ପ୍ରଥମ ଟ୍ୱେଣ୍ଟି-୨୦ : ଅଷ୍ଟ୍ରେଲିଆ ୪ ରନରେ ବିଜୟୀ

0

ବ୍ରିସବେନ୍‍ : ଭାରତୀୟ କ୍ରିକେଟ ଦଳ ପରାଜୟ ସହ ତାହାର ଅଷ୍ଟ୍ରେଲିଆ ଅଭିଯାନ ଆରମ୍ଭ କରିଛି। ବୁଧବାର ଏଠାରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ଟ୍ୱେଣ୍ଟି୨୦ କ୍ରିକେଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ୪ ରନରେ ଭାରତକୁ ପରାସ୍ତ କରିଛି। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଅଷ୍ଟ୍ରେଲିଆ ୧୭ ଓଭରରେ ୪ ୱିକେଟ ବିନିମୟରେ ୧୫୮ ରନ କରିଥିଲା। ବର୍ଷା ଯୋଗୁଁ ଅଷ୍ଟ୍ରେଲିଆ ପୂରା ୨୦ ଓଭର ଖେଳିପାରିନଥିଲା। ଡକ୍‍ୱର୍ଥ ଲୁଇସ ନିୟମ ଅନୁଯାୟୀ ଭାରତ ସମ୍ମୁଖରେ ୧୭ ଓଭରରେ ୧୭୪ ରନ୍‍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହାକୁ ପିଛା କରି ଭାରତ ୧୭ ଓଭରରେ ୭ ୱିକେଟ ବିନିମୟରେ ୧୬୯ ରନ କରିଥିଲା। ଆଦାମ ଜମ୍ପା ‘ପ୍ଲେୟର ଅଫ୍‍ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଆସନ୍ତା ୨୩ରେ ସିରିଜର ଦ୍ୱିତୀୟ ଟ୍ୱେଣ୍ଟି୨୦ ମେଲବୋର୍ଣ୍ଣରେ ଖେଳାଯିବ।
୧୭୪ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୩୫ ରନରେ ଓପନର ରୋହିତ ଶର୍ମାଙ୍କ (୭) ୱିକେଟ ହରାଇଥିଲା। ଧାୱନ ଗୋଟିଏପଟେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିବାବେଳେ ଲୋକେଶ ରାହୁଲଙ୍କ (୧୩) ସହ ୨ୟ ୱିକେଟ ପାଇଁ ୪୬ ରନ ଯୋଗକରିଥିଲେ। ରାହୁଲଙ୍କ ପ୍ରସ୍ଥାନ ପରେ ଅଧିନାୟକ ବିରାଟ କୋହଲି ମଧ୍ୟ ବେଶି ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ବ୍ୟକ୍ତିଗତ ୪ ରନ କରି କୋହଲି ଆଉଟ ହେବାଫଳରେ ଭାରତ ଚାପର ବଶବର୍ତ୍ତୀ ହୋଇଥିଲା। ଦଳୀୟ ସ୍କୋର ୧୦୫ ରନରେ ଧାୱନ ୧୦ଟି ଚୌକା ଓ ୨ଟି ଛକା ସହାୟତାରେ ୭୬ ରନ କରି ଆଉଟ ହେବାଫଳରେ ଭାରତୀୟ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ମଧ୍ୟକ୍ରମରେ ଋଷଭ ପନ୍ତ୍‍ ୨୦ ଓ ଦିନେଶ କାର୍ତ୍ତିକ ୩୦ ରନ କରିଥିଲେ। ଶେଷ ଓଭରରେ ହାତରେ ୫ଟି ୱିକେଟ ଥାଇ ଭାରତ ବିଜୟ ପାଇଁ ୧୩ ରନ ଆବଶ୍ୟକ କରୁଥିଲା। ତେବେ ଷ୍ଟୋଇନିସ୍‍ ଏହି ଓଭରରେ ଦିନେଶ କାର୍ତ୍ତିକ (୩୦) ଓ କ୍ରୁନାଲ ପାଣ୍ଡ୍ୟାଙ୍କ (୨) ୱିକେଟ ଅକ୍ତିଆର କରିବା ଫଳରେ ଭାରତ ୧୭ ଓଭରରେ ୭ ୱିକେଟ ବିନିମୟରେ ୧୬୯ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜମ୍ପା ଓ ଷ୍ଟୋଇନିସ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ଜାସନ ବେରେନଡର୍ଫ, ବେନ୍‍ ଷ୍ଟାନ୍‍ଲେକ୍‍ ଓ ଆଣ୍ଡ୍ରୃ ଟାଇ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।
ଭାରତୀୟ ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିଥିଲେ। ଦଳୀୟ ସ୍କେର ୨୪ ରନରେ ଓପନର ଡି’ଆର୍ସି ସର୍ଟଙ୍କୁ (୭) ଆଉଟ କରି ଖଲିଲ ଅହମ୍ମଦ ଭାରତ ପାଇଁ ପ୍ରଥମ ସଫଳତା ହାସଲ କରିଥିଲେ। ଅଧିନାୟକ ଆରୋନ ଫିଞ୍ଚ୍‍ ଓ କ୍ରିସ୍‍ ଲିନ୍‍ ୨ୟ ୱିକେଟ ପାଇଁ ୪୦ ରନ ଯୋଗକରିବାରେ ଫିଞ୍ଚ୍‍ ୨୭ ରନ କରି ଆଉଟ ହୋଇଥିଲେ। ୧୧ ରନ ବ୍ୟବଧାନରେ କ୍ରିସ ଲିନ୍‍ ତୃତୀୟ ଖେଳାଳିଭାବେ ଆଉଟ ହୋଇଥିଲେ। ତେବେ ଗ୍ଲେନ ମ୍ୟାକ୍ସୱେଲ ଓ ମାର୍କସ ଷ୍ଟୋଇନିସ୍‍ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ୪ର୍ଥ ୱିକେଟ ପାଇଁ ୬.୧ ଓଭରରେ ୭୮ ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ୧୬.୧ ଓଭରରେ ୩ ୱିକେଟରେ ୧୫୩ ରନ କରିଥିବାବେଳେ ବର୍ଷା ଯୋଗୁଁ ଖେଳ କିଛି ସମୟ ପାଇଁ ସ୍ଥଗିତ ରହିଥିଲା। ବର୍ଷା ଛାଡିବାପରେ ମ୍ୟାକ୍ସୱେଲ ୪ଟି ଚୌକା ସହାୟତାରେ ୨୪ ବଲରୁ ୪୬ ରନ କରି ଆଉଟ ହୋଇଥିଲେ। ଫଳରେ ୧୭ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟରେ ୧୫୮ ରନ କରିଥିଲା। ଷ୍ଟୋଇନିସ ୩୩ ଓ ବେନ୍‍ ମ୍ୟାକଡର୍ମଟ ୨ ରନରେ ଅପରାଜିତ ଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ୨ଟି, ଖଲିଲ ଅହମ୍ମଦ ଓ ଯଶପ୍ରୀତ ବୁମ୍‍ରା ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।

 

Leave A Reply