ସ୍କୁଲ ଗାଧୁଆ ଘରୁ ନବମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

0

ବେଙ୍ଗାଲୁରୁ : କର୍ଣ୍ଣାଟକ କୋଡାଗୁ ଜିଲାର ଏକ ସୈନିକ ସ୍କୁଲ ଗାଧୁଆ ଘରୁ ଜଣେ ନବମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ୧୪ ବର୍ଷିୟ ଏହି ବାଳକର ନାମ ଏନ୍‍ପି ଚିଙ୍ଗପ୍ପା ଓ ତାର ବାପା ନାଙ୍ଗଦାର ଏକ ସ୍କୁଲରେ ହକି ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ପରିବାର ଲୋକେ ଛାତ୍ରକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ଶନିବାରର ବୋଲି ଜାଣିବାକୁ ମିଳିଛି। ପରିବାର ଲୋକେ ଘଟଣାଦିନ ଡାକ୍ତରଖାନା ଆଗରେ ଶବ ରଖି ଧାରଣା ଦେଇଥିଲେ। ବିନା ସୂଚନାରେ ସ୍କୁଲ ପ୍ରଶାସନ ତାଙ୍କ ପୁଅର ମୃତଦେହକୁ ସରକାରୀ ଡାକ୍ତରଖାନାକୁ ପଠାଇ ଦେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍‍ ସ୍କୁଲ ଉପାଧ୍ୟକ୍ଷଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍କୁଲ ପକ୍ଷରୁ କୁହାଯାଇଛି ଯେ ୨୩ ଜୁନ୍‍ରେ ଏନ୍‍ପି ଚିଙ୍ଗପ୍ପାଙ୍କୁ ଅନୁଶାସନ ହିନତା ପାଇଁ ଜଣେ ଶିକ୍ଷକ ତାଗିଦ୍‍ କରିଥିଲେ। ପରେ ସନ୍ଧ୍ୟାରେ ସ୍କୁଲର ଏକ ଗାଧୁଆ ଘରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଉଲ୍ଲେଖ ଯେ ଅନୁରୂପ ଭାବେ ଜୁନ୍‍ ୨୨ରେ ବରୋଦାର ଏକ ସ୍କୁଲର ଗାଧୁଆ ଘରୁ ଜଣେ ନବମ ଶ୍ରେଣୀ ଛାତ୍ରର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଥିଲା। ତା’ ଶରୀରରେ ୨୨ଟି ଛୁରାମାଡ଼ ଦାଗ ରହିଥିଲା। ପୁଲିସ୍‍ ଏହି ହତ୍ୟା ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଗିରଫ କରିଛି।

Leave A Reply