ଜାଣନ୍ତୁ ଏହି ନାବାଳକଙ୍କ ବୀରତା, ଯାହାଙ୍କୁ ଡରି ଛତ୍ରଭଙ୍ଗ ଦେଇଥିଲେ ଆତଙ୍କବାଦୀ; ରାଷ୍ଟ୍ରପତି ପ୍ରଦାନ କଲେ ସୌର୍ଯ୍ୟଚକ୍ର

0

ଜାମ୍ମୁ: ଆତଙ୍କବାଦୀଙ୍କ ସହ ଲଢ଼େଇ କରି ନିଜର ବୀରତା ଦେଖାଇଥିବା ଜଣେ ୧୬ବର୍ଷୀୟ ବାଳକଙ୍କୁ ମିଳିଛି ଦେଶର ତୃତୀୟ ସର୍ବୋଚ୍ଚ ସାହସିକତା ପୁରସ୍କାର। ଏହି ବାଳକ ଜଣ ହେଲେ ଜାମ୍ମୁ-କାଶ୍ମୀର ସୋପିଆନ ଜଲିାର ଇରଫାନ ରାମଜାନ ଶେଖ। ନିଜର ସାହସିକତା ପାଇଁ ଇରଫାନଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ସାଧାରଣତଃ ଦେଶର ଶତ୍ରୁଙ୍କ ସହ ଲଢ଼ୁଥିବା ସଶସ୍ତ୍ର ବଳ ଏବଂ ଅର୍ଦ୍ଧସାମରିକ ବଳଙ୍କୁ ପ୍ରଦାନ କରାଯାଇଥାଏ।

୨୦୧୭ ମସିହା ଅକ୍ଟୋବର ୧୬ ତାରିଖ ବିଳମ୍ବିତ ରାତିର ଘଟଣା। ଆତଙ୍କବାଦୀମାନେ ଇରଫାନଙ୍କ ଘରକୁ ଘେରିଯାଇଥିଲେ। ଇରଫାନ ଯେତେବେଳେ ଘର କବାଟ ଖୋଲିଲେ ସେତେବେଳେ ୩ ଜଣ ଆତଙ୍କବାଦୀ ବନ୍ଧୁକ ଏବଂ ଗ୍ରେନେଡ ଧରି ବାହାରେ ଛିଡ଼ା ହୋଇଥିବା ଦେଖିଥିଲେ। ଇରଫାନଙ୍କ ବାପା ଜଣେ ପୂର୍ବତନ ସରପଞ୍ଚ ଏବଂ ସେ ମେହବୁବା ମୁଫତିଙ୍କ ପିଡିପିର କର୍ମୀ ଥିଲେ। ତେଣୁ ଆତଙ୍କବାଦୀମାନେ ତାଙ୍କ ପରିବାର ଲୋକଙ୍କର କୌଣସି କ୍ଷତି କରିବା ଆଶଙ୍କା କରି ଇରଫାନ ସାହସ ବାନ୍ଧି ସେମାନଙ୍କୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ବାପା ଘରୁ ବାହାରି ଆସିଥିଲେ। ଫଳରେ ଆତଙ୍କବାଦୀମାନେ ତାଙ୍କ ବାପାଙ୍କୁ ସେଠାରୁ ଅପହରଣ କରିନେବାକୁ ଉଦ୍ୟମ କରିଥିଲେ। ମାତ୍ର ଇରଫାନ ଭୟ ନ କରି ଆତଙ୍କବାଦୀମାନଙ୍କ ଉପରକୁ ଲମ୍ଫ ମାରି ନିଜ ବାପାଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣରେ ତାଙ୍କ ବାପା ଗୁରୁତର ଆହତ ହୋଇଥିଲେ। କିନ୍ତୁ ଇରଫାନ ହାର ମାନି ନ ଥିଲେ। ନିଜ ଭିତରେ ଥିବା ଅସାଧାରଣ ସାହସିକତା ପ୍ରଦର୍ଶନ କରି ସେମାନଙ୍କ ସହ ଲଢ଼ିଥିଲେ। ଶେଷରେ ଇରଫାନଙ୍କୁ ସାମ୍ନା କରି ନ ପାରି ଆତଙ୍କବାଦୀମାନେ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ଇରଫାନ ସେମାନଙ୍କୁ ଛାଡ଼ି ନ ଥିଲେ। ଜଣେ ଆତଙ୍କବାଦୀଙ୍କୁ ମାରିଦେଇଥିଲେ। ଫଳରେ ଅନ୍ୟ ୨ ଆତଙ୍କବାଦୀ ଦୌଡ଼ି ପଳାଇଥିଲେ। ପରବର୍ତ୍ତୀ ସମୟରେ ଇରଫାନଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା।

ଇରଫାନଙ୍କ ଏଭଳି ସାହସିକତା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଇରଫାନ ଏବେ ୧୦ମ ଶ୍ରେଣୀରେ ପଢ଼ୁଛନ୍ତି। ସେ ଭବିଷ୍ୟତରେ ଜଣେ ଆଇପିଏସ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା ଇରଫାନ କହିଛନ୍ତି। ତେବେ ଆତଙ୍କବାଦୀଙ୍କ ଭୂସ୍ବର୍ଗ ଜାମ୍ମୁ-କାଶ୍ମୀରରେ ଇରଫାନଙ୍କ ସାହସିକତା ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି।

Leave A Reply