର୍ବାହ୍ଣରେ ମହିଳା ଥାନାରୁ କଡ଼ା ପହରା ମଧ୍ୟରେ ରଞ୍ଜିତାଙ୍କୁ ସଦର ଥାନା ଅଣାଯାଇଥିଲା। ୧୦ଟାରୁ ରଞ୍ଜିତାଙ୍କୁ ଏକୁଟିଆ ଏକ ଘରେ ବସାଇ ତିନିଟି ପୁଲିସ ଦଳ ଜେରା କରିଥିଲେ। ୧୧ଟାରେ ସୁଶାନ୍ତଙ୍କୁ ଏକତ୍ର ବସାଇ ଜେରା କରାଯିବା ପରେ ଦିନ ୧୨ଟାରେ ଉଭୟ ଦେଇଥିବା ବୟାନର ତାଳମେଳ ରହୁଛି କି ନାହିଁ ସେ ନେଇ ଗୋଟିଏ ଘରେ ଦୁଇଜଣକୁ ବସାଇ ମୁହାଁମୁହିଁ ଜେରା କରାଯାଇଥିଲା। ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପୁଲିସ ଅଧିକାରୀଙ୍କ ପ୍ରଶ୍ନବାଣରେ ଉଭୟେ ସତ କହିଥିଲେ।
କାହିଁକି ବିଜୟ ଓ ଅନ୍ୟମାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲ, ଶରତ ବେହେରାଙ୍କ ହାତରେ ମିକୁ ଓ ସଦା ନିକଟକୁ ପଠାଇଥିବା ତିନିଟି ବିଦେଶୀ ମାଉଜର ଓ ଗୁଳି କେଉଁଠାରୁ ପାଇଲ, ଏହି ଘଟଣାରେ ଆଉ କିଏ ସହଯୋଗ କରିଥିଲେ ସେ ନେଇ
ପୁଲିସ୍‌ ଉଭୟଙ୍କୁ ପଚରାଉଚୁରା କରିଥିଲା। ପ୍ରଥମେ ପ୍ରଥମେ ଉଭୟ କିଛି ମାନି ନ ଥିଲେ ହେଁ ପରେ ସବୁ ସତ ଓଗାଳିଥିଲେ। ବିଜୟ ଓ ଅନ୍ୟମାନଙ୍କୁ ହତ୍ୟା କରିବା ପାଇଁ ଜେଲରୁ ହିଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଯୋଜନାକୁ ରୂପରେଖ ଦେବାପାଇଁ ଜେଲ୍‌ର ଜଣେ କର୍ମଚାରୀଙ୍କୁ ଫୋନ ଜରିଆରେ ବାହାରେ ରହୁଥିବା ସହଯୋଗୀଙ୍କୁ କଲ୍‌ କରି ଫେବୃଆରୀ ୨୩ତାରିଖ ସକାଳ ସୁଦ୍ଧା ତିନିଟି ମାଉଜର ଓ ଗୁଳି ରଞ୍ଜିତାଙ୍କ ପାଖରେ ପହଞ୍ଚାଇବା ପାଇଁ ସୁଶାନ୍ତ କହିଥିଲା। ଏବେ ବି କଟକର ୩ଜଣ ଓ ଭୁବନେଶ୍ୱରର ଜଣେ ପ୍ରମୁଖ ସହଯୋଗୀ ତାଙ୍କ ସହିତ ବରାବର ଜେଲ୍‌କୁ ଆସି ଯୋଗସୂତ୍ର ରଖିବା ସହ ସେମାନଙ୍କ ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତି ବୋଲି ସୁଶାନ୍ତ ମାନିଥିଲା। ପୁଲିସ ସେମାନଙ୍କ ନାମ କହିବାକୁ ବାରମ୍ବାର ଚାପ ପକାଇବା ପରେ ସୁଶାନ୍ତ ଜଣଜଣ କରି ସମସ୍ତଙ୍କ ନାମ କହିଦେଇଥିଲା। ମାଉଜର ଓ ଗୁଳି ତୁମ ପାଖରେ ପହଞ୍ଚିବ ତାହାକୁ ରଖି ନିର୍ଦିଷ୍ଟ ସ୍ଥାନରେ ପହଞ୍ଚାଇବାକୁ ସୁଶାନ୍ତ ରଞ୍ଜିତାକୁ ନିର୍ଦେଶ ଦେଇଥିବା ସ୍ୱୀକାର କରିଥିଲା। ଉଭୟଙ୍କ ତଥ୍ୟକୁ ଭିତ୍ତିକରି ୫ଜଣକୁ ଧରିବା ପାଇଁ ଆଜି ରାତିରେ ପୁଲିସ ଉଭୟ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ରଞ୍ଜିତାକୁ ମାଉଜର ଦେଇଥିବା ଅଭିଯୁକ୍ତଜଣକ ଧରାପଡିବା ପରେ ଉଭୟ ଭ୍ରାତା ଅସ୍ତ୍ରଶସ୍ତ୍ର କେଉଁଠାରୁ ଆଣୁଥିଲେ ତାହା ଜଣାପଡିଯିବ। ଏହାଛଡ଼ା ସୁଶାନ୍ତ ଓ ରଞ୍ଜିତାଙ୍କଠାରୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇଥିବାରୁ ସେ ଦିଗରେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି। ଆବଶ୍ୟକ ପଡିଲେ ପୁଣି ଉଭୟଙ୍କୁ ଜିମାରେ ଅଣାଯାଇ ପାରେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଭଏସ ସାମ୍ପୁଲ କଲେକ୍‌ସନ୍‌ ପାଇଁ କୋର୍ଟ ଅନୁମତି ଦେଇଥିଲେ ମଧ୍ୟ ଉଭୟ ଏଥିରେ ରାଜି ନ ହେବାରୁ ପୁଲିସ କରିଥିବା ଯୋଜନା ଫସର ଫାଟିଯାଇଛି। ଆଜି ଥିଲା ଜିମାର ଅନ୍ତିମ ଦିବସ। ଆସନ୍ତାକାଲି ସକାଳ ସାଢ଼େ ୧୦ଟା ସୁ୍‌ଦ୍ଧା ପୁଲିସ ଉଭୟଙ୍କୁ ଅଦାଲତରେ ହାଜର କରାଇବ। ଏହା ପୂର୍ବରୁ ଉଭୟଙ୍କୁ ଡାକ୍ତର ପରୀକ୍ଷା ପାଇଁ ବଡ଼ ମେଡିକାଲ ନିଆଯିବ ବୋଲି ପୁଲିସ୍‌ କହିଛି। ଅନ୍ୟପକ୍ଷରେ ସୁଶାନ୍ତର କହିବା ଅନୁଯାୟୀ ରାତିରେ ଲାଲବାଗ ପୁଲିସ ତା’ର ଦୁଇ ପ୍ରମୁଖ ସହଯୋଗୀକୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଅଲିଶାବଜାର ଗୋପାଳସାହିର ଘୁଙ୍ଗା ଓରଫ ବବିନ୍ଦ୍ର ଜେନା ଓ ତା’ର ଭାଇ ଛବି ଓରଫ ଛବିନ୍ଦ୍ର ଜେନା। ବବିନ୍ଦ୍ର ଓ ଛବିନ୍ଦ୍ର ନାମରେ ପୂର୍ବରୁ ୨୨ରୁ ଊର୍ଦ୍ଧ୍ବ ମାମଲା ରହିଥିଲା। ସୁଶାନ୍ତ କଥାରେ ଦୁଇଭାଇ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଦାଦାବଟି, ଟେଣ୍ଡର ଫିକ୍ସିଂ ଓ ଅନ୍ୟାନ୍ୟ ଅପରାଧ ଘଟାଉଥିଲେ।

 ସ୍ୱର ନମୁନା ପରୀକ୍ଷା ପାଇଁ ଜେଏମ୍‌ଏଫ୍‌ସିଙ୍କ ଅନୁମତି

କଟକ : କଟକ କମିସନରେଟ ପୁଲିସ ଅଧୀନ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁରର ବିଜୟ ପାଲ ଓରଫ ବିଜନ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ସିଏମସି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ଝାରପଡା ଜେଲ୍‌ରୁ ରିମାଣ୍ଡରେ ଆସିଥିବା ସୁଶାନ୍ତ ଧଳସାମନ୍ତଙ୍କ ସ୍ୱର ନମୁନା ପରୀକ୍ଷା ପାଇଁ କମିସନରେଟ ପୁଲିସ ପକ୍ଷରୁ କଟକ ଗ୍ରାମାଞ୍ଚଳ ଜେଏମ୍‌ଏଫ୍‌ସିଙ୍କ ନିକଟରେ ହୋଇଥିବା ଆବେଦନ ଉପରେ ବିଚାର କରି କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି।

Leave A Reply