ରାଜ୍ୟସଭାର ୨୫୦ତମ ଅଧିବେଶନ : ବିବିଧତାରେ ଏକତା ରାଜ୍ୟସଭାରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି – ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତର ବିବିଧତାରେ ଏକତା ରାଜ୍ୟସଭାରେ ଅତି ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି । ରାଜ୍ୟସଭାର ୨୫୦ତମ ଅଧିବେଶନ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଭାରତୀୟ ରାଜନୀତିରେ ରାଜ୍ୟସଭାର ଭୂମିକା ଓ ରାଜ୍ୟସଭାରେ ସଂସ୍କାର ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ବିଧାନର ପ୍ରଣେତାମାନେ ଏକ ଦୁଇ ସଦନ ବିଶିଷ୍ଟ ବ୍ୟବସ୍ଥାପିକା ଢାଞ୍ଚା ଗଠନ କରିଯାଇଛନ୍ତି ଓ ଏହା ଦେଶର ଗଣତନ୍ତ୍ରକୁ ସମୃଦ୍ଧ କରିଆସୁଛି।

ଶ୍ରୀ ମୋଦୀ କହିଛନ୍ତି, ଯେଉଁମାନେ ନିର୍ବାଚନ ରାଜନୀତିଠାରୁ ଦୂରେଇ ରହି ଦେଶ ଗଠନରେ ଓ ଦେଶର ବିକାଶରେ ଅବଦାନ ଦେବାକୁ ଚାହାନ୍ତି, ରାଜ୍ୟସଭା ସେମାନଙ୍କୁ ଏହି ସୁଯୋଗ ଦେଇଥାଏ। ସେ କହିଛନ୍ତି, କେବଳ ରାଜ୍ୟସଭା ମାଧ୍ୟମରେ ଡକ୍ଟର ବି.ଆର୍‍. ଆମ୍ବେଦକରଙ୍କ ଭଳି ମହାନ୍‍ ବିଦ୍ୱାନ୍‍ ବ୍ୟକ୍ତିଙ୍କର ଦେଶର ବିକାଶରେ ଅନେକ ଅବଦାନ ରହିଛି। ଶ୍ରୀ ମୋଦୀ କହିଛନ୍ତି, ଏକ ଜନକଲ୍ୟାଣକାରୀ ରାଷ୍ଟ୍ର ଗଠନ ଦିଗରେ କାର୍ଯ୍ୟ କରିବାକୁ ସମ୍ବିଧାନ ପ୍ରତ୍ୟେକଙ୍କୁ ଉତ୍ସାହିତ କରିଥାଏ। ସେ ପୁଣି କହିଛନ୍ତି,
ରାଜ୍ୟଗୁଡ଼ିକର ପରିଷଦ ଭାବେ ରାଜ୍ୟସଭା ମଧ୍ୟ ପାର୍ଲାମେଣ୍ଟାରିଆନ୍‍ମାନଙ୍କୁ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ଭାବନାକୁ ଆଗକୁ ଆଗେଇ ନେବାରେ ସାହାଯ୍ୟ କରିଥାଏ। ଶ୍ରୀ ମୋଦୀ କହିଛନ୍ତି, ତିନିବାର ତଲାକ୍‍, ସାଧାରଣ ବର୍ଗର ଅର୍ଥନୈତିକ ଅନଗ୍ରସର ଶ୍ରେଣୀକୁ ସଂରକ୍ଷଣ, ସାମଗ୍ରୀ ଓ ସେବାକର ଏବଂ ଧାରା ୩୭୦ର ଉଚ୍ଛେଦ ଭଳି ଅନେକ ଐତିହାସିକ ବିଲ୍‍
ରାଜ୍ୟସଭାରେ ଗୃହୀତ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟସଭା ଏକ ଦ୍ୱିତୀୟ ସଦନ, ଏହା ଏକ ଗୌଣ ସଦନ ନୁହେଁ। ସେଦୃଷ୍ଟିରୁ ଭାରତର ବିକାଶ ପାଇଁ ଏହା ଏକ ସହାୟକ ସଦନ ଭାବେ ରହିବା ଅତ୍ୟନ୍ତ ଅପରିହାର୍ଯ୍ୟ। ଜାତୀୟ ସ୍ୱାର୍ଥ ଓ ଆଞ୍ଚଳିକ ସ୍ୱାର୍ଥ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉପରେ ଗୁରୁତ୍ୱ ଆରୋପ କରି ଶ୍ରୀ ମୋଦୀ କହିଛନ୍ତି, ରାଜ୍ୟସଭା ସଦସ୍ୟମାନେ ପ୍ରତିବନ୍ଧକ ସୃଷ୍ଟି କରିବା ପରିବର୍ତ୍ତେ ଜନକଲ୍ୟାଣକାରୀ ବିଷୟଗୁଡ଼ିକରେ ଆଲୋଚନାକୁ ପ୍ରଶ୍ରୟ ଦେବା ଉଚିତ।

Image source : timesofindia.indiatimes.com

ରାଜ୍ୟସଭା ଆଲୋଚନାରେ ଅଂଶଗ୍ରହଣ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ କହିଛନ୍ତି, ଏକ ସଂଖ୍ୟାଗରିଷ୍ଠ ସରକାରରେ ରାଜ୍ୟସଭା ଭାରସାମ୍ୟ ରକ୍ଷା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଓ ରାଜ୍ୟଗୁଡ଼ିକର ସ୍ୱାର୍ଥର ସୁରକ୍ଷା କରିଥାଏ। ଟିଏମ୍‍ସିର ସୁଖେନ୍ଦୁ ଶେଖର ରାୟ ବିତର୍କରେ ଅଂଶଗ୍ରହଣ କରି ରାଜ୍ୟସଭାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି।

ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ କହିଥିଲେ, ଦେଶର ସାମାଜିକ ଅର୍ଥନୈତିକ ରୂପାନ୍ତରଣରେ ପାର୍ଲାମେଣ୍ଟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ସେ କହିଥିଲେ, ୧୯୫୨ ମସିହା ମେ ମାସରେ ରାଜ୍ୟସଭାର ପ୍ରଥମ ଅଧିବେଶନଠାରୁ ଏହା ୬୭ ବର୍ଷ ପୂରଣ କରିସାରିଛି। ସଭାକାର୍ଯ୍ୟ ସୁଚାରରୂପେ ପରିଚାଳନା ପାଇଁ ବିତର୍କରେ ଅଂଶଗ୍ରହଣ କରି ଫଳପ୍ରଦ ଉପାୟ
ଓ ପ୍ରସ୍ତାବମାନ ଦେବାକୁ ସେ ସଦସ୍ୟମାନଙ୍କୁ ନିବେଦନ କରିଥିଲେ।

Comments are closed.