ଫେରିଛି ଆନ୍ଥ୍ରାକ୍ସ – ବୈପାରିଗୁଡ଼ାରେ ୨୨ ଆକ୍ରାନ୍ତ

ବୈପାରିଗୁଡ଼ା: ବୈପାରିଗୁଡ଼ାକୁ ପୁଣି ଫେରିଛି ଆନ୍ଥ୍ରାକ୍ସ। ଏହି ମାରାତ୍ମକ ରୋଗରେ ଗୋଟିଏ ଗ୍ରାମର ୨୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ରୋଗରୁ ଉପଶମ ପାଇଁ ରୋଗୀ ଜଡ଼ିବୁଟିର ଦେଶୀ ଚିକିତ୍ସା ଚଳାଇଥିବା ଜଣାଯାଇଛି। ଏପରି ଘଟଣା ଘଟିଛି ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ମାଠପଡ଼ା ପଞ୍ଚାୟତର ରୁପୁଗୁଡ଼ା ଗ୍ରାମରେ। ଗ୍ରାମର କନ୍ଧ ସାହିରେ ଏପରି ଆକ୍ରାନ୍ତ ହୋଇ ରୋଗୀ ଥିବା ବେଳେ ଡାକ୍ତରୀ ଚିକିତ୍ସା ପାଇଁ ଏମାନେ ଆସୁ ନ ଥିବା ଜଣାଯାଇଛି। ଆକ୍ରାନ୍ତମାନେ ହେଲେ ଏହି ଗ୍ରାମର ବୀଣା ଗୋଲରି(୨୪), ଜୟରାମ ଗୋଲରି(୧୨), ରାଜୀବ ଗୋଲରି(୩୫), ଭଗବତୀ ଗୋଲରି (୩୦), ଭିକାରୀ ଗୋଲରି (୪୫), ଧନିବ ଗୋଲରି (୧୪), ବାସୁ ସାଫା (୨୮), ମଙ୍ଗୁଳୁ ଖିଲ (୪୦), ସନେ ଗୋଲରି(୫୦), ସାଧବ ଗୋଲରି(୫୫), ଜାମ୍ବ ଖିଲ (୨୫), ଦୀପାଇ ଖରା (୧୨) ଓ ଲକ୍ଷ୍ମୀ ଖରା (୨୨)। ଏମାନଙ୍କ ବ୍ୟତୀତ ଗ୍ରାମରେ ଆଉ କିଛି ଲୋକଙ୍କୁ ମଧ୍ୟ ଏହି ରୋଗ ହୋଇଥିବା ଜଣାଯାଇଛି। ସଚେତନତାର ଅଭାବ କାରଣରୁ ଲୋକମାନେ ସୁଖାଇ ରଖିଥିବା ମାଂସ ଖାଇବା ଫଳରେ ଏପରି ରୋଗ ବ୍ୟାପିଥିବା ସାଧାରଣରେ ଆଲୋଚନା ହେଉଛି।

ରୁପୁଗୁଡ଼ା ଗ୍ରାମଟି ବୈପାରିଗୁଡ଼ାରୁ ମାତ୍ର ୧୬କି.ମି ଦୂରରେ ଅବସ୍ଥିତ। ଗ୍ରାମରେ ଅଙ୍ଗନବାଡ଼ି କର୍ମୀଙ୍କ ସହ ଆଶା କର୍ମୀ ମଧ୍ୟ ରହିଛନ୍ତି। ସ୍ୱାସ୍ଥ୍ୟଗତ ଖବର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ଏମାନଙ୍କ କାମ। ସେହିପରି ଏଏନ୍‍ଏମ ମଧ୍ୟ ଗ୍ରାମ ପରିଦର୍ଶନ କରିବା ସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ମଧ୍ୟ ଲୋକଙ୍କୁ ଯୋଗାଇ ଦିଆଯାଉଛି। ଏତେ ସତ୍ତ୍ବେ ମଧ୍ୟ ଏମାନେ ଅନ୍ଧ ବିଶ୍ୱାସର ଶିକାର ହୋଇ ଦେଶୀ ଜଡ଼ିବୁଟି ଚିକିତ୍ସା ଉପରେ ନିର୍ଭର କରିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଆଜିଯାଏଁ କେହି ବି ସ୍ୱାସ୍ଥ୍ୟକେନ୍ଦ୍ରକୁ ନ ଆସିବା ଆଶ୍ଚର୍ୟ୍ୟ ସୃଷ୍ଟି କରିଛି। ଏମାନଙ୍କ ହାତରେ ବଡ଼ ବଡ଼ ଘା ହୋଇଥିବାବେଳେ ଏହା ଶୁଖିବା ପରିବର୍ତ୍ତେ କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁଁ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ୁଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୨ ବର୍ଷର କିଶୋର କିଶୋରୀଙ୍କ ଠାରୁ ଆରମ୍ଭ କରି ୫୦ – ୫୫ ବର୍ଷର ବୃଦ୍ଧ ବୃଦ୍ଧା ମଧ୍ୟ ଥିବା ଜଣାଯାଇଛି। ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ପ୍ରଭାବିତ ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଇ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ।

Comments are closed.