ଆଇନାରେ ୧୮ ; ରାଜ୍ୟ ରାଜନୀତି

0

ଦିନ କେଇଟା ପରେ ସ୍ମୃତିର ଗର୍ଭକୁ ଚାଲିଯିବ ଦୁଇହଜାର ଅଠର। କେ​‌େତ ଘଟଣା-ଅଘଟଣ, ଉତ୍‌ଥାନ-ପତନ, ଆଶା-ଆଶଙ୍କା ଓ ଆଶ୍ବାସନା-ସମ୍ଭାବନାର କାହାଣୀ ଛିଟା ହୋଇ ରହିଯିବ ଅଠର ଆଇନାରେ। ଅତୀତ ପେଡ଼ିରେ ଅଠରକୁ ସାଇତିବା ପୂର୍ବରୁ ଏହାର କେତେକ ଝଲକ…​‌

ଆଗାମୀ ୨୦୧୯ ସାଧାରଣ ନିର୍ବାଚନର ବର୍ଷ। ୨୦୧୮ର ବାର ମାସ ଭିତରେ ସରକାର ଯୋଜନା ପରେ ଯୋଜନା ଘୋଷଣା କରିଛନ୍ତି। ଆମ ଗଁା ଅାମ ବିକାଶଠାରୁ ଆରମ୍ଭ କରି ଖୁସି, ପିଠା ଓ କାଳିଆ ଭଳି ଯୋଜନା ଦ୍ବାରା ରାଜ୍ୟବାସୀଙ୍କୁ ବାନ୍ଧି ରଖିବାର ପ୍ରୟାସ କରାଯାଉଛି। ରାଜ୍ୟ ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ଦଳରୁ ତୁଙ୍ଗ ନେତା ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା ବିଦା ହେବା ସହିତ ଦଳୀୟ ସଂଗଠନ ପୁନର୍ଗଠନ ଓ ଏହାର ପରିଚାଳନାରେ ସ୍ବଚ୍ଛତା ଆଣିବା ନିମନ୍ତେ ବରିଷ୍ଠ ପ୍ରଶାସକଙ୍କୁ ଦଳରେ ସାମିଲ କରାଯାଇଛି। ତଥାପି ବିରୋଧୀ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଘେରି ରହିଛନ୍ତି।
ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସରେ ନୂଆ ଆଶାର ସଞ୍ଚାର ହୋଇଛି, ମାତ୍ର ବିବାଦ ଥମିନି। ବରିଷ୍ଠ ନେତା ଶ୍ରୀକାନ୍ତ ଓ ଅନ୍ୟ କେତେଜଣଙ୍କ ଭିନ୍ନ ମତ ଦଳୀୟ ଏକତା ପ୍ରତି ଆହ୍ବାନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ରାଜ୍ୟ ରାଜନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦବ୍‌ଦବା ବଢ଼ିଛି। ଦଳୀୟ ସଂଗଠନକୁ ସେ ନୂଆ ଦିଶା ଦେବା ସହିତ କ୍ଷମତାସୀନ ଦଳ ପ୍ରତି ଆହ୍ବାନ ସୃଷ୍ଟି କରିଛନ୍ତି। ବରିଷ୍ଠ ପ୍ରଶାସିକା ଅପରାଜିତାଙ୍କୁ ସାମିଲ କରି ବିଜେପିକୁ ଅଧିକ ମଜଭୁତ କରାଯିବାକୁ ଉଦ୍ୟମ ହୋଇଛି। ହେଲେ ବିଜେପିରୁ ବିଜୟ ଓ ଦିଲୀପଙ୍କ ଇସ୍ତଫା ମଧ୍ୟ କିଛି ମାତ୍ରାରେ ଦଳକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତିନି ପ୍ରମୁଖ ରାଜନୈତିକ ଦଳ ଭିତରେ ଅଳ୍ପବହୁତେ ପରିବର୍ତ୍ତନ ଘଟିଛି। ରାଜ୍ୟ ରାଜନୀତିରେ ଘଟିଥିବା ଏଭଳି ପରିବର୍ତ୍ତନର କିୟଦଂଶ… 

ଓଡ଼ିଶାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ଏ ବର୍ଷ ଓଡ଼ିଶାକୁ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ପାଦ ପଡ଼ିଥିଲା। ମାର୍ଚ୍ଚ ୧୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କଟକ ଗସ୍ତରେ ଆସି ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଲୋକାର୍ପଣ କରିବା ସହିତ ସୁଭାଷ ବୋଷଙ୍କ ଜନ୍ମପୀଠ ପରିଦର୍ଶନ କରିଥିଲେ। ସେହିପରି ଅଗଷ୍ଟ ୨୫ରେ ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ।
ମେ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ବର୍ଷର ରିପୋର୍ଟ କାର୍ଡ ଧରି କଟକ ଆସିଥିଲେ। ସେତେବେଳେ ମହାନଦୀ ସମସ୍ୟା ପାଇଁ ସେ ଓଡ଼ିଶାକୁ ଦାୟୀ କରିଥିଲେ। ସମୁଦ୍ରକୁ ମହାନଦୀରୁ ୫୩ପ୍ରତିଶତ ପାଣି ବହିଯାଉଛି, ହେଲେ ଓଡ଼ିଶା ସରକାର ଏହାର ବିନିଯୋଗ କରିପାରୁନାହାନ୍ତି ବୋଲି ଆରୋପ ଲଗାଇଥିଲେ ସେ। ପୁନର୍ବାର ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡ଼ା ବିମାନବନ୍ଦର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ଅବସରରେ ତାଳଚେର ସାର କାରଖାନା ପୁନଃନିର୍ମାଣର ଶିଳାନ୍ୟାସ କରିଥିଲେ। ଗତକାଲି ମଧ୍ୟ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଆସିଥିଲେ। 

୧୮ ଥିଲା ଯୋଜନାର ବର୍ଷ

* ୨୦୧୮ ଥିଲା ଓଡ଼ିଶା ପାଇଁ ଯୋଜନାର ବର୍ଷ। ବିଦ୍ୟାଳୟ ଛାତ୍ରୀଙ୍କୁ ମାଗଣାରେ ନାପକିନ ଯୋଗାଇବା ପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି ଖୁସି ଯୋଜନା। ଆମ ଗଁା ଆମ ବିକାଶ ଆଉ ଏକ ମାଇଲଖୁଣ୍ଟ।
* ସ୍ବାସ୍ଥ୍ୟସେବାରେ ସାମିଲ ହୋଇଛି ସୁନେତ୍ର, ନିର୍ମଳ ଓ ସମ୍ପୂର୍ଣ୍ଣ ସୁରକ୍ଷା ଯୋଜନା।
* କ୍ୟାବିନେଟ ନିଷ୍ପତ୍ତି କ୍ରମେ ପୂର୍ବତନ ବିଧାୟକଙ୍କ ସ୍ବାସ୍ଥ୍ୟବୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବ୍ଲକ ଗ୍ରାଣ୍ଟ ଉଚ୍ଛେଦକୁ କ୍ୟାବିନେଟ ମୋହର ମାରିଛି। ଗୋପବନ୍ଧୁଙ୍କ ନାମରେ ଘୋଷଣା ହୋଇଛି ସାମ୍ବାଦିକ ସ୍ବାସ୍ଥ୍ୟବୀମା। କର୍ମଜୀବୀ ସାମ୍ବାଦିକ ଓ ତାଙ୍କ ପରିବାରର ୫ଜଣ ସଦସ୍ୟ ଏଥିରେ ସାମିଲ ହୋଇପାରିବେ। ସେମାନଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ସାମ୍ବାଦିକଙ୍କ ପରିବାରକୁ ମିଳିବ ମୃତ୍ୟୁକାଳୀନ ସହାୟତା: କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ପାଇଁ ୪ଲକ୍ଷ ଟଙ୍କା, ଗୃହ, ଗାଡ଼ି ଋଣ ଉପରେ ୩ଭାଗ ଋଣ ଛାଡ଼, ଅକ୍ଷମ ହେଲେ ୨ଲକ୍ଷ ଆର୍ଥିକ ସହାୟତା, ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସରକାର।
* ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଏଥିରେ ରାଜ୍ୟର ୭୦ଲକ୍ଷ ପରିବାର ସୁଫଳ ପାଇବେ, ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁରକ୍ଷା ସହାୟତା। ଅକ୍ଟୋବର ୨ରୁ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି। କ୍ୟାବିନେଟରେ ରାଜ୍ୟ ଆକସ୍ମିକ ପାଣ୍ଠି ପରିମାଣ ୧୪୦୦କୋଟି ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି।
* ମୁଖ୍ୟମନ୍ତ୍ରୀ ସୋନପୁରରୁ ଆରମ୍ଭ କରିଛନ୍ତି ସବୁଜ ମହାନଦୀ ମିଶନ। ୧୬,୫୦୦ ହେକ୍ଟର ଜମିରେ ବନୀକରଣ ଏବଂ ୧୩୦୩ ଗ୍ରାମରେ ୨କୋଟି ଚାରାରୋପଣ ଲକ୍ଷ୍ୟ।
* ଜୁଲାଇ ୨୬ରେ ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ୧୫୧ ଗଁାକୁ ଯୋଗାଯୋଗର ରାସ୍ତା ଫିଟିଛି। ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଘୋଷଣା ଏବଂ ୧୦୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅକ୍ଟୋବର ୧୦ରେ ସତ୍ୟବାଦୀରେ ଓଡ଼ିଶା ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ୧୦କୋଟିର ବ୍ୟୟବରାଦ ହୋଇଛି।
* ଅକ୍ଟୋବର ୨ରୁ ସରକାର ଘୋଷଣା କରିଛନ୍ତି ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା। ୩୪.୪୪ଲକ୍ଷ ପରିବାର ଉପକୃତ ହେବାର ଲକ୍ଷ୍ୟ ରହିଛି।
* ଆଶା କର୍ମୀଙ୍କ ସହାୟତା ରାଶି ବୃଦ୍ଧି କରାଯାଇଛି। ଅବସରବେଳେ ୧୦ରୁ ୨୦ହଜାର ଟଙ୍କା ସହାୟତା ମିଳିବ।
* ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ। ୨୦୧୯ ସୁଦ୍ଧା ଅଧିକ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନର ଲକ୍ଷ୍ୟ ରହିଛି।
* ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ନିର୍ମାଣ କୁସୁମ ଯୋଜନା। ନିର୍ମାଣ ଶ୍ରମିକ ପିଲା ପାଇବେ ବୈଷୟିକ ଶିକ୍ଷା। ଶ୍ରମିକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ୪ଲକ୍ଷ, ସ୍ବାଭାବିକ ମୃତ୍ୟୁ ପାଇଁ ୨ଲକ୍ଷ ଟଙ୍କା ଘୋଷଣା। ଅକ୍ଟୋବର ୨୭ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରିସର ବୃଦ୍ଧି କରାଯାଇଛି। ଅନ୍ୟ ରାଜ୍ୟରେ ଏହାଦ୍ବାରା ମିଳିବ ସ୍ବାସ୍ଥ୍ୟସେବା।
* ନିକଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ପିଠା ଯୋଜନା। ଡି​‌େ​‌ସମ୍ବର ୪ରେ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ, ସବୁ ହସ୍ପିଟାଲ ନିକଟରେ ଥିବା ଆହାର କେନ୍ଦ୍ରରେ ରାତ୍ରିଭୋଜନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଉ ୫ଲକ୍ଷଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

କଂଗ୍ରେସ ପାଇଁ ଅଡୁଆ ଶଗରିଆ-ଶ୍ରୀକାନ୍ତ
କୁନ୍ଦୁଲି ଘଟଣାରେ ନ୍ୟାୟ ନମିଳିବାରୁ ନାବାଳିକା ଆତ୍ମହତ୍ୟା ଘଟଣାରେ ଅତିଷ୍ଠ ହୋଇ ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଶଗରିଆ ଇସ୍ତଫା ଦେଲେ ବୋଲି ଗଣମାଧ୍ୟମରେ କହିଲେ। ଏବଂ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ଶ୍ରୀକାନ୍ତଙ୍କୁ ଦଳର ଇସ୍ତାହାର କମିଟିରୁ କାଢ଼ି ଦିଆଯାଇ ଦଳ ବିରୋଧରେ ମନ୍ତବ୍ୟ ଦେଉଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ବିଚାର କରୁଛି ବୋଲି ଚର୍ଚ୍ଚା ଚାଲିଛି। ରାଜ୍ୟରେ ଦଳିତ ବର୍ଗର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶ୍ରୀକାନ୍ତଙ୍କ ବକ୍ତବ୍ୟ ଦଳ ଭିତରେ ଭିନ୍ନମତ ସୃଷ୍ଟି କରିଛି। ସେହିପରି ଶଗରିଆ ବିଭିନ୍ନ ସମୟରେ ଦେଉଥିବା ବକ୍ତବ୍ୟ ମଧ୍ୟ କଂଗ୍ରେସ ପାଇଁ ଅଡୁଆ ହୋଇଛି। ଆଗକୁ ଦଳ ପକ୍ଷରୁ ଏନେଇ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। 

ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ମୁକୁଟ
ବର୍ଷ ଅାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିିଳିଥିଲା ଆଦର୍ଶ ମୁଖ୍ୟମନ୍ତ୍ରୀ ମୁକୁଟ। ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ(ଏମଆଇଟି)ଠାରେ ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ଜାନୁଆରୀ ୨୨ରେ ନବୀନଙ୍କୁ ଅାଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା। ନବୀନ ଏହି ସମ୍ମାନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ପୁନେଠାରେ ଉତ୍କଳ ଭବନ ଖୋଲିବ ବୋଲି ସେ ଘୋଷଣା କରିଥିଲେ। ସେଠାରୁ ଓଡ଼ିଶା ଫେରିବା ଦିନ ଭୁବନେଶ୍ବରରେ ନବୀନଙ୍କୁ ମିଳିଥିଲା ବିପୁଳ ସମ୍ବର୍ଦ୍ଧନା।

ବିଜୁଙ୍କ ଉପରେ ରଚିତ ପୁସ୍ତକ ଉନ୍ମୋଚନରେ ଜାତୀୟ ନେତାଙ୍କୁ ଏକାଠି କଲେ ନବୀନ

‘ବିଜୁ- ଦ ଟଲ୍‌ ମ୍ୟାନ’ ପୁସ୍ତକ ଉନ୍ମୋଚନ ଥିଲା ଏ ବର୍ଷର ଅନ୍ୟତମ ପ୍ରମୁଖ ଘଟଣା। ଏହି ଉତ୍ସବରେ ତାଙ୍କ ପୁତ୍ର ନବୀନ ଜାତୀୟସ୍ତରର ଖ୍ୟାତନାମା ବ୍ୟକ୍ତିଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଜାତୀୟତାର ବାର୍ତ୍ତା ବାଣ୍ଟିଥିଲେ। ଏ ମଞ୍ଚରେ ଥିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀଙ୍କଠାରୁ ଆରମ୍ଭ କରି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବାମପନ୍ଥ‌ୀ ନେତା ସୀତାରାମ ୟେଚୁରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡ଼ି. ଦେବେଗୌଡ଼ା, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ସମେତ ପ୍ରମୁଖ ପ୍ରତିଭାଧାରୀ ବ୍ୟକ୍ତିବିଶେଷ। ପରେ ଏ ପୁସ୍ତକକୁ ଧରି ନବୀନ ଦିଲ୍ଲୀ ଯିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରିଥି​‌େ​‌ଲ।

ଚର୍ଚ୍ଚାରେ ଅପରାଜିତା
ବିଜେପିରୁ ବିଜୟ ମହାପାତ୍ରଙ୍କ ଇସ୍ତଫା ଦଳୀୟ ରାଜନୀତିରେ ଯେତିକି ହଟଚମଟ ସୃଷ୍ଟି କରିଛି ତା’ଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଦଳରେ ସାମିଲ ହୋଇଥିବା ପୂର୍ବତନ ପ୍ରଶାସିକା ଅପରାଜିତା। ସିଧା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ରଙ୍କ ବାସଭବନରେ ବିଜେପିରେ ମିଶିଥିବା ଅପରାଜିତା ଏବେ ଦଳରେ ଗ୍ରୁପିଜ୍‌ମ ବା ଗୋଷ୍ଠୀ ରାଜନୀତି ବିରୋଧରେ ମୁହଁ ଖୋଲିଛନ୍ତି। ତାଙ୍କର ରୋକ୍‌ଠୋକ ଆଭିମୁଖ୍ୟ ଦଳୀୟ ରାଜନୀତିକୁ କେଉଁ ମୋଡ଼ରେ ପହଞ୍ଚାଇବ ତାହା ଏବେଠୁ ଆକଳନ କରିବା କଷ୍ଟକର। ମାତ୍ର ବିଜେପି ଭିତରେ ଶୃଙ୍ଖଳାର ଅଭାବ ଓ ଗୋଷ୍ଠୀ ରାଜନୀତି ଥିବା ଅନୁଭବ କରି ସେ ଚେତାଇ ଦେଇଛନ୍ତି। ଦଳକୁ ଶୃଙ୍ଖଳିତ କରିବାରେ ଅପରାଜିତା କେତେଦୂର ସକ୍ଷମ ହେବେ- ତାହା ସମୟ କହିବ।

ବିଜେଡିକୁ ଚିଡ଼ାଇଦେଲେ ଦାମ, ବହିଷ୍କୃତ ହେଲେ; ଗଢ଼ିଲେ ନୂଆ ଦଳ

୨୦୧୮ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ ଯଦି କିଏ ସବୁଠୁ ଆଗ ଧାଡ଼ିରେ ଥି‌େ​‌ଲ, ସେ ହେଉଛନ୍ତି ଦାମୋଦର ରାଉତ। ମନ୍ତ୍ରୀ ଓ ବିଜେଡିର ଉପ-ସଭାପତି ଥାଇ ବି ଦାମୋଦର ଦଳର ମୁଖ୍ୟଙ୍କୁ ବେଶ୍‌ ଚିଡ଼ାଇ ଦେଇଥି​‌େ​‌ଲ। ତାଙ୍କୁ ସମ୍ଭାଳିବା ମୁସ୍କିଲ ହେବାରୁ ସଭାପତି ଶେଷରେ ବହିଷ୍କାର କରିବାକୁ ବାଧ୍ୟ ହେଲେ ବୋଲି ରାଜନୈତିକ ମହଲରେ ଏବେ ବି ଚର୍ଚ୍ଚା ହେଉଛି। ସରକାରଙ୍କ ବିିଭିନ୍ନ ଦୁର୍ନୀତି ପଦାକୁ ଆଣିବା, ଦଳରେ ଥାଇ ସରକାରଙ୍କୁ ସମାଲୋଚନା କରି ଅଡ଼ୁଆରେ ପକାଇବା ଅଭିଯୋଗରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଗତ ସେପ୍ଟେମ୍ବର ୧୨ରେ ବହିଷ୍କୃତ କରାଯାଇଥିଲା। ନଭେମ୍ବର ୨୩ରେ ଦାମ ଗଠନ କଲେ ନୂଆ ଦଳ- ବିଜୁ ସମତା କ୍ରାନ୍ତି। ଦାମବାବୁ ଦଳର ପ୍ରଚାର କମିଟି ମୁଖ୍ୟ ରହିବା ସହିତ ବ୍ରଜକିଶୋର ତ୍ରିପାଠୀ ଅଧ୍ୟକ୍ଷ ଓ ପ୍ରଶାନ୍ତ ମିଶ୍ର ହେଲେ ସଭାପତି। ଯଜ୍ଞେଶ୍ବର ବାବୁଙ୍କୁ ମିଳିଲା କାର୍ଯ୍ୟକାରୀ ସଭାପତି ପଦ।

ନିଲମ୍ବନ, ଇସ୍ତଫା ପରେ ବି ବର୍ଷସାରା ଚର୍ଚ୍ଚାରେ ବୈଜୟନ୍ତ
ଚଳିତ ବର୍ଷ ରାଜ୍ୟ ରାଜନୀତିକୁ ଅଧିକାଂଶ ସମୟ ଜଡ଼ାଇ ରଖିଥିଲା ବୈଜୟନ୍ତଙ୍କ କାର୍ଯ୍ୟକଳାପ। ବିଜେଡିକୁ ଆତ୍ମସମୀକ୍ଷାର ପରାମର୍ଶ ଦେବା ପରେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଜାନୁଆରୀ ୨୫ରେ ଦଳରୁ ନିଲମ୍ବନ କରିଥିଲେ। ବୈଜୟନ୍ତ ମେ ୨୮ରେ କେନ୍ଦ୍ରାପଡ଼ା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ପରେ ବିଜେଡି, ଏହାର ସଭାପତି ନବୀନ, ତାଙ୍କ ବ୍ୟକ୍ତିଗତ ସଚିବ ପି.କେ.ପାଣ୍ଡିଆନଙ୍କ ସମେତ ରାଜ୍ୟ ସରକାରଙ୍କ ଭୂମିକାକୁ ସମାଲୋଚନା କରି ଗଣମାଧ୍ୟମ ଜରିଆରେ ବର୍ଷିଥିଲେ।
ଯେଉଁ ପଣ୍ଡା ପରିବାର ଏକଦା ନବୀନଙ୍କ ଏକାନ୍ତ ବନ୍ଧୁ ଥିଲେ ସେ ପରିବାରର ମୁଖିଆ ବଂଶୀଧରଙ୍କ ମୃତ୍ୟୁ ପରେ ନବୀନ ଶେଷ ଦର୍ଶନ ପାଇଁ ଯାଇ ନପାରିବାରୁ ବୈଜୟନ୍ତ ତାଙ୍କୁ ସମାଲୋଚନା କରିଥିଲେ। ବୈଜୟନ୍ତ ଓ ବିଜେଡି ଭିତରେ ତିକ୍ତତା କେବଳ ଏତିକିରେ ସୀମିତ ନଥିଲା। ଓଡ଼ିଶାକୁ ଆସିଥିବା ତାଙ୍କର ବନ୍ଧୁ ଅଭିଜିତ ଆୟାର ମିତ୍ର କୋଣାର୍କ, ଓଡ଼ିଶା ଓ ରାଜ୍ୟର ବିଧାୟକଙ୍କ ବିରୋଧରେ ସମ୍ମାନହାନିଜନକ ଓ ଅରୁଚିକର ମନ୍ତବ୍ୟ ଦେଇଥିବାବେଳେ ଏଥିରେ ବୈଜୟନ୍ତଙ୍କ ଭୂମିକା ମଧ୍ୟ ଚର୍ଚ୍ଚାରେ ଥିଲା। ଚିଲିକା ଜଳରାଶିରେ ଆୟାରଙ୍କୁ ସାଙ୍ଗରେ ଧରି ହେଲିକପ୍ଟର ଉଡାଇବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବାରୁ ତାଙ୍କ କମ୍ପାନୀର ତିନିତିନିଟା ହେଲିକପ୍ଟରକୁ ପୁଲିସ ଜବତ କରିଥିଲା। ଏବେ ସେସବୁ ମୁକୁଳିଛି। ଆୟାର ବିଧାନସଭାରେ ନିଃସର୍ତ୍ତ କ୍ଷମା ମାଗିବା ପରେ ତାଙ୍କୁ କ୍ଷମା କରିଦିଆଯିବା ସହିତ ତାଙ୍କର ଅନୁରୋଧ ଓ ଆବେଦନକୁ ବିଚାର କରି ଅଦାଲତରୁ ସବୁ ମାମଲା ମଧ୍ୟ ପ୍ରତ୍ୟାହାର କରିନିଆଯାଇଛି।

ଟାଣୁଆ ହେଲା ବିଜେଡି ମହିଳା ଶାଖା
ବିଜେଡି ମହିଳା ଶାଖାକୁ ଅଧିକ ଟାଣୁଆ ଓ ଲୋକାଭିମୁଖୀ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବା ସହିତ ନଭେମ୍ବର ୧୧ରେ ବିଜୁ ମହିଳା ଜନତା ଦଳ ପୁନର୍ଗଠନ କରିଛନ୍ତି। ମିନତୀ ବେହେରାଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଦାୟିତ୍ବ ଦିଆଯିବା ସହିତ ଲୋପାମୁଦ୍ରା ମହାନ୍ତି, ଶ୍ରୀମୟୀ କର, ସୁଲୋଚନା ଦାସ ଓ ଗୀତାଞ୍ଜଳିଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରମିଳା ମଲ୍ଲିକ ହୋଇଛନ୍ତି ବିଜେଡି ଉପ-ସଭାନେତ୍ରୀ।

Leave A Reply