ବଢ଼ିଲା ଅନ୍‍ଲାଇନ୍‍ ଆବେଦନ

0

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୮-୧୯ ଶିକ୍ଷାବର୍ଷ ଲାଗି ପ୍ରଥମଥର ପାଇଁ +୨ ଜୁନିୟର କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ତଥା ଏକାଦଶ ଶ୍ରେଣୀ ପାଇଁ ଇ-ନାମଲେଖା ପ୍ରକ୍ରିୟା ଆୟୋଜନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଏଏଫ୍‍ ଜରିଆରେ ଅନ୍‍ଲାଇନ୍‍ରେ ଛାତ୍ରଛାତ୍ରୀ ଆବେଦନ କରିବା ଶେଷ ତାରିଖ ଜୁନ୍‍ ୨୨ ରଖାଯାଇଛି। ଅନ୍‍ଲାଇନ୍‍ ସିଏସ୍‍ଏସ୍‍ ଆବେଦନ ଫର୍ମ, ଆବେଦନ ଫି’ ଓ ଆବଶ୍ୟକ କାଗଜାତ ସାମ୍‍ସ ରିସୋର୍ସ ସେଣ୍ଟରରେ ଦାଖଲ କରିବା ଶେଷ ତାରିଖ ଜୁନ୍‍ ୨୩ ରହିଛି। ନାମଲେଖା ପାଇଁ ପ୍ରଥମ ମନୋନୟନ ମେଧାତାଲିକା ଜୁନ୍‍ ୨୯ରେ ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ଜୁଲାଇ ୨ ରୁ ୫ ମଧ୍ୟରେ ନାମଲେଖାଇପାରିବେ। ଜୁଲାଇ ୬ରେ ପ୍ରଥମ ପର୍ଯ୍ୟାୟ ମନୋନୟନ ତାଲିକା ଅନୁଯାୟୀ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଅପ୍‍ଡେଟ୍‍ କରାଯିବ। ଏହାପରେ ଜୁଲାଇ ୧୦ରେ ଦ୍ୱିତୀୟ ପର୍ଯ୍ୟାୟ ମନୋନୟନ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ଜୁଲାଇ ୧୧ରୁ ୧୨ ମଧ୍ୟରେ ନାମଲେଖାଇପାରିବେ। ବଳକା ସିଟ୍‍ରେ ସ୍ପଟ୍‍ ନାମଲେଖା ପାଇଁ ଜୁଲାଇ ୧୮ରେ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ସେହିଦିନ ସ୍ପଟ୍‍ ନାମଲେଖା ପାଇଁ ଚୂଡ଼ାନ୍ତ ମନୋନୟନ ତାଲିକା ପ୍ରକାଶ ପାଇବ। ସ୍ପଟ ନାଲଲେଖା ପାଇଁ ଜୁଲାଇ ୧୯ରେ ମେଧା ତାଲିକା ପ୍ରକାଶ କରାଯିବ ଏବଂ ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୧ ମଧ୍ୟରେ ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୁନିୟର କଲେଜଗୁଡ଼ିକରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜୁଲାଇ ୨୪ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଗତ ଚାରିଦିନ ଧରି ଇଦ୍‍ ଓ ରଜ ପର୍ବ ଉପଲକ୍ଷେ ଛୁଟି ଥିବାରୁ +୨ ଅନ୍‍ଲାଇନ୍‍ ଆବେଦନକୁ ବଢ଼ାଇ ଦିଆଯାଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ୍‍ ସିଲ୍‍ ସୂଚନା ଦେଇଛନ୍ତି।

Leave A Reply