ବଜ୍ରାଘାତରେ ଜଣେ ମୃତ ଜଣେ ଗୁରୁତର

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରାଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ଇନ୍ଦ୍ରାବତି ଜଳ ଭଣ୍ଡାର ଅଞ୍ଚଳରେ ଥିବା ତଲନାଗୀ ପଞ୍ଚାୟତ ଅନ୍ତର୍ଗତ ବାଗବେଡା ଗ୍ରାମର ମନଧର ମାଝୀ(୨୬) ଓ ସୋମନାଥ ମାଝୀ(୨୫) ନିକଟସ୍ଥ ଜଙ୍ଗଲକୁ କିଛି ଜାଳେଣୀ ସଂଗ୍ରହ ପାଇଁ ଯାଇଥିଲେ। ଜଙ୍ଗଲରୁ ଜାଳେଣୀ ଧରି ଅପରାହ୍ନରେ ଘରକୁ ଫେରୁଥିବା ବେଳେ ହଠାତ କାଳ ବୈଶାଖି ପ୍ରଭାବରୁ ପବନ ଓ ବର୍ଷା ସହିତ ବିଜୁଳି ମାରିଥିଲା। ଦୁଇ ଯୁବକ ଜୀବନ ବିକଳରେ ଧରିଥିବା ଜାଳେଣୀକୁ ଫିଙ୍ଗି ଦେଇ ଘର ପଟକୁ ଦୌଡି ଆସୁଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହେଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନବରଙ୍ଗପୁର ଜିଲା ଅଧିନସ୍ଥ ଖାତିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ମନଧରର ମୃତ୍ୟୁ ହେଇଯାଇଥିବା ଡାକ୍ତର ସୂଚନା ଦେଇଥିଲେ। ଅନ୍ୟପଟେ ଗୁରୁତର ହେଇଥିବା ସୋମନାଥକୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ କୋରାପୁଟ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଥୁଆମୁଳ ରାମପୁର ଥାନା ତରଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତ ମନଧରର ଶବକୁ ବୁଧବାର ଦିନ ବ୍ୟବଚ୍ଛେଦ କରାଯିବ।

Comments are closed.