୨୦୧୯-ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

0

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସୋମବାର(ଆସନ୍ତାକାଲି) ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଏଥିପାଇଁ ଗତ ୧୮ ତାରିଖଠାରୁ ଔପଚାରିକ ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ତାରିଖରେ ୯୧ଟି ଲୋକସଭା ଆସନ ଏବଂ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମର ସମସ୍ତ ବିଧାନସଭା ଆସନ ଓ ଓଡ଼ିଶାର ୧୪୭ ଆସନରୁ ୨୮ଟି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।

ତେବେ ଦୋଳ ପୁର୍ଣ୍ଣିମା,ହୋଲି ଏବଂ ଅନ୍ୟାନ୍ୟ ଛୁଟି ଯୋଗୁଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାରେ ବିଳମ୍ବ ଘଟିଛି। ଅନେକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଯୋଗୁ ମଧ୍ୟ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଛି। ତେଣୁ ଆସନ୍ତାକାଲି ଅଧିକ ଭିଡ଼ର ସମ୍ଭାବନା ରହିଛି। ରାଜ୍ୟରେ ଏପ୍ରିଲ ୧୧ ତାରିଖରେ କଳାହାଣ୍ଡି, ନବରଙ୍ଗପୁର,ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

କଳାହାଣ୍ଡି ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଏବଂ ନର୍ଲା ବିଧାନସଭା ଆସନରେ ଏପ୍ରିଲ ୧୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ସେହିପରି ନବରଙ୍ଗପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ପଟାଙ୍ଗୀ, ମାଲକାନାଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନରେ ସେହିଦିନ ମତଦାନ କରାଯିବ। ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ  ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନରେ ଏପ୍ରିଲ ୧୧ ତାରିଖରେ ମତଦାନ ଅନୁଷ୍ଠିତ ହେବ ଏବଂ କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ କୋରାପୁଟ ବିଧାନସଭା ଆସନରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ।

Image courtesy: India.com

ସୂଚନା ଯୋଗ୍ୟ ଦେଶର ୫୪୩ଟି ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଆନ୍ଧ୍ରପ୍ରଦେଶର ୨୫, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୭, ଆସାମ ଓ ଉତ୍ତରାଖଣ୍ଡର ୫, ବିହାର ଓ ଓଡ଼ିଶାର ୪, ଅରୁଣାଚଳପ୍ରଦେଶ, ମେଘାଳୟ, ପଶ୍ଚିମବଙ୍ଗ ଓ ଜାମ୍ମୁ କାଶ୍ମୀରର ୨, ଛତିଶଗଡ, ମିଜୋରାମ, ସିକିମ, ତ୍ରିପୁରା, ମଣିପୁର, ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ଵୀପର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ଆନ୍ଧ୍ର ପ୍ରଦେଶର ୧୭୫, ଅରୁଣାଚଳ ପ୍ରଦେଶର ୬୦, ସିକିମର ୩୨ ଓ ଓଡ଼ିଶାର ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ମାର୍ଚ୍ଚ ୨୫ତାରିଖ, ଯାଞ୍ଚ ପାଇଁ ମାର୍ଚ୍ଚ ୨୬ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ମାର୍ଚ୍ଚ ୨୮ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଛି।

Leave A Reply