ଦିଲ୍ଲୀରେ ନିର୍ଯାତିତ ୩ ଦାଦନ ଗାଁକୁ ଫେରିଲେ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟଭାସରୁଆ ଗ୍ରାମରୁ ଦିଲ୍ଲୀରେ ‌କାମ କରିବାକୁ ଯାଇ ଫସିଥିବା ୪ଜଣ ଯୁବକ ମଧ୍ୟରୁ ୩ଜଣ ଗ୍ରାମକୁ ଫେରିଲେ । ସୂଚନା ଅନୁଯାୟୀ, ପାଟଣା ଥାନା ଟଭାସରୁଆ ଗ୍ରାମର ରାଜା ମହାରଣା , ଲଗେସ ନାୟକ , ସାଗର ମହାକୁଡ଼ ଓ‌ ବଳରାମ ମହାକୁଡ଼ ନାମକ ୪ଜଣଙ୍କୁ ସେହି ଗ୍ରାମର ତପନ କୁମାର ନାଏକ, ଚନ୍ଦ୍ର ନାଏକ ଓ ସୁମନ୍ତ ମୁଣ୍ଡା ଦିଲ୍ଲୀ ସ୍ଥିତ ଏକ ମେଡ଼ିସିନ କମ୍ପାନୀରେ ମାସିକ ୧୦ ହଜାର ‌ଦରମାରେ ଚାକିରି କରେଇ ଦେବା ପାଇଁ କହି ଗତ ମେ ମାସ ୨୦ ତାରିଖ ଠାରୁ ଦିଲ୍ଲୀ ନେଇ ଯାଇଥିଲେ । ସେଠାରେ ଏକ ମାସ କାମ କରିବାପରେ ସେହି ୪ ଜଣ ଯୁବକ ଦରମା ମାଗିବାରୁ ମାଲିକ ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ଦିଲ୍ଲୀରେ ଥିବା ଆଉ ଏକ ଦଲାଲ ସହାୟତାରେ ରାଜସ୍ଥାନର ବୈଶାଳୀ ନଗରରେ ଏକ ଆଇସକ୍ରିମ କମ୍ପାନୀରେ ଦାଦନ ଖଟାଉ ଥିବା ପରିବାର ଲୋକେ ପାଟଣା ଥାନାରେ ଅଭିଯୋଗ କରିଥିଲେ । ଏପରିକି ଏହି ମାମଲାରେ ପାଟଣା ବିଧାୟକ ଟଭାସରୁଆ ଗ୍ରାମକୁ ଯାଇ ଯୁବକ ମାନଙ୍କ ପରିବାରକୁ ଭେଟି ଉଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦିଲ୍ଲୀରେ ଫସିଥିବା ୪ଜଣ ଯୁବକ ମଧ୍ୟରୁ ସୋମବାର ମଧ୍ୟାହ୍ନରେ ତିନି ଜଣ ଯୁବକ ରାଜା ମହାରଣା, ଲଗେସ‌ ନାଏକ, ବଳରାମ ମହାକୁଡ଼ ଘରକୁ ଫେରିଥିବା ବେଳେ ସାଗର ମହାକୁଡ଼ ଫେରିନଥିବା ଜଣାପଡିଛି । ଏହି ଘଟଣାରେ ଯୁବକ ମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିବା ପାଟଣା ପୋଲିସକୁ ଅଗଷ୍ଟ ୧୫ତାରିଖ ଟଭାସରୁଆ ଗ୍ରାମରେ ଗ୍ରାମବାସୀଙ୍କ ରୋଷର ଶିକାର ହେବାକୁ ପଡିଥିଲା।

Comments are closed.