କୁନ୍ଦୁଲି ଘଟଣା : ଦିଲ୍ଳୀରେ ଆଦିବାସୀମାନଙ୍କର ଧାରଣା

0

ସିବିଆଇ ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ନୂଆଦିଲ୍ଲୀ : କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନୂଆଦିଲ୍ଲୀର ସଂସଦ ମାର୍ଗରେ ପୀଡ଼ିତାଙ୍କ ପରିବାର, ଆଦିବାସୀମାନେ ଏବଂ କଂଗ୍ରେସ ଦଳପକ୍ଷରୁ ଧାରଣା ଦିଆଯାଇଛି। ସତ୍ୟକୁ ସାମନାକୁ ଆଣିବା ପାଇଁ ସିବିଆଇ ତଦନ୍ତ ଏକ ମାତ୍ର ରାସ୍ତା ବୋଲି ଧାରଣାରତ ପୀଡ଼ିତାଙ୍କ ମାଆ ଡମାଇ ଛାତି କହିଛନ୍ତି। ନ୍ୟାୟ ଦେବା ପରିବର୍ତ୍ତେ ମିଛ ପ୍ରମାଣିତ କରିବା ପାଇଁ ସରକାରୀ କଳ ଉଦ୍ୟମ କରିବାରୁ ମୋ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି। ବଳାତ୍କାର ଘଟଣା ପରେ ମୁଁ ମୋ ଝିଅକୁ ଦେଖିଛି, ମୋର ହୃଦବୋଧ ହୋଇଛି ତାହା ସହ ବଳାତ୍କାର ହୋଇଛି। ପୀଡ଼ିତା ଶରୀରର ବିଭିନ୍ନ ସ୍ଥାନରେ ବହୁ ଦାଗ ଦେଖିଥିଲେ ବୋଲି ପୀଡ଼ିତାଙ୍କ ମାଆ କହିଛନ୍ତି। ରାଜ୍ୟ ସରକାରଙ୍କର ହୃଦୟ ନାହିଁ, ସତ୍ୟ କହିବାରୁ ମୋ ଝିଅ ଆଜି ଏହି ଦୁନିଆରେ ନାହିଁ ବୋଲି କୋହଭରା କଣ୍ଠରେ ଡମାଇ କହିଛନ୍ତିି। କେବଳ ସିବିଆଇ ତଦନ୍ତରେ ନ୍ୟାୟ ମିଳିବା ନେଇ ପରିବାର ଲୋକଙ୍କ ବିଶ୍ୱାସ ରହିଛି ବୋଲି ଡମାଇ କହିଛନ୍ତି। ଗତ ଜାନୁଆରୀ ୨୨ ତାରିଖରେ ପୀଡିତା ଆତ୍ୱହତ୍ୟା କରିଥିଲେ ।
ସେହିପରି କ୍ଷତିପୂରଣ ଟଙ୍କା ଦରକାର ନାହିଁ, ଆମ ଭଉଣୀକୁ ନ୍ୟାୟ ଦରକାର ବୋଲି ପୀଡ଼ିତାର ଭାଇ ଭଗବାନ ଛାତି, ଡମ୍ବୁରଧର ଛାତି ଏବଂ ସାନ ଭଉଣୀ ସୁନିତା ପଡାଲ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆମ ପାଖକୁ ଆସି ପରିବାରର ଦୁଃଖ ବୁଝନ୍ତୁ ବୋଲି ଏମାନେ କହିଛନ୍ତି। ସିବିଆଇ ତଦନ୍ତ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ପୀଡ଼ିତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଗତ ବର୍ଷ ଅକ୍ଟୋବର ୧୦ ତାରିଖରେ ଅର୍ଦ୍ଧ ସାମରିକ ବଳ ଯବାନ ମାନେ ପୀଡିତାଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।
ପ୍ରଦେଶ କଂଗ୍ରେସ କମିଟିର ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ପକ୍ଷରୁ ଆୟୋଜିତ ଧାରଣା କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ କୃଷ୍ଣ ଶଗଡ଼ିଆ, ପୂର୍ବତନ ସାଂସଦ ପ୍ରଦୀପ ମାଝି, ପୂର୍ବତନ ବିଧାୟକ ନିମାଇଁ ସରକାର ପ୍ରମୁଖ ସାମିଲ ହୋଇଛନ୍ତି। ତିନି ଦିନ ପର୍ଯ୍ୟନ୍ତ ସଂସଦ ମାର୍ଗରେ ଧାରଣା କାର୍ଯ୍ୟକ୍ରମ ଜାରି ରହିବ। ଧାରଣାରେ ମଧ୍ୟ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ହାଜତ ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ୍‌ର ସଂଯୋଜକ ମମତା ସାମନ୍ତରାୟ ବିଧାନସଭା ସମ୍ମୁଖରେ ଧାରଣା ଦେଇ ସିବିଆଇ ତଦନ୍ତ ଦାବି କରିଛନ୍ତି। ସେହିପରି ପୀଡିତାଙ୍କୁ ଲୋହିୟା ଏକାଡେମୀଙ୍କୁ ଡାକି ତାଙ୍କ ପରିଚୟକୁ ସାର୍ବଜନୀନ କରିଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ବଳାତ୍କାର ପୀଡିତାଙ୍କ ପରିଚୟ ସାର୍ବଜନୀନ କରିବା ଅପରାଧ ବୋଲି ସୁପ୍ରିମ କୋର୍ଟ ରୁଲିଂ ଏବଂ ଆଇନରେ ବ୍ୟବସ୍ଥା ରହିଛି। ଏହି ଲୋକଙ୍କ ବିରୁଦ୍ଧରେ ମଧ୍ୟ ମମତା ଭୁବନେଶ୍ୱରରେ ଏଫଆଇଆର ଦାୟାର କରିଛନ୍ତି। ତେବେ ତାଙ୍କର ଆନ୍ଦୋଳନ ଜାରି ରହିବ ବୋଲି ମମତା କହିଛିନ୍ତି।

Leave A Reply