ବିଧାନସଭାରେ ସ୍ୱୀକାର କଲେ ମନ୍ତ୍ରୀ – ରାଜ୍ୟର ୧୯ଟି ନଦୀ ପ୍ରଦୂଷିତ

ଭୁବନେଶ୍ୱର: ଆଜି ବିଧାନସଭାରେ ପ୍ରଶ୍ନକାଳ ସମୟରେ ରାଜ୍ୟର ନଦୀ ଜଳ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ରାଜ୍ୟର ୧୯ଟି ନଦୀର ଜଳ ପ୍ରଦୂଷିତ ହୋଇଛି। କାଠଯୋଡି, ବୁଢାବଳଙ୍ଗ, ଋଷିକୂଲ୍ୟା, ଗଙ୍ଗୁଆ, ଦୟା, ବ୍ରାହ୍ମଣୀ, ନାଗାବଳୀ, କୁଆଖାଇ ଓ ଲୁଣା ଆଦି ନଦୀର ଜଳ ଦୂଷିତ ହୋଇଥିବା ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଥିଲେ, ନଦୀଜଳ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର, ବାରିପଦା, ବ୍ରହ୍ମପୁର, ସମ୍ବଲପୁର, ପୁରୀ ଏବଂ ରାଉରକେଲା ଆଦି ୭ଟି ସହରରେ ସ୍ୱରେଜ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି। ଅନ୍ୟ ଦୁଇଟି ସହର କଟକ ଓ ବାଲେଶ୍ୱରରେ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାଛଡା ୨୯ଟି ଗୋଟି ସ୍ୱରେଜ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି। ସେ କହିଛନ୍ତି, ରାଜ୍ୟର ସମସ୍ତ ୧୧୪ଗୋଟି ସହର ନିମନ୍ତେ ସ୍ୱରେଜ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି।

Comments are closed.