ଲାଗୁ ହେଲା ଅଡ୍‍-ଇଭିନ୍‍ ଯୋଜନା : ଉଲଙ୍ଘନକାରୀଙ୍କ ଉପରେ ୪ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ :  ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ରୋକିବା ଲକ୍ଷ୍ୟରେ ଅଡ୍‍-ଇଭିନ୍‍ ଯୋଜନା ସୋମବାରଠାରୁ ଲାଗୁ ହୋଇଛି। ୧୨ ଦିନ ଧରି କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଡ୍‍-ଇଭିନ୍‍ ଯୋଜନା ଅନୁସାରେ ଯେଉଁ ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍‍ ନମ୍ବରର ଶେଷ ଅଙ୍କ ଯୁଗ୍ମ ହୋଇଥିବ,ସେହି ଗାଡ଼ିଗୁଡ଼ିକ ଏକ ଯୁଗ୍ମ ନମ୍ବର ତାରିଖରେ ଚଳାଚଳ କରିପାରିବ ଓ ଯେଉଁ ଗାଡ଼ିଗୁଡ଼ିକର ନମ୍ବର ଅଯୁଗ୍ମ ହୋଇଥିବ, ସେଗୁଡ଼ିକ ଏକ ଅଯୁଗ୍ମ ନମ୍ବର ତାରିଖରେ ଚଳାଚଳ କରିବ। ଏହି ଯୋଜନା ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ରବିବାର ଦିନ ଏହା ଲାଗୁ ହେବ ନାହିଁ।
ଅଡ୍‍-ଇଭିନ୍‍ ଯୋଜନାକୁ ଲଙ୍ଘନ କରୁଥିବା ଗାଡ଼ିଗୁଡ଼ିକ ଉପରେ ୪ ହଜାର ଟଙ୍କା ଜୋରିମାନା ଲାଗିବ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ରାଜ୍ୟଗୁଡ଼ିକର ରାଜ୍ୟପାଳ, ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି,କେନ୍ଦ୍ରମନ୍ତ୍ରୀ, ରାଜ୍ୟସଭା ଓ ଲୋକସଭା ବିରୋଧି ଦଳ ନେତା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କର ଗାଡ଼ିଗୁଡ଼ିକୁ ଏହି ଯୋଜନାର ପରିସର ବାହାରେ ରଖାଯାଇଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଗାଡ଼ିଗୁଡ଼ିକ ଉପରେ ଏହି ଯୋଜନା ଲାଗୁ
ହେବ। ତେବେ ଏଥରର ଅଡ୍‍-ଇଭିନ୍‍ ଯୋଜନାରୁ ବେସରକାରୀ ସିଏନ୍‍ଜି ଚାଳିତ ଯାନଗୁଡ଼ିକୁ ମଧ୍ୟ ବାଦ୍‍ ଦିଆଯାଇ ନାହିଁ । ଏହି ଯୋଜନା ସମସ୍ତ ଦୁଇଚକିଆ ଯାନ, ଜରୁରୀକାଳୀନ ଡାକ୍ତରୀ ସେବାରେ ମୁତୟନ ଯାନ,ମହିଳାମାନେ ଚଳାଉଥିବା ଯାନ, ସ୍କୁଲ୍‍ ପିଲାମାନଙ୍କୁ ବହନ କରି ନେଉଥିବା ଯାନ ଓ ଇଲେକ୍‍ଟ୍ରିକ୍‍ ଚାଳିତ ଯାନଗୁଡ଼ିକ ଉପରେ ଲାଗୁ ହେବ ନାହିଁ।

ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ୧୨ ଦିନ ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋ ଅତିରିକ୍ତ ୬୧ ଥର ଚଳାଚଳର ବ୍ୟବସ୍ଥା କରିଛି । ଉତ୍ତର ପ୍ରଦେଶ ସରକାର ଅତ୍ୟଧିକ ବାୟୁ ପ୍ରଦୂଷଣ ପାଇଁ ମଙ୍ଗଳବାର ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ଗୌତମ ବୁଦ୍ଧ ନଗର, ମେରଠ ଓ ହାପୁଡ ଜିଲ୍ଲାର ସମସ୍ତ ସ୍କୁଲ୍‍ ପାଇଁ ଘୋଷଣା କରାଯାଇଛି। ରାଜ୍ୟରେ ବାୟୁ
ପ୍ରଦୂଷଣକୁ ରୋକିବାପାଇଁ ଉପାୟ ବାହାର କରିବା ଲାଗି ଉତ୍ତର ପ୍ରଦେଶ ସରକାର ଆଇଆଇଟି ପ୍ରତିଷ୍ଠାନଗୁଡ଼ିକର ସହାୟତା ଲୋଡ଼ିଛନ୍ତି।

Comments are closed.