ଆସନ୍ତାକାଲି ଓଡିଶା ଆସୁଛନ୍ତି ଅମିତ ଶାହା

0

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି  । ଶ୍ରୀ ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି  ।ଏହି ଗସ୍ତ ଅବସରରେ ଶ୍ରୀ ଶାହା ବିଭିନ୍ନ ବର୍ଗର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ।  ଏଥିସହିତ ବୁଥ ସ୍ତରର ନେତାମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ଅମିତ ଶାହା ଭୁବନେଶ୍ବରରେ ପହଁଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ  ରାଜ୍ୟ କାର୍ଯ୍ୟାଳୟକୁ  ପାଛୋଟି ନିଆଯିବ। ସେଠାରେ ସେ ବିଭିନ୍ନ ବର୍ଗର ନେତାଙ୍କ ସହ ଆଲୋଚନା କରିବେ। ଦଳର ରାଜ୍ୟ ପଦାଧିକାରୀ, କାର୍ୟ୍ୟକାରିଣୀ ସଦସ୍ୟ, ଜିଲା ପ୍ରଭାରୀ, ସୋସିଆଲ ମିଡିଆ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସମେତ ସମସ୍ତ ଛାମୁଆଁ ସଙ୍ଗଠନର ସଦସ୍ୟ ଓ ଜିଲ୍ଲା ପ୍ରଭାରୀ ମାନଙ୍କ ସହିତ ସେ  ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  ।

ଏଥିସହିତ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀରେ ନିଯୁକ୍ତି ପାଇଥିବା ବିସ୍ତାରକ ମାନଙ୍କର ମଧ୍ୟ ଏକ ବୈଠକ ଅନୁଷ୍ଠିତ ହେବ  । ସେମାନଙ୍କୁ ଦିଆଯାଇଥିବା କାର୍ଯ୍ୟ କେତେ ଦୂର ଆଗେଇଛି ଶ୍ରୀ ଶାହା ତାହାର ସମୀକ୍ଷା କରିବେ ବୋଲି ଜଣା ପଡିଛି।

Leave A Reply