ପନ୍ଦର ନୁହେଁ ଅଠରରେ ସ୍ୱାଧୀନତା ଦିବସ ପାଳନ

0

ସାରା ଦେଶ ଅଗଷ୍ଟ ୧୫ତାରିଖରେ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପଶ୍ଚିମବଙ୍ଗରେ ଏପରି ଦୁଇଟି ସ୍ଥାନ ଅଛି ଯେଉଁଠାରେ ୧୫ତାରିଖ ବଦଳରେ ୧୮ତାରିଖ ଦିନ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ। ପଶ୍ଚିମବଙ୍ଗର ନଦିୟା ଜିଲା ଅନ୍ତର୍ଗତ ଏହି ଦୁଇ ସ୍ଥାନ ହେଲା- ରାମଘାଟ ଏବଂ କୃଷ୍ଣାନଗର। ଭାରତ ଓ ପାକିସ୍ତାନ ବିଭାଜନ ବେଳେ ଇଂରେଜମାନେ ପଶ୍ଚିମବଙ୍ଗର ଏହି ଦୁଇ ଅଞ୍ଚଳକୁ ପାକିସ୍ତାନରେ ସାମିଲ କରିଥିଲେ। ତେବେ ହିନ୍ଦୁବହୁଳ ଏହି ଅଞ୍ଚଳର ବାସିନ୍ଦା ଇଂରେଜଙ୍କ ନିଷ୍ପତ୍ତିକୁ ବିରୋଧ କଲେ। ଏହାପରେ ୧୯୪୭ ଅଗଷ୍ଟ ୧୮ତାରିଖରେ ଏହି ଦୁଇ ଅଞ୍ଚଳକୁ ଭାରତରେ ମିଶାଯାଇଥିଲା। ତେଣୁ ତିନିଦିନ ପରେ ଏଠାରେ ସ୍ୱାଧୀନତା ଦିବସ ପାଳିତ ହୁଏ ଏବଂ ଜାତୀୟ ପତାକା ଉତ୍ତୋଳନ କରାଯାଏ। ପୂର୍ବରୁ ନଦିୟାରେ ଅଗଷ୍ଟ ୧୮ତାରିଖ ଦିନ ପତାକା ଉତ୍ତୋଳନ ପାଇଁ ଅନୁମତି ଦିଆଯାଉନଥିଲା। କାରଣ, ୨୦୦୨ ମସିହା ପୂର୍ବରୁ ଜାତୀୟ ପତାକା ଉତ୍ତୋଳନ ପାଇଁ ଥିବା ଆଇନ୍‍ ଅନୁସାରେ, ସାଧାରଣ ନାଗରିକ କେବଳ ଜାନୁଆରୀ ୨୩ ଓ ୨୬ ଏବଂ ଅଗଷ୍ଟ ୧୫ତାରିଖ ବ୍ୟତୀତ ଅନ୍ୟ ଦିନରେ ପତାକା ଉତ୍ତୋଳନ କରିପାରିବେ ନାହିଁ। ତେବେ ଅଞ୍ଚଳବାସୀଙ୍କ ଦୀର୍ଘ ଆନ୍ଦୋଳନ ପରେ ୧୯୯୧ ମସିହାରେ କେନ୍ଦ୍ର ସରକାର ଏହି ଦୁଇ ଅଞ୍ଚଳରେ ଅଗଷ୍ଟ ୧୮ ତାରିଖ ଦିନ ପତାକା ଉତ୍ତୋଳନ କରିବାକୁ ଅନୁମତି ଦେଇଥିଲେ। ୨୦୦୨ ଜାନୁଆରୀ ୨୬ ଅବସରରେ ଭାରତୀୟ ଧ୍ୱଜ ସଂହିତାରେ ସଂଶୋଧନ କରାଯାଇଥିଲା ଏବଂ ଦେଶର ନାଗରିକମାନେ ନିଜ ଘର, କାର୍ଯ୍ୟାଳୟ, ଶିଳ୍ପସଂସ୍ଥା ଆଦି ସ୍ଥାନରେ ପ୍ରତ୍ୟେକ ଦିନ ନିଦ୍ୱର୍ନ୍ଦ୍ୱରେ ପତାକା ଉତ୍ତୋଳନ କରିବାର ଅନୁମତି ପାଇଥିଲେ।

Leave A Reply