୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ-୨୦୧୯ ଆୟୋଜିତ

ଓଡ଼ିଶାର ଲୋକଙ୍କ ଅଭିଯୋଗ ନାହିଁ କି ଅଭାବ ନାହିଁ : ରାଜ୍ୟପାଳ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ରବିବାର ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ପ୍ରସିଦ୍ଧ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥିଭାବେ ଯୋଗଦେଇଥିଲେ।
ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେଇ କହିଛନ୍ତି ଯେ, ଉତ୍କର୍ଷ ସମ୍ମାନରେ ସମ୍ମାନିତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ନୁହେଁ ସାରା ବିଶ୍ବର ଉତ୍କର୍ଷ ଅଟନ୍ତି। ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପାରଦର୍ଶିତା ଦେଖାଇ କେବଳ ରାଜ୍ୟରେ ନୁହେଁ ସାରା ବିଶ୍ବରେ ନିଜର ଉତ୍କର୍ଷ ପରିଚୟ ଦେଇ ପାରିଛନ୍ତି। ଏଭଳି ଏକ ସମ୍ମାନ ସମାରୋହରେ ଯୋଗଦେଇ ମୁଁ ନିଜକୁ ଉତ୍କର୍ଷ ମନେ କରୁଛି ବୋଲି ରାଜ୍ୟପାଳ କହିଛନ୍ତି। ଏଥିସହିତ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ, ଓଡ଼ିଶାର ଲୋକଙ୍କ ଅଭିଯୋଗ ନାହିଁ କି ଅଭାବ ନାହିଁ।
ସମାଜର ଉନ୍ନତି କେବଳ ଅର୍ଥନୀତି ଦ୍ବାରା ବୃଦ୍ଧି ହୋଇନଥାଏ। ସଂସ୍କୃତି, ସାହିତ୍ୟ ଓ ଐତିହ୍ୟର ଅଭିବୃଦ୍ଧି ମଧ୍ୟ ସମାଜର ଉନ୍ନତିରେ ସାହାଯ୍ୟ କରିଥାଏ। ଏହି ଉତ୍ସବରେ ପୁରସ୍କୃତ ହୋଇଥିବା ବ୍ୟକ୍ତିଗଣ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜ ଉତ୍କର୍ଷ ପାରଦର୍ଶିତା ଦେଖାଇଥିବାରୁ ସେମାନେ ଆଜି ଏହି ଉତ୍କର୍ଷ ସମ୍ମାନ ପାଇଛନ୍ତି ବୋଲି ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର କହିଛନ୍ତି।
ଏହି ଉତ୍ସବରେ ୧୭ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେଶର ଗଣେଶୀଲାଲ, ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ଓଡ଼ିଆ ମିଡିଆ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।
ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ରେ ପୁରସ୍କୃତ ହୋଇଥିବା ୧୭ଜଣ ପ୍ରାପକ ହେଲେ ସଂଗୀତରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନସାହୁ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜସେବାରେ ଶ୍ରୀଜଗଦାନନ୍ଦ, ସାହିତ୍ୟରେ ଶ୍ରୀହରପ୍ରସାଦ ଦାସ, ନାଟକ କ୍ଷେତ୍ରରେ ଶ୍ରୀଅଜିତ ଦାସ, ସିନେମାରେ ଶ୍ରୀମତୀ ମହାଶ୍ବେତା ରାୟ, ଲୋକସେବାରେ ଶ୍ରୀଅରୁଣ ବୋଥ୍ରା, କ୍ରୀଡ଼ାରେ ଶ୍ରୀମତୀ ଅନୁରାଧା ବିଶ୍ବାଳ, ସାମ୍ବାଦିକତାରେ ଶ୍ରୀସନ୍ଦୀପ ସାହୁ, ଉଦ୍ୟୋଗ କ୍ଷେତ୍ରରେ ଶ୍ରୀଜଗଦୀଶ ପ୍ରସାଦ ନାୟକ, ପ୍ରେରଣା କ୍ଷେତ୍ରରେ ଶ୍ରୀ ଅରୁଣ କୁମାର ସାବତ, ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ବ କ୍ଷେତ୍ରରେ ପ୍ରିୟଦର୍ଶୀ ନାନୁପାଣି, ଶିକ୍ଷା କ୍ଷେତ୍ରରେ ଶ୍ରୀମତୀ ସବିତା ପଟ୍ଟନାୟକ, ପ୍ରଯୁକ୍ତିବିଜ୍ଞାନ କ୍ଷେତ୍ରରେ ଶ୍ରୀ ପ୍ରଶାନ୍ତ ସାହୁ ଓ ସଂପଦ ପରିଚାଳନା କ୍ଷେତ୍ରରେ ଶ୍ରୀତ୍ରିନାଥ ଲେଙ୍କା।
ଅନୁରୂପଭାବେ ତିନୋଟି ଅନୁଷ୍ଠାନ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। କର୍ପୋରେଟ୍ ସାମାଜିକ ଦାୟିତ୍ବ (ସିଏସ୍ଆର) କ୍ଷେତ୍ରରେ ଜାତୀୟ ଇସ୍ପାତ କମ୍ପାନୀ ନାଲ୍କୋ, ପ୍ରଶିକ୍ଷଣ କ୍ଷେତ୍ରରେ ବାଜିରା ଓ ଆଇଏଏସ୍ଏକାଡେମୀ ଓ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସାଉଥ୍ ଓଡ଼ିଶା ଭଲ୍ୟୁଣ୍ଟାରୀ ଆକ୍ସନ (ସୋଭା) ଓଡ଼ିଶା ଉତ୍କର୍ଷ ସମ୍ମାନ୨୦୧୯ ଗ୍ରହଣ କରିଛନ୍ତି।
ରାଜ୍ୟର ଜଣାଶୁଣା ପ୍ରତିଭା ଓ ଅନୁଷ୍ଠାନ ସମେତ ସଫଳ ଓ ନିରବ ସାଧକଙ୍କୁ ଗୋଟି ଏମଞ୍ଚରେ ଏକାଠି କରି ସେମାନଙ୍କ ଉତ୍କର୍ଷତା ରଜୟ ଗାନ କରିବା ଏହି ସମ୍ମାନ ସମାରୋହର ଉଦ୍ଦେଶ୍ୟ ବୋଲି ଓଡ଼ିଆ ମିଡିଆ ନିର୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି। ଏହି ଅବସରରେ ସମ୍ମାନିତ ବ୍ୟକ୍ତିତ୍ବ ଓ ଅନୁଷ୍ଠାନ ବାବଦରେ ଉଲ୍ଲେଖ ଥାଇ ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା।
କେନ୍ଦ୍ର ସରକାରଙ୍କ ଦ୍ବାରା ଷ୍ଟାର୍ଟ ଅପ୍ ସ୍ବୀକୃତି ପ୍ରାପ୍ତ ଓଡ଼ିଆ ମିଡିଆ ବର୍ଷ ତମାମ୍ଜାତୀୟ ଓ ରାଜ୍ୟସ୍ତରୀୟ ଏକାଧିକ ଉତ୍ସବ ଆୟୋଜନ କରିଥାଏ। ସେଥିମଧ୍ୟରେ ରହିଛି କୋରାପୁଟ ସାହିତ୍ୟ ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ଯୁବସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ଓଡ଼ିଶା ମିଡିଆ କନକ୍ଲେଭ୍ ଓ ପେନ୍ଇନ୍ବୁକ୍ସଯୁବ ଲେଖକ ସମ୍ମାନ। ଏହି ସମ୍ମାନ ସମାରୋହରେ ବହୁ ସଂଖ୍ୟାରେ ଯୋଗଦେଇ ଥିବା ଆଗ୍ରହୀ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।

Comments are closed.