ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ କାର୍ଯ୍ୟଦିବସ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଦ୍ୱିତୀୟ ତଥା ଶୀତକାଳୀନ ଅଧିବେଶନର ଆଜି (ବୁଧବାର) ଥିଲା ପ୍ରଥମ କାର୍ଯ୍ୟଦିବସ। ଏହି କାର୍ଯ୍ୟଦିବସରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଓ ଶୋକପ୍ରସ୍ତାବକୁ ବାଦ ଦେଲେ ଅନ୍ୟ କୌଣସି କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦିତ ହୋଇପାରି ନ ଥିଲା। ତେବେ ଏହି ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‍ ଗୃହରେ ଉପସ୍ଥାପିତ କରିଥିଲେ। ବିଧାନସଭା ମୋଟ ୮ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍‍ ଉପସ୍ଥାପିତ କରାଯାଇଥିଲା। ତେବେ ଏହି ବଜେଟରେ ପ୍ରଶାସନିକ ବ୍ୟୟ ପାଇଁ ୨ଶହ ୬୭କୋଟି ୨୩ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୪ହଜାର ୪୩୨କୋଟି ୮୦ଲକ୍ଷ ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୬କୋଟି ୫୨ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ବଜେଟ୍‍ରେ ବିଭିନ୍ନ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ପାଇଁ ପ୍ରାୟ ୫୦୧କୋଟି ୫୬ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

ପୁରୀ ଠାରେ ମୌଳିକ ସୁବିଧା ଏବଂ ଐତିହ୍ୟ ଓ ସ୍ଥାପତ୍ୟର ଉନ୍ନୟନ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ୭୩୩କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ରାସ୍ତା ନିର୍ମାଣ ପାଇଁ ୧୬୬କୋଟି ୫୦ଲକ୍ଷ ଟଙ୍କା, କେବିକେ ଜିଲ୍ଳା ଓ ଓଡିଶା ପଶ୍ଚିମାଞ୍ଚଳରେ ବିଜୁ ଏକ୍ସପ୍ରେସ ୱେ ଦ୍ୱାରା ସଂଯୋଗୀକରଣ ପାଇଁ ୧୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିଭଳି ଜନସ୍ୱାସ୍ଥ୍ୟ ସେବା ପାଇଁ ୪ଶହ ୫୯କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୩୭୦କୋଟି ଟଙ୍କା, ମହିଳା ଓ ଶିଶୁ ବିକାଶର ସଶକ୍ତିକରଣ ପାଇଁ ୨୬୦କୋଟି ୯୦ ଲକ୍ଷ ଟଙ୍କା, ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୨କୋଟି ୮୩ ଲକ୍ଷ ଟଙ୍କା, ପୋଷଣ କାର୍ଯ୍ୟକ୍ରମ ପାଇଁ ୧୯୦କୋଟି ଟଙ୍କା, ଅଙ୍ଗନବାଡି କେନ୍ଦ୍ରଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୧୧କୋଟି ୮୯ଲକ୍ଷ ଟଙ୍କା, ଅନୁସୂଚିତ ଜନଜାତି ଓ ଜାତି ପାଇଁ ୧୧୪କୋଟି ୭୦ଲକ୍ଷଟଙ୍କା, ସହରାଞ୍ଚଳ ସଡକ ପରିବହନ ପାଇଁ ୩୮କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ମୋଟ ୫୨୭ କୋଟି, ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୧ହଜାର ୭୩ଲକ୍ଷ ୩ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସମଗ୍ର ଶିକ୍ଷା ଓ ମଧ୍ୟାହ୍ନଭୋଜନ ପାଇଁ ଯଥାକ୍ରମେ ୭୯୯କୋଟି ଏବଂ ୫୮କୋଟି ୯୧ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି। ସେହିଭଳି କ୍ରୀଡା ଭିତ୍ତିଭୂମିର ଉନ୍ନୟନ ପରିଚାଳନା ପାଇଁ ୬୦କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ପାଇଁ ୯୪୮କୋଟି ୫୫ଲକ୍ଷ ଟଙ୍କା, ସହରାଞ୍ଚଳ ଉନ୍ନୟନ ପାଇଁ ୪୧୬କୋଟି ୮୩ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସେହିଭଳି କଠିନ ବର୍ଜ୍ୟବସ୍ତୁ ପରିଚାଳନ ଯୋଜନା ପାଇଁ ୨୦୦କୋଟି ଟଙ୍କା, ହସ୍ତତନ୍ତ ଓ ବୟନଶିଳ୍ପର ପ୍ରସାର ପାଇଁ ୧୮୨କୋଟି ୮୨ଲକ୍ଷ ଟଙ୍କା, ପର୍ଯ୍ୟଟନ ବିଭାଗ ପାଇଁ ୧୯୪କୋଟି ଟଙ୍କା ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ୧୭୩କୋଟି ୯୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

ଏହି ସମୟରେ ବିରୋଧୀ ଦଳଙ୍କ ହୋ-ହାଲ୍ଲା ଯୋଗୁଁ ଦେଖାଦେଇଥିବା ଅଚଳାବସ୍ଥା ଏଡାଇବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏବଂ ଅଧିଷ୍ଠାତା ମଣ୍ଡଳୀ ସଦସ୍ୟ ପ୍ରଫୁଲ୍ଲ ସାମଲଙ୍କୁ ବାରମ୍ବାର ଗୃହକୁ ମୁଲତବୀ ରଖିବାକୁ ପଡିଥିଲା। ସକାଳେ ବିଧାନସଭା ଅଧିବେଶନ ଆରମ୍ଭରୁ ବିରୋଧି କଂଗ୍ରେସ ଓ ବି.ଜେ.ପି. ସଭ୍ୟଙ୍କ ହୋ ହଲ୍ଲା ଯୋଗୁଁ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା। ଫଳରେ ପ୍ରାଥମିକ ବୈଠକରେ ଗୃହରେ କେବଳ ଶୋକ ପ୍ରସ୍ତାବକୁ ବାଦ୍‍ଦେଲେ ଅନ୍ୟ କୌଣସି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇପାରି ନାହିଁ। ଅଚଳାବସ୍ଥା ଏଡ଼ାଇବାପାଇଁ ବାଚସ୍ପତି ଗୃହକୁ ବାରମ୍ବାର ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

Comments are closed.