ନିଦାହାସ୍‌ ଟ୍ରଫି : ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ୍‌

0

 ବିଜୟୀ ଦଳ ଭାରତ ସହ ଖେଳିବ ଫାଇନାଲ ମ୍ୟାଚ୍‌  

କଲମ୍ବୋ : ଏଠାରେ ଖେଳାଯାଉଥିବା ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଶୁକ୍ରବାର ଘରୋଇ ଶ୍ରୀଲଙ୍କା ଦଳର ମୁକାବିଲା ବାଂଲାଦେଶ ସହ ହେବ। ଏହି ମ୍ୟାଚ୍‌ରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ଭାରତ ସହ ଫାଇନାଲ ମ୍ୟାଚ୍‌ରେ ଖେଳିବ।
ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଅନ୍ୟତମ ଦଳ ଭାରତ ୪ଟିରୁ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ୨ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ତେଣୁ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ଫାଇନାଲରେ ଖେଳିବ। ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚ୍‌ରେ ଭାରତକୁ ପରାସ୍ତ କରିଥିବା ବେଳେ ବାଂଲାଦେଶ ନିଜର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ବାଂଲାଦେଶ ପାଇଁ ଖୁସି ଖବର ରହିଛି। ବାଂଲାଦେଶ ଦଳକୁ ଫେରିଛନ୍ତି ବରିଷ୍ଠ ଅଲରାଉଣ୍ଡର ସାକିବ୍‌ ଅଲ୍‌ ହସନ୍‌। ଆଘାତଜନିତ କାରଣରୁ ଦଳରୁ ବାଦ୍‌ ପଡ଼ିଥିବା ସାକିବ୍‌ ଶ୍ରୀଲଙ୍କା ବିପକ୍ଷ ଏହି କର ବା ମର ମ୍ୟାଚ୍‌ରେ ଦଳରେ ସାମିଲ ହୋଇଥିବାରୁ ବାଂଲାଦେଶ ଖେଳାଳିଙ୍କ ମନୋବଳ ବେଶ୍‌ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳର ବ୍ୟାଟସମ୍ୟାନ୍‌ କୁଶଳ ମେଣ୍ଡିସ୍‌, କୁଶଳ ପରେରା, ଉପୁଲ ତରଙ୍ଗା, ତିସାରା ପରେରା ଓ ଦାସୁନ୍‌ ସନକା ବେଶ୍‌ ଭଲ ଫର୍ମରେ ଅଛନ୍ତି। ତେବେ ବୋଲରମାନେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ଦଳ ଚିନ୍ତାରେ ଅଛି।

ବାଂଲାଦେଶର ବ୍ୟାଟସମ୍ୟାନ୍‌ ଲିଟନ ଦାସ, ତମିମ ଇକବାଲ୍‌, ସୌମ୍ୟ ସରକାର, ମୁସ୍‌ଫିକୁର ରହିମ୍‌ ଊଣା ଅଧିକେ ଭଲ ପ୍ରଦର୍ଶନ କରିଥିବାରୁ ଶ୍ରୀଲଙ୍କା ବିରୋଧରେ ଏମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ରୁବେଲ୍‌ ହସନ୍‌, ମୁସ୍ତାଫିଜୁର ରହମାନ୍‌, ମେହଦି ହସନ୍‌ ଦଳର ବୋଲିଂ ଭାର ସମ୍ଭାଳିବାକୁ ଥିବା ବେଳେ ସାକିବ୍‌ ଦଳକୁ ଫେରିଥିବାରୁ ବୋଲିଂ ବିଭାଗ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି। ପିଚ୍‌ର ଅବସ୍ଥା ଅନୁଯାୟୀ ଯେଉଁ ଦଳ ପଛରେ ବ୍ୟାଟିଂ କରିବ ତାହାର ବିଜୟୀ ହେବା ଆଶା ଅଧିକ ବୋଲି କୁହାଯାଉଛି।

Leave A Reply