୨୬/୧୧ ମୁମ୍ବଇ ଆକ୍ରମଣକୁ ପୂରିଲା ୧୧ ବର୍ଷ; ମନେ ପଡିଲେ ଆଜି ବି ଥରି ଉଠେ ହୃଦୟ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବଇ ଆକ୍ରମଣକୁ ଆଜି ୧୧ ବର୍ଷ ପୂରଣ ହୋଇଛି। ଭାରତୀୟ ଇତିହାସର ଏହା ହେଉଛି ଏପରି ଏକ କଳା ଦିବସ, ଯାହାକୁ କେହି କେବେ ଭୁଲି ପାରିବେ ନାହିଁ। ଲଶ୍କର-ଏ-ତଇବାର ମାତ୍ର ୧୦ ଜଣ ଆତଙ୍କବାଦୀ ୧୬୦ରୁ ଅଧିକ ଲୋକଙ୍କୁ ଶ୍ମଶାନ ଘାଟରେ ଶୁଆଇ ଦେଇଥିଲେ । ଏଥିରେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୬/୧୧ ମୁମ୍ବଇ ଆକ୍ରମଣ କଥା ମନେ ପଡିଲେ ଆଜି ବି ଲୋକଙ୍କ ହୃଦୟ ଥରି ଉଠେ। ଏଥିରେ ସହିଦ ହୋଇଥିବା ଯବାନ ଓ ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ମନେ ପକାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମରୀନ ଡ୍ରାଇଭସ୍ଥିତ ପୁଲିସ ମେମୋରିଆଲକୁ ଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ଥିଲା ସେଦିନର ଘଟଣା….

୧. ସମୁଦ୍ର ପଥରେ କରାଚିରୁ ଆସିଥିଲେ ମୁମ୍ବଇ ଆକ୍ରମଣକାରୀ: ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ଲଶ୍କର-ଏ-ତଇବାର ୧୦ ଜଣ ଆକ୍ରମଣକାରୀ କରାଚୀରୁ ସମୁଦ୍ର ପଥ ଦେଇ ମୁମ୍ବଇରେ ପ୍ରବେଶ କରିଥିଲେ। ସେମାନେ ଆସିଥିବା ନୌକାରେ ୪ ଜଣ ଭାରତୀୟ ଥିଲେ। ମୁମ୍ବଇରେ ପହଞ୍ଚିବା ବେଳକୁ ସେମାନଙ୍କୁ ହତ୍ୟା କରି ଦେଇଥିଲେ। ରାତି ପ୍ରାୟ ୮ଟାରେ ଆକ୍ରମଣକାରୀମାନେ କୋଲାବ ନିକଟରେ ଥିବା କଫ୍ ପରେଡ ମାଛ ବଜାରରେ ପହଞ୍ଚିଥିଲେ। ପରେ ସେମାନେ ସେଠାରୁ ୪ଟି ଦଳରେ ଭାଗ ହୋଇ ଷଡଯନ୍ତ୍ରକୁ ସଫଳ ରୂପ ଦେବାକୁ ଯାତ୍ରା ଆରମ୍ଭ କରିଥିଲେ।

୨. ମତ୍ସ୍ୟଜୀବୀଙ୍କୁ ହୋଇଥିଲା ସନ୍ଦେହ: ମୁମ୍ବଇରେ ପହଞ୍ଚିଥିବା ୧୦ ଜଣ ଆକ୍ରମଣକାରୀଙ୍କ ଉପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସନ୍ଦେହ ହୋଇଥିଲା। ଏନେଇ ସେମାନେ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ବର ଭାବେ ନେଇ ନ ଥିଲେ। ସ୍ଥାନୀୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଦୂର କଥା ଏ ନେଇ କୌଣସି ଉଚ୍ଚପଦଦସ୍ଥ ଅଧିକାରୀଙ୍କୁ ବା ଗୁଇନ୍ଦା ବିଭାଗକୁ ମଧ୍ୟ ଜଣାଇ ନ ଥିଲା।

୩. ମାତ୍ର ଦୁଇ ଆକ୍ରମଣକାରୀ ୫୨ ଜଣଙ୍କୁ ହତ୍ୟା କରିଥିଲେ: ରାତି ପ୍ରାୟ ସାଢେ ୯ଟାରେ ମୁମ୍ବଇର ଛତ୍ରପତି ଶିବାଜୀ ଟର୍ମିନଲରେ ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା। ମୁମ୍ବଇର ଏହି ଐତିହାସିକ ରେଲୱେ ଷ୍ଟେଶନର ମୁଖ୍ୟ ହଲରେ ଦୁଇ ଜଣ ଆକ୍ରମଣକାରୀ ଅର୍ତକିତ ଭାବେ ଗୁଳି ବର୍ଷା କରାଇଥିଲେ। ଉଭୟଙ୍କ ହାତରେ ଏକେ ୪୭ ରାଇଫଲ ଥିଲା ଏବଂ ୧୫ ମିନିଟ୍ ମଧ୍ୟରେ ସେମାନେ ୫୨ ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିରେ ୧୦୯ ଜଣ ଗୁରୁତର ଆହତ ହୋଇଥିଲେ।

୪. ମୁମ୍ବଇର ଅନେକ ସ୍ଥାନରେ ହୋଇଥିଲା ଗୁଳିବର୍ଷା: ଆତଙ୍କବାଦୀଙ୍କ ଆକ୍ରମଣ କେବଳ ଶିବାଜୀ ଟର୍ମିନାଲରେ ସୀମିତ ନ ଥିଲା। ଦକ୍ଷିଣ ମୁମ୍ବଇର ଲିୟୋପୋଲ୍ଡ କାଫେରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହା ମୁମ୍ବଇର ନାମୀଦାମୀ ରେସ୍ତୋରାଁ ମଧ୍ୟରୁ ଗୋଟିଏ। ସେଠାରେ ହୋଇଥିବା ଆକ୍ରମଣରେ ମୋଟ୍ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ଥିବା ଜଣାପଡିଥିଲା। ୧୮୭୧ ମସିହାରୁ ବିଦେଶୀ ଅତିଥିଙ୍କୁ ସେବା ଯୋଗାଇ ଆସୁଥିବା ଲିୟୋପୋଲ୍ଡ କାଫେର କାନ୍ଥରେ ଥିବା ସେହି ଗୁଳି ଚିହ୍ନ ଆଜି ବି ୨୬/୧୧ ମୁମ୍ବଇ ଆକ୍ରମଣକୁ ମନେ ପକାଇ ଦିଏ।

୫. ପ୍ରଥମେ ମିଳିଥିଲା ଟ୍ୟାକ୍ସି ବିସ୍ଫୋରଣର ସୂଚନା: ରାତି ପ୍ରାୟ ୧୦ଟା ୪୦ ମିନିଟରେ ପାରଲେ ଅଞ୍ଚଳରେ ଏକ ଟ୍ୟାକ୍ସିରେ ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା। ଏହି ବିସ୍ଫୋରଣରେ ଟ୍ୟାକ୍ସି ଚାଳକ ସମେତ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହାର ୧୫-୨୦ ମିନିଟ୍‌ ପୂର୍ବରୁ ବୋରି ବନ୍ଦରରେ ଏକ ବିସ୍ଫୋରଣ ହୋଇଥିଲା। ସେହି ବିସ୍ଫୋରଣରେ ମଧ୍ୟ ଜଣେ ଟ୍ୟାକ୍ସି ଚାଳକଙ୍କ ସମେତ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୫ ଜଣ ଆହତ ହୋଇଥିଲେ।

୬. ୨୬/୧୧ ଆକ୍ରମଣର ୩ଟି ପ୍ରମୁଖ ସ୍ଥାନ: ଆତଙ୍କବାଦୀଙ୍କ ବର୍ବର କାଣ୍ଡ ଏତିକିରେ ଶେଷ ହୋଇ ନ ଥିଲା। ମୁମ୍ବଇର ୩ଟି ପ୍ରମୁଖ ସ୍ଥାନ ତାଜ୍ ହୋଟେଲ, ଓବେରୟ ଟ୍ରାଇଡେଣ୍ଟ ହୋଟେଲ ଏବଂ ନରୀମନ ହାଉସକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ। ଆକ୍ରମଣ ହେବା ସମୟରେ ତାଜରେ ୪୫୦ ଏବଂ ଓବେରୟ ଟ୍ରାଇଡେଣ୍ଟରେ ୩୮୦ ଜଣ ଅତିଥି ଉପସ୍ଥିତ ଥିଲେ। ବିଶେଷ କରି ଅକ୍ରମଣ ସମୟରେ ତାଜ୍ ହୋଟେଲରୁ ବାହାରୁ ଥିବା ଧୂଆଁର ଦୃଶ୍ୟ ୨୬/୧୧ ଆକ୍ରମଣର ପରିଚୟ ପାଲଟିଥିଲା।

୭. ଗଣମାଧ୍ୟମରେ ଲାଇଭ୍ କଭରେଜ ଆକଙ୍କବାଦୀଙ୍କୁ କରିଥିଲା ସାହାଯ୍ୟ: ଆକ୍ରମଣର ପର ଦିନ ଅର୍ଥାତ୍ ନଭେମ୍ବର ୨୭ରେ ଖବର ମିଳିଥିଲା ଯେ, ତାଜରେ ବନ୍ଧକ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡିଲା ଆକ୍ରମଣକାରୀମାନେ ଏବେ ସୁଦ୍ଧା କିଛି ଲୋକଙ୍କୁ ବନ୍ଦୀ ରଖିଛନ୍ତି। ଆରପିଏଫ୍‌, ଏନ୍ଏସ୍‌ଜି ଏବଂ ମାରିନ୍‌ କମାଣ୍ଡୋ ଆକ୍ରମଣ ସମୟରେ ଦୁଇଟି ଯାକ ହୋଟେଲକୁ ଘେରି ରହିଥିଲେ । ଏହି ସମୟରେ ମିଡିଆର ଲାଇଭ୍ କଭରେଜ ଆକଙ୍କବାଦୀଙ୍କୁ କିଛି ମାତ୍ରାରେ ସାହାଯ୍ୟ କରିଥିଲା ବୋଲି କୁହାଯାଏ। କାରଣ ହୋଟେଲରେ ଥିବା ଆତଙ୍କବାଦୀମାନେ ଟିଭି ମାଧ୍ୟମରେ ହୋଟେଲ ବାହାର ଦୃଶ୍ୟ ଦେଖିପାରୁଥିଲେ ଏବଂ ପୁଲିସ କାର୍ଯ୍ୟାନୁଷ୍ଠାନ ବିଷୟରେ ଜାଣି ପାରୁଥିଲେ।

୮. ଲଗାତାର ୩ ଦିନ ଆତଙ୍କବାଦୀଙ୍କ ସହ ଲଢିଥିଲେ ସୁରକ୍ଷାକର୍ମୀ: ଲଗାତାର ୩ ଦିନ ଧରି ତାଜ୍ ହୋଟେଲରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀ ଲଢିଥିଲେ। ଏହି ସମୟ ମଧ୍ୟରେ ବିସ୍ଫୋରଣ ହୋଇଥିଲା, ନିଆଁ ଲାଗିଥିଲା ଏବଂ ଗୁଳି ବର୍ଷଣ ମଧ୍ୟ ହୋଇଥିଲା। ସମୟକ୍ରମେ ବନ୍ଧକ ଥିବା ଲୋକଙ୍କ ସୁରକ୍ଷାକୁ ନେଇ ଆଶା ମଉଳିବାରେ ଲାଗିଥିଲା। କେବଳ ଭାରତୀୟଙ୍କ ନୁହେଁ ବଂର ସାରା ବିଶ୍ବର ନଜର ଏହି ଘଟଣା ଉପରେ ରହିଥିଲା।

୯. ଆକ୍ରମଣ ସମୟରେ ହୋଟେଲରେ ଅନେକ ଖ୍ୟାତାନାମା ବ୍ୟକ୍ତି ଥିଲେ: ଆକ୍ରମଣ ସମୟରେ ଅନ୍ତର୍ଜାତୀୟ ବ୍ୟପାର ପାଇଁ ଭାରତ ଆସିଥିବା ୟୁରୋପୀୟ ସଂଘର ସଂସଦୀୟ ସମିତିର ଅନେକ ସଦସ୍ୟ ତାଜ ହୋଟେଲରେ ଉପସ୍ଥିତ ଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କାହାର କିଛି କ୍ଷତି ହୋଇ ନ ଥିଲା ବା କେହି ମୃତାହତ ହୋଇ ନ ଥିଲେ। ଏହା ସହ ଓବେରୟ ହୋଟେଲରେ ମଧ୍ୟ କିଛି ବିଶିଷ୍ଟ ଲୋକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଭାରତୀୟ ସାଂସଦ ଏନଏନ କୃଷ୍ଣଦାସ ଥିଲେ। ସେ ବ୍ରିଟିଶର ଖ୍ୟାତାନାମା ବ୍ୟବସାୟୀ ଗୁଲାମ ନୁନଙ୍କ ସହ ରାତ୍ରି ଭୋଜନ ପାଇଁ ଯାଇଥିଲେ।

୧୦. ନରୀମନ ହାଉସକୁ ଆତଙ୍କବାଦୀମାନେ କବ୍‌ଜାରେ ରଖିଥିଲେ: ମୁମ୍ବଇର ୟହୁଦିୟା ସମ୍ପ୍ରଦାୟର ମୁଖ୍ୟ ସ୍ଥାନ ନରୀମନ ହାଉସ ଉପରେ ଆକ୍ରମଣ କରି ନିଜ କବ୍‌ଜାରେ ରଖିଥିଲେ ଆତଙ୍କବାଦୀ। କେତେକ ଲୋକଙ୍କୁ ମଧ୍ୟ ବନ୍ଧକ କରି ରଖିଥିଲେ। ପରେ ଏନଏସଜି କମାଣ୍ଡୋ ନରୀମନ ହାଉସ ମଧ୍ୟରେ ପଶି ଆକ୍ରମଣକାରୀଙ୍କୁ ମାରିବା ସହ ସାଧାରଣ ଜନତାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଏଥିରେ ଜଣେ ଏନଏସଜି କମାଣ୍ଡୋଙ୍କ ପ୍ରାଣହାନି ଘଟିଥିଲା।

୧୧. ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା: ନଭେମ୍ବର ୨୯ ସକାଳ ପର୍ଯ୍ୟନ୍ତ ୯ ଜଣ ଆକ୍ରମଣକାରୀଙ୍କୁ ଭାରତୀୟ ସେନା ନିପାତ କରି ସାରିଥିଲା। ଅଜମଲ କସାବ ନାମକ ଜଣେ ଆକଙ୍କବାଦୀକୁ ପୁଲିସ ଗିରଫ କରିଥିଲା। ସେତେବେଳକୁ ସ୍ଥିତି ପୁରା ନିୟନ୍ତ୍ରଣକୁ ଆସି ଯାଇଥିଲେ ମଧ୍ୟ ୧୬୦ରୁ ଅଧିକ ଲୋକଙ୍କ ଜୀବନ ହାନି ହୋଇ ସାରିଥିଲା। ପରେ ୨୦୧୨ ନଭେମ୍ବର ୨୧ରେ କସାବକୁ ଫାଶୀ ଦିଆଯାଇଥିଲା।

Comments are closed.