ଆମେରିକା ଆଞ୍ଚଳିକ ନିର୍ବାଚନ ଜିତିଲେ ୪ ଭାରତୀୟ ବଂଶୋଦ୍ଭବ

ୱାଶିଂଟନ : ପ୍ରଥମଥର ପାଇଁ ଆମେରିକାର ରାଜ୍ୟ ଏବଂ ଆଞ୍ଚଳିକ ନିର୍ବାଚନ ଜିତି ୪ ଜଣ ଭାରତୀୟ ବଂଶୋଦ୍ଭବ ଇତିହାସ ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମୁସଲମାନ ମହିଳା ଗଜଲ ହାସମୀ ଓ ଅନ୍ୟ ଜଣେ ହ୍ବାଇଟ ହାଉସ ଟେକ୍ନୋଲୋଜି ପଲିସି ପରାମର୍ଶଦାତା ସୁଭାଷ ସୁବ୍ରମଣ୍ୟମ। ପ୍ରଥମ ମୁସଲମାନ ମହିଳା ଭାବେ ପୂର୍ବତନ କମ୍ୟୁନିଟି କଲେଜ ପ୍ରଫେସର ହାସମୀ ଭର୍ଜିନିଆ ଷ୍ଟେଟ ସିନେଟକୁ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ହ୍ବାଇଟ ହାଉସ ଟେକ୍ନୋଲୋଜି ପଲିସି ପରାମର୍ଶଦାତା ସୁଭାଷ ଭର୍ଜିନିଆ ହାଉସ ଅଫ ରିପ୍ରେଜେଣ୍ଟେଟିଭକୁ ନିର୍ବାଚିତ ହୋଇଛନ୍ତି। ଡେମୋକ୍ରାଟିକ ନେତ୍ରୀ ହାସମୀ ରିପବ୍ଲିକାନ ଷ୍ଟେଟ ସିନେଟର ଗ୍ଲେନ ଷ୍ଟର୍ଟେଭାଣ୍ଟଙ୍କୁ ଭର୍ଜିନିଆର ଦଶମ ସିନେଟ ଡିଷ୍ଟ୍ରିକ୍ଟରେ ପରାଜିତ କରି ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି। ହାସମୀଙ୍କ ପରିବାର ୫୦ ବର୍ଷ ପୂର୍ବେ ଭାରତରୁ ଆମେରିକାକୁ ଚାଲିଯାଇଥିଲେ। ଜର୍ଜିଆରେ ହାସମୀଙ୍କ ଲାଳନପାଳନ ହୋଇଥିଲା। ସୁବ୍ରମଣ୍ୟମ ଲୋଡନ ଜିଲାରୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ମା’ ବେଙ୍ଗାଲୁରୁର ମୂଳ ବାସିନ୍ଦା। ସେ ୧୯୭୯ରେ ଆମେରିକା ଚାଲିଯାଇଥିଲେ। ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ମନୁ ରାଜୁ ସାନଫ୍ରାନ୍ସିସ୍କୋର ପବ୍ଲିକ ଡିଫେଣ୍ଡର ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଉତ୍ତର କାରୋଲିନାଠାରେ କାର୍ଲୋଟ ସିଟି କାଉନ୍ସିଲକୁ ଡିମ୍ପଲ ଅଜମେର ନିର୍ବାଚିତ ହୋଇଛନ୍ତି।

Comments are closed.