୨୦୧୮ ଦେଶର କିଛି ପ୍ରମୁଖ ଖବର

0

ଦିନ କେଇଟା ପରେ ସ୍ମୃତିର ଗର୍ଭକୁ ଚାଲିଯିବ ଦୁଇହଜାର ଅଠର। କେ​‌େତ ଘଟଣା-ଅଘଟଣ, ଉତ୍‌ଥାନ-ପତନ, ଆଶା-ଆଶଙ୍କା ଓ ଆଶ୍ବାସନା-ସମ୍ଭାବନାର କାହାଣୀ ଛିଟା ହୋଇ ରହିଯିବ ଅଠର ଆଇନାରେ। ଅତୀତ ପେଡ଼ିରେ ଅଠରକୁ ସାଇତିବା ପୂର୍ବରୁ ଏହାର କେତେକ ଝଲକ…​‌

ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ମୁକ୍ତ
ସେପ୍ଟେମ୍ବର ୬ ତାରିଖରେ ସୁପ୍ରିମକୋର୍ଟ ସହମତି ଭିତ୍ତିରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ମୁକ୍ତ କରିଥିଲେ। ଆଇପିସି ଧାରା ୩୭୭ ଅନୁଯାୟୀ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାଯାଇ ଆସୁଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଉଚ୍ଛେଦ କରିଥିଲେ। ୧୫୮ବର୍ଷର ଏହି ଉପନିବେଶ ଧାରା ଦ୍ବାରା ସମଲିଙ୍ଗୀପ୍ରତି ଅନ୍ୟାୟ କରାଯାଇଥିବା ସୁପ୍ରିମକୋର୍ଟ ମତବ୍ୟକ୍ତ କରିଥିଲେ। 

ପରଲୋକରେ ଜନନାୟକ
୨୦୧୮ରେ ବହୁ ଦିଗ୍‌ଗଜଙ୍କୁ ହରାଇ ଭାରତର ଅପୂରଣୀୟ କ୍ଷତି ଘଟିଛି। ଅଗଷ୍ଟ ମାସଟି ଭାରତୀୟ ରାଜନୀତି ପାଇଁ ଥିଲା ଅତ୍ୟନ୍ତ ଦୁଃଖଦ। ଏହି ମାସ ୧୬ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ଘଟିଥିଲା। ଏହା ପୂର୍ବରୁ ଅଗଷ୍ଟ ୭ରେ ତାମିଲନାଡୁ ରାଜନୈତିକ ଆକାଶର ଧ୍ରୁବତାରା ଭାବେ ପରିଚିତ ଡିଏମ୍‍କେର ପୂର୍ବତନ ମୁଖ୍ୟ ଏମ୍‍. କରୁଣାନିଧି ଏବଂ ଅଗଷ୍ଟ ୧୩ରେ ବଙ୍ଗୀୟ ରାଜନେତା ସୋମନାଥ ଚାଟାର୍ଜୀ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ଅକ୍ଟୋବର ୨୦ରେ ଆଖିବୁଜିଥିଲେ କଂଗ୍ରେସର ବର୍ଷୀୟାନ ନେତା ଏନ୍‍.ଡି. ତିୱାରୀ। ବହୁଚର୍ଚ୍ଚିତ ତଥା ଲୋକପ୍ରିୟ ଧର୍ମଗୁରୁ ଜଗଦଗୁରୁ ଶ୍ରୀ ଜୟେନ୍ଦ୍ର ସରସ୍ୱତୀ ଶଙ୍କରାଚାର୍ଯ୍ୟ ଫେବୃଆରୀ ୨୮ରେ ଦେହତ୍ୟାଗ କରିଥିଲେ। ଅଗଷ୍ଟ ୨୩ରେ ଭାରତର ପ୍ରମୁଖ ତଥା ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟରଙ୍କ ପରଲୋକ ଘଟିଥିଲା।

ଅଦାଲତ ଶୁଣାଣିର ଭିଡିଓ ପ୍ରସାରଣକୁ ଅନୁମତି
ଅଦାଲତରେ ବିଭିନ୍ନ ମାମଲାର ଶୁଣାଣିକୁ ସିଧା ଭିଡିଓ ପ୍ରସାରଣ କରିବାକୁ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୬ ତାରିଖରେ ଅନୁମତି ପ୍ରଦାନ କରିଥିଲେ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ପୀଠ ଏହି ରାୟ ଦେଇଥିଲେ। ତେବେ ମାମଲା ଶୁଣାଣିର ଭିଡିଓ ପ୍ରସାରଣ ସମୟରେ ସାଧାରଣ ନାଗରିକଙ୍କ ଅଧିକାର ଓ ମାମଲାର ଉଭୟ ବାଦୀ ଓ ପ୍ରତିବାଦୀଙ୍କ ସମ୍ମାନ ରକ୍ଷା ପାଇଁ ଆବଶ୍ୟକ ନିୟମ ପ୍ରଣୟନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଶୁଣାଣିର ଭିଡିଓ ପ୍ରସାରଣ ଦ୍ୱାରା ସ୍ୱଚ୍ଛତା ଆସିବ ଓ ଏହା ସାଧାରଣ ନାଗରିକଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାମ କରିବ। ରାୟ ପ୍ରକାଶ ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ସୂର୍ଯ୍ୟକିରଣ କୀଟାଣୁ ନାଶ ପାଇଁ ଶ୍ରେଷ୍ଠ ମାଧ୍ୟମ। ସେହିଭଳି ଅଦାଲତ ପରିସରରେ କ’ଣ ହେଉଛି ତାହା ଲୋକଙ୍କୁ ପ୍ରଥମେ ଜାଣିବାକୁ ଦିଆଯାଉ। ଏହା ପୂର୍ବରୁ ଏହି ପ୍ରସଙ୍ଗର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଅଦାଲତରେ ମାମଲା ଶୁଣାଣିର ସିଧା ପ୍ରସାରଣ ବର୍ତ୍ତମାନ ସମୟ ପାଇଁ ଏକ ଆବଶ୍ୟକତା ଅଟେ। 

ନୂତନ ନିଯୁକ୍ତି
ବୈଦେଶିକ ସଚିବ: ବିଜୟ ଗୋଖଲେ
ଜାତୀୟ ନିରାପତ୍ତା ଉପ ପରାମର୍ଶଦାତା: ରାଜିନ୍ଦର ଖାନ୍ନା
ଓକିଲରୁ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହେବାରେ ପ୍ରଥମ ମହିଳା: ଇନ୍ଦୁ ମାଲହୋତ୍ରା
ଜାତୀୟ ସୁରକ୍ଷା ଗାର୍ଡ ଡିଜି: ସୁଦୀପ ଲଖତାକିଆ
ମଧ୍ୟପ୍ରଦେଶ ରାଜ୍ୟପାଳ: ଆନନ୍ଦିବେନ୍‍ ପଟେଲ
ମୁଖ୍ୟ ନିର୍ବାଚନ କମିସନ: ଓମ୍‍ ପ୍ରକାଶ ରାୱତ
ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରର ନିର୍ଦେଶକ: ବୈଜ୍ଞାନିକ ଏସ୍‍. ସୋମନାଥ
ଆଣବିକ ଇନ୍ଧନ କମ୍ପେ୍ଲକ୍ସର ମୁଖ୍ୟ କାର୍ଯ୍ୟ ନିବାହୀ: ଦିନେଶ ଶ୍ରୀବାସ୍ତବ 

ସିବିଆଇ ସଙ୍କଟ
୨୦୧୮ରେ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇରେ ଅଭୁତପୂର୍ବ ସଙ୍କଟ ଦେଖାଦେଇଥିଲା। ସଂସ୍ଥାର ଦୁଇ ପ୍ରମୁଖ ଅଧିକାରୀ ଆଲୋକ ବର୍ମା (ନିର୍ଦେଶକ) ଏବଂ ରାକେଶ ଆସ୍ଥାନା (ସ୍ବତନ୍ତ୍ର ନିର୍ଦେଶକ) ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା କାରଣରୁ ସଂସ୍ଥା ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। କେନ୍ଦ୍ର ସରକାର ଏହି ବିବାଦରେ ହସ୍ତକ୍ଷେପ କରି ଦୁଇ ଅଧିକାରୀଙ୍କୁ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଛୁଟିରେ ପଠାଇବା ସହିତ ନାଗେଶ୍ବର ରାଓଙ୍କୁ ଅନ୍ତରୀଣ ନିର୍ଦେଶକ ନିଯୁକ୍ତ କରିଥିଲେ। ଫଳରେ ସିବିଆଇ ସଙ୍କଟ ନୂତନ ମୋଡ ନେଇଥିଲା। ଏହି ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। 

ଦୁଃଖଦ ଦଶହରା
ଅକ୍ଟୋବର ୨୦ରେ ଅମୃତସର ଅନ୍ତର୍ଗତ ଜୋଡା ଫାଟକସ୍ଥିତ ରେଳଧାରଣ ଉପରେ ଛିଡା ହୋଇ ନିକଟସ୍ଥ ପଡିଆରେ ଅନୁଷ୍ଠିତ ରାବଣ ପୋଡିର ଆନନ୍ଦ ଉଠାଉଥିବା ଶତାଧିକ ଲୋକଙ୍କ ଉପରେ ଜଳନ୍ଧର-ଅମୃତସର ଡିଏମ୍‍ୟୁ ଟ୍ରେନ୍‍ ମାଡିଯାଇଥିଲା। ଫଳରେ ୬୧ ଜଣ ଲୋକ ଟ୍ରେନରେ କଟି ପ୍ରାଣ ହରାଇଥିବା ବେଳେ ୭୨ ଜଣ ଆହତ ହୋଇଥିଲେ। 

ଦିଲ୍ଲୀର ମୁଖ୍ୟ ଶାସନସଚିବଙ୍କୁ ମାଡ଼
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଫେବୃଆରୀ ୧୯ ତାରିଖରେ ଅନୁଷ୍ଠିତ ରାତିଅଧିଆ ବୈଠକରେ ଆମ୍‍ ଆଦ୍‍ମୀ ପାର୍ଟିର ୨ ବିଧାୟକ ତାଙ୍କୁ ମାଡ଼ ମାରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଅମଲାତନ୍ତ୍ର ରାଜ୍ୟ ସରକାରଙ୍କ ବିରୋଧରେ ଅଦାଲତର ଆଶ୍ରୟ ନେବା ସହ ‘କଲମଛାଡ ବନ୍ଦ’ ଧମକ ଦେଇଥିଲା। ଏଫ୍‍ଆଇଆର୍‍ ରୁଜୁ ଅଭିଯୁକ୍ତ ବିଧାୟକଙ୍କୁ ପୁଲିସ ଗିରଫ କରିଥିଲା। ପରେ ସେମାନଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ମାତ୍ର ସରକାର ଓ ଅମଲାତନ୍ତ୍ର ମଧ୍ୟରେ ବିବାଦକୁ ନେଇ ରାଜ୍ୟ ପ୍ରଶାସନରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। 

ହରିବଂଶ ଉପାଧ୍ୟକ୍ଷ ନିର୍ବାଚିତ
ସାଧାରଣତଃ ଗୁରୁତ୍ୱ ବହନ କରୁ ନ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ୨୦୧୮ରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କୋଉ ଦଳର ଆଭିମୁଖ୍ୟ କ’ଣ ଏବଂ କିଏ କାହାକୁ ସମର୍ଥନ କରୁଛନ୍ତି ତାହା ଏହି ନିର୍ବାଚନରୁ ସ୍ପଷ୍ଟ ହେବ ବୋଲି ଜାଣି ଉଭୟ ଶାସକ ଓ ବିରୋଧୀ ଦଳଗୁଡିକ ନିଜର ନିଜର ସମର୍ଥନ ବୃଦ୍ଧି ପୂର୍ବକ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାର ପ୍ରୟାସ କରିଥିଲେ। ବିଜେପି ପୂର୍ବତନ ସାମ୍ବାଦିକ ତଥା ରାଜ୍ୟସଭା ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରିଥିବା ବେଳେ ଶେଷ ମୁହୂର୍ତ୍ତରେ କଂଗ୍ରେସ ବି. କେ. ହରିପ୍ରସାଦଙ୍କୁ ପ୍ରାର୍ଥୀ କରିଥିଲା। ୧୯୯୨ ପରେ ଚଳିତଥର ପ୍ରଥମକରି ଭୋଟ୍‍ ବିଭାଜନ ଦ୍ୱାରା ଅନୁଷ୍ଠିତ ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶ ନାରାୟଣ ସିଂହ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। 

ଶାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଅନୁମତି
ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଦେଇଥିବା କେତେକ ଐତିହାସିକ ରାୟ ମଧ୍ୟରେ କେରଳର ଶାବରୀମାଳାର ଆୟାପ୍ପା ସ୍ବାମୀଙ୍କ ମନ୍ଦିର ମଧ୍ୟକୁ ମହିଳାଙ୍କ ପ୍ରବେଶ ଅନୁମତି ଅନ୍ୟତମ। ଶହ ଶହ ବର୍ଷର ପ୍ରଥାକୁ ଭାଙ୍ଗି ମହିଳାଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ପୂର୍ବକ ସୁପ୍ରିମକୋର୍ଟ ୧୦ରୁ ୫୦ବର୍ଷର ମହିଳାଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଥିଲେ। 

୫ ଦିନରେ ସୁପ୍ରିମକୋର୍ଟଙ୍କ ୨୦ ରାୟ
ପ୍ରଧାନ ବିଚାରପତି ଭାବେ ପୂର୍ବତନ ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳର ଅନ୍ତିମ ୫ ଦିନରେ ତାଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ୨୦ଟି ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଧାର ସାମ୍ବିଧାନିକ ବୈଧ ଓ ସୁରକ୍ଷିତ, ସାଂସଦ ଓ ବିଧାୟକଙ୍କୁ ଓକିଲାତି ବୃତ୍ତି ପାଇଁ ଅନୁମତି ଦେବା, ବ୍ୟଭିଚାର ଅାଇନ (ଭାରତୀୟ ପିଙ୍ଗଳ କୋଡ୍‍ ଧାରା ୪୯୭) ଉଚ୍ଛେଦ ଏବଂ ଶାବରୀମାଳା ମନ୍ଦିରରେ ସମସ୍ତ ବୟସର ମହିଳାଙ୍କୁ ପ୍ରବେଶ ଅନୁମତିଭଳି ବହୁ ଐତିହାସିକ ରାୟ ଅନ୍ତର୍ଭୁକ୍ତ। ଏତଦ୍‌ଭିନ୍ନ ସୁପ୍ରିମକୋର୍ଟ ୨୦୧୮ରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ମଞ୍ଜୁରୀ ଦେବା, ଲୋକପ୍ରତିନିଧି ଆଇନ ଧାରା ୪୪ ଉଚ୍ଛେଦ କରିବା,ଧାରା ୩୭୭ ଏକ ସାମାଜିକ ଘୃଣା ଦର୍ଶାଇବାଭଳି ବହୁ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସେହିଭଳି କର୍ଣ୍ଣାଟକରେ ରାଜ୍ୟ ସରକାର ଗଠନକୁ ନେଇ ସୁପ୍ରିମକୋର୍ଟ କଂଗ୍ରେସର ଏକ ଆବେଦନ ଉପରେ ରାତିଅଧିଆ ଶୁଣାଣି କରି କୀର୍ତ୍ତୀମାନ ସ୍ଥାପନ କରିଛନ୍ତି। 

୯ ରାଜ୍ୟରେ ବିଧାନସଭା ନିର୍ବାଚନ
୨୦୧୮ରେ ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, କର୍ଣ୍ଣାଟକ ଓ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି କେବଳ ତ୍ରିପୁରାରେ ଏକାକୀ ସରକାର ଗଠନ କରିବାକୁ ସକ୍ଷମ ହୋଇଥିବା ବେଳେ ନାଗାଲାଣ୍ଡରେ ଏନ୍‌ଡିପିପି ସହ ମେଣ୍ଟ କରି କ୍ଷମତାକୁ ଆସିଛି। ବିଜେପିର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପାଇଁ ୨୦୧୮ ରାଜନୈତିିକ ଦୃଷ୍ଟିକୋଣରୁ ଶୁଭ ସାବ୍ୟସ୍ତ ହୋଇଛି। ଦଳ ୪ ରାଜ୍ୟରେ କ୍ଷମତାକୁ ଫେରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ କଂଗ୍ରେସ କ୍ଷମତା ଦଖଲ କରିଥିବାବେଳେ କର୍ଣ୍ଣାଟକରେ ଜେଡିଏସ୍‌ ସହ ମେଣ୍ଟ କରି ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିଛି। ଅନ୍ୟ ରାଜ୍ୟଗୁଡିକରେ ଆଞ୍ଚଳିକ ଦଳ ସରକାର ଗଠନ କରିଛନ୍ତି। 

ଏନଆରସିକୁ ନେଇ ବିବାଦ
ଆସାମର ବାସ୍ତବ ନାଗରିକଙ୍କୁ ଚିହ୍ନଟ ପାଇଁ ବହୁ ପ୍ରତୀକ୍ଷିତ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ର ଚୂଡାନ୍ତ ତାଲିକା ଜୁଲାଇ ୩୦ରେ ପ୍ରକାଶ ପାଇଥିଲା। ଏହି ଏନଆରସିରେ ୨କୋଟି ୯୦ଲକ୍ଷଙ୍କୁ ସାମିଲ କରାଯାଇଥିଲା। ଏନଆରସିରେ ପଞ୍ଜୀକରଣ ପାଇଁ ଆସାମରୁ ମୋଟ ୩,୨୯,୯୧,୩୮୪ ନାଗରିକ ଆବେଦନ କରିଥିଲେ। ସେଥିରୁ ୨,୮୯,୮୩,୬୭୭ଙ୍କୁ ଯୋଗ୍ୟ ବିବେଚନା ପୂର୍ବକ ଏନଆରସିରେ ସାମିଲ କରାଯାଇ, ଅବଶିଷ୍ଟ ୪୦ଲକ୍ଷ ୦୭ହଜାରଙ୍କୁ ବାଦ୍‍ ଦିଆଯାଇଥିଲା। ବାଂଲାଦେଶର ସୀମାନ୍ତ ଏହି ରାଜ୍ୟରେ ବେଆଇନ ଅନୁପ୍ରବେଶକାରୀ ବୃଦ୍ଧି ପାଉଥିବାବେଳେ ବାସ୍ତବ ନାଗରିକଙ୍କୁ ଚିହ୍ନଟ କରିବା ଏହି ଏନଆରସି ପ୍ରକାଶର ମୂଳ ଲକ୍ଷ୍ୟ। ତେବେ ଏହି ଏନଆରସିକୁ ନେଇ ଅନେକ ବିବାଦ ଦେଖାଯାଇଥିଲା। ବିପକ୍ଷ ଦଳର ରାଜନେତାମାନେ ସରକାରଙ୍କୁ ସମାଲୋଚନା କରିଥିଲେ। ତେବେ ବାଦ ପଡିଥିବା ନାଗରିକଙ୍କୁ ପୁନର୍ବାର ଆବେଦନ କରିବା ଓ ନିଜର ଆବଶ୍ୟକ ପ୍ରମାଣ ଦେବାକୁ ସୁଯୋଗ ଦିଆଯାଇଥିଲା। ୧୯୭୧ ମାର୍ଚ୍ଚ ୨୫ରୁ ଆସାମରେ ବାସ କରିଆସୁଥିବା ନାଗରିକଙ୍କୁ ଏନଆରସିରେ ସାମିଲ କରାଯାଇଛି। ଏହା ପୂର୍ବରୁ ଜାନୁଆରୀ ୧ରେ ପ୍ରଥମ ଏନଆରସି ପ୍ରକାଶ ପାଇଥିଲା; ଯେଉଁଥିରେ ୧.୯୦ କୋଟି ନାଗରିକଙ୍କୁ ତାଲିକାଭୁକ୍ତ କରାଯାଇଥିଲା। ଏନଆରସିରୁ ବାଦ୍‍ ପଡିଥିବା ଲୋକଙ୍କୁ ବିଦେଶୀ ବୋଲି କୁହାଯିବ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଥିଲା। 

ଆରଏସଏସ୍ କାର୍ଯ୍ୟକ୍ରମରେ ପ୍ରଣବ
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍) କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଯୋଗଦାନ ଚଳିତ ବର୍ଷର ଚର୍ଚ୍ଚିତ ରାଜନୈତିକ ପ୍ରସଙ୍ଗ ମଧ୍ୟରୁ ଅନ୍ୟତମ। ଆରଏସ୍ଏସ୍‌ କାର୍ଯ୍ୟକ୍ରମରେ ପ୍ରଣବଙ୍କ ଯୋଗଦାନ କଂଗ୍ରେସ ପାଇଁ ବଡ ଚିନ୍ତାର ବିଷୟ ହୋଇଥିଲା। କଂଗ୍ରେସର ବିରୋଧ ସତ୍ତ୍ବେ ମଧ୍ୟ ପ୍ରଣବ ସଂଘ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜୁନ୍ ୭ ତାରିଖରେ ପ୍ରଣବ ସଂଘ କାର୍ଯ୍ୟକ୍ରବରେ ଯୋଗଦେଇ ସ୍ୱଂୟସେବକମାନଙ୍କୁ ସମ୍ବୋଧନ କରିଥିଲେ। ସଂଘ ଶିକ୍ଷା ବର୍ଗ ତୃତୀୟ ବର୍ଷର ଉଦ୍‍ଯାପନୀ ଉତ୍ସବରେ ଯୋଗଦେଇ ଶ୍ରୀ ମୁଖାର୍ଜୀ କହିଥିଲେ ଦେଶ ପାଇଁ ସମର୍ପଣ ହିଁ ଶ୍ରେଷ୍ଠ ଦେଶପ୍ରେମ। ଜାତି ଓ ଧର୍ମ ଓ ଭାଷାକୁ ଆଧାର କରି ଭାରତକୁ ବ୍ୟାଖ୍ୟା କରାଯାଇପାରିବ ନାହିଁ। ଏହାଦ୍ୱାରା ଦେଶର ସମ୍ମାନ ଓ ପ୍ରତିଷ୍ଠା କଳଙ୍କିତ ହେବ। ହିନ୍ଦୁ, ମୁସଲମାନ, ଶିଖ ଓ ଅନ୍ୟାନ୍ୟ ସମ୍ପ୍ରଦାୟ ଏକଜୁଟ୍‍ ହୋଇପାରିଲେ ଦେଶ ଜାତୀୟତାବାଦ ପ୍ରତିଷ୍ଠା ହୋଇପାରିବ ବୋଲି ସେ କହିଥିଲେ। 

କେରଳ ବନ୍ୟା ବିଭୀଷିକା

ଗତ ଅଗଷ୍ଟ ମଧ୍ୟ ଭାଗରେ କେରଳରେ ଦେଖାଯାଇଥିବା ପ୍ରଳୟଙ୍କରୀ ବନ୍ୟାରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ। ବନ୍ୟା ଯୋଗୁଁ ୪୮୪ ଜଣଙ୍କର ମୃତ୍ୟୁ ହେବା ସହ ଲକ୍ଷଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ବନ୍ୟା ଯୋଗୁଁ ରାଜ୍ୟର ରାସ୍ତା ଘାଟ, ପୋଲ ଆଦି ଧୋଇଯାଇ ଭିତ୍ତିଭୂମିରେ ବ୍ୟାପକ କ୍ଷତି ଘଟାଇଥିଲା। ୧୯୨୪ ପରଠାରୁ ଏହା ରାଜ୍ୟର ସବୁଠାରୁ ବଡ ବନ୍ୟା ବୋଲି ବିବେଚିତ ହୋଇଥିଲା। ଏହି ବନ୍ୟା ପାଇଁ ଓଡିଶା ସରକାର ୧୦କୋଟି ଟଙ୍କା ସହାୟତା ଦେଇଥିଲେ। ସେହିପରି ପଞ୍ଜାବ ସରକାର ୧୦କୋଟି ଟଙ୍କା, ଦିଲ୍ଲୀ ସରକାର ୧୦କୋଟି ଓ ତେଲଙ୍ଗାନା ସରକାର ୨୫କୋଟି ଟଙ୍କାର ସହାୟତା ଦେଇଥିଲେ। ବର୍ଷର ମଧ୍ୟଭାଗ ଆଡକୁ ଅନ୍ୟ ଏକ ବିପର୍ଯ୍ୟୟ ମାଡି ଆସିବା ପୂର୍ବକ ନିପା ଭୂତାଣୁ ସଂକ୍ରମଣ ବ୍ୟାପିଥିଲା। ମେ’ ୧୯ରୁ ଜୁନ୍‌ ୧ମଧ୍ୟରେ ୧୭ ଜଣ ସଂକ୍ରମିତ ପ୍ରାଣ ହରାଇଥିଲେ।

 

Leave A Reply