ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୪ ଲୋକସଭା, ୨୮ ବିଧାନସଭା ପାଇଁ ଆରମ୍ଭ ହେଲା ମତଦାନ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ଅନୁଯାୟୀ, ମତଦାନର ଦେଢ ଘଣ୍ଟା ପୂର୍ବରୁ ‘ମକ ପୋଲ୍‌’ ଅନୁଷ୍ଠିତ ହୋଇଛି। ଏହାପରେ ଭୋଟର ମାନେ ମତଦାନ କରିଛନ୍ତି। ବିଭିନ୍ନ ସ୍ଥାନରେ ଭୋଟରମାନେ ମତଦାନ କରିବାକୁ ଲମ୍ବା ଧାଡି ଲଗାଇଥିବା ଦେଖିବାକୁ ମିଳିଛି। ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପନ୍ନ କରିବା ଲାଗି ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବୁଥ୍‌ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପ୍ରଥମ ପର୍ୟ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିସହ କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା ଆସନ, ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା, ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ଏବଂ କୋରାପୁଟ ଲୋକସଭା ଅନ୍ତର୍ଗତ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଲୋକସଭା ପାଇଁ ୨୬ ଏବଂ ବିଧାନସଭା ପାଇଁ ୧୯୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଏହି ସମସ୍ତ ନିର୍ବାଚନମଣ୍ଡଳୀର ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନକ୍ସଲ ପ୍ରଭାବିତ ଏବଂ ଦୁର୍ଗମ ଅଞ୍ଚଳରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।

ପ୍ରଥମ ପର୍ଯ୍ୟାୟରେ ୬୦ଲକ୍ଷ ୩ ହଜାର ୭୦୭ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ ୨୯ଲକ୍ଷ ୭୨ହଜାର ୯୨୫ଜଣ ପୁରୁଷ ଭୋଟର ଥିବା ବେଳେ ୩୦ଲକ୍ଷ ୩୦ହଜାର ୨୨୨ ମହିଳା ଓ ୫୬୦ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ନିର୍ବାଚନ କାର୍ୟ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ପୋଷ୍ଟାଲ ବାଲଟର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ୧ଲକ୍ଷ ୩୦ହଜାର ୩୦୭ ଦିବ୍ୟାଙ୍ଗ ମତଦାତା ଅଛନ୍ତି। ମତଦାନ ପାଇଁ ୭୨୩୩ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ସେଥିମଧ୍ୟରୁ ୨୩୭୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଦୃଷ୍ଟିଶକ୍ତିହୀନ ମତଦାତାଙ୍କ ପାଇଁ ୫୦୫୧ଟି ବୁଥକୁ ବ୍ରେଲି ବାଲଟ ପଠାଯାଇଛି। ମତଦାନ କେନ୍ଦ୍ରରେ ୧୮ବର୍ଷ ବୟସରୁ କମ ଦୁଇ ଜଣ ଲେଖାଏଁ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ନକ୍ପଲ ପ୍ରଭାବିତ ଅଞ୍ଚଳକୁ ସୁରକ୍ଷା କର୍ମଚାରୀ, ସରକାରୀ କର୍ମଚାରୀ ଓ ଭୋଟ ଗ୍ରହଣ ପାଇଁ ଆବଶ୍ୟକ ସାମଗ୍ରୀ ପଠାଯିବାକୁ ଦୁଇଟି ହେଲିକପ୍ଟର ଯୋଗାଇ ଦିଆଯାଇଛି। ନିର୍ବାଚନ ପରିଚାଳନା ପାଇଁ ୪୭ହଜାର ୮୦୫ ସରକାରୀ କର୍ମଚାରୀ ନିୟୋଜିତ ଅଛନ୍ତି।

କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୨୪ନମ୍ବର ବୁଥରେ ମତଦାନ ପାଇଁ ଭୋଟରମାନେ ଧାଡି କରି ଛିଡା ହୋଇଛନ୍ତି। ତେବେ ଇଭିଏମ୍ ପାଇଁ ପ୍ରାୟ ଅଧିକାଂଶ ବୁଥରେ ଅଧ ଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ ହୋଇଥିବା ସୂଚନା ମିଳିଛି।

Comments are closed.