ତିନି ମହଲା ବାଲକୋନୀରୁ ଖସିପଡ଼ିଲା ଶିଶୁ, ଦେବଦୂତ ସାଜିଲା ଚଳନ୍ତା ରିକ୍ସା

ଭୋପାଳ: କଥାରେ ଅଛି, ‘ରଖେ ହରି… ତ ମାରେ କିଏ’। ଏହି ଉକ୍ତିଟି ପୁଣି ଥରେ ପ୍ରମାଣିତ ହୋଇଛି ଏକ ୩ବର୍ଷର ଶିଶୁ କ୍ଷେତ୍ରରେ। ଘଟଣାଟି ମଧ୍ୟପ୍ରଦେଶର ଟିକମଗଡ଼ ସହରର। ଏକ ଶିଶୁ ତିନି ମହଲା କୋଠାର ବାଲକୋନୀରୁ ତଳକୁ ଖସିପଡ଼ିବା ପରେ ଜୀବିତ ରହିଛି। ପିଲାଟି ପାଇଁ ଦେବଦୂତ ସାଜିଛି ଏକ ଚଳନ୍ତା ରିକ୍ସା। ପିଲାଟିକୁ ଜୀବିତ ପାଇ ପରିବାର ଲୋକେ ବି ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଘଟଣା ସମୟର ଦୃଶ୍ୟଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ଲୋକ ନାନା ମନ୍ତବ୍ୟ ଦେବା ସହିତ ଖୁସି ବ୍ୟକ୍ତ କରିଛନ୍ତି।

ଘଟଣାଟି ଗତ ୧୮ ତାରିଖରେ ଘଟିଛି। ପିଲାଟିର ବାପା ଆଶିଷ ଜୈନ କୁହନ୍ତି, ପୁଅ ବାଲକୋନୀରେ ପରିବାରର ଅନ୍ୟମାନଙ୍କ ସହିତ ଖେଳୁଥିଲା। ଏହି ସମୟରେ ଭାରସାମ୍ୟ ହରାଇ ସେ ତଳକୁ ଖସିପଡ଼ିଥିଲା। ତଳୁ ବାଲକୋନୀର ଉଚ୍ଚତା ପ୍ରାୟ ୩୫ ଫୁଟ ହେବ। ଆମେ ସମସ୍ତେ ଭୟଭୀତ ହୋଇପଡ଼ିଥିଲୁ। କିନ୍ତୁ ପୁଅ ତଳେ ପଡ଼ିବା ପୂର୍ବରୁ ସେହି ବାଟ ଦେଇ ଯାଉଥିବା ଏକ ରିକ୍ସାରେ ପଡ଼ିଯାଇଥିଲା। ରିକ୍ସା ଚାଳକ ତୁରନ୍ତ ପୁଅକୁ ଧରି ପକାଇଥିଲେ। ପରେ ତା’କୁ ହସ୍ପିଟାଲ ନିଆଯାଇଥିଲା। ତା’ର ସ୍ବାସ୍ଥ୍ୟାବସ୍ଥା ଠିକ ରହିଛି। ଏସବୁ ଘଟଣାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।

Comments are closed.