ଆଇନଷ୍ଟାଇନ ଓ ହକିଙ୍ଗ୍‌ସଙ୍କୁ ପଛରେ ପକାଇଲେ ଏହି ୧୧ ବର୍ଷୀୟା ଭାରତୀୟ ଛାତ୍ରୀ

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିଙ୍କ ଆଇକ୍ୟୁ ଯେତେ ଅଧିକ ସେ ସେତେ ବୁଦ୍ଧିମାନ। ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିଙ୍ଗ୍‌ସ ନିଜର ଆଇକ୍ୟୁ ପାଇଁ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି ଭାବେ ଜଣାଶୁଣା। କିନ୍ତୁ ଏହି ଦୁଇଜଣଙ୍କୁ ପଛର ପକାଇଦେଇଛନ୍ତି ଜଣେ ୧୧ ବର୍ଷୀୟା ଭାରତୀୟ ଛାତ୍ରୀ, ଯିଏକି ଆଇକ୍ୟୁ ପରୀକ୍ଷାରେ ଆଇନଷ୍ଟାଇନ ଏବଂ ହକିଙ୍ଗ୍‌ସଙ୍କଠାରୁ ଅଧିକ ନମ୍ବର ରଖିଛନ୍ତି। ଏହି ଛାତ୍ରୀଙ୍କ ନାମ ହେଉଛି ଅନୁଷ୍କା ଦୀକ୍ଷିତ। ଆଇନଷ୍ଟାଇନ ଏବଂ ହକିଙ୍ଗ୍‌ସଙ୍କ ଆଇକ୍ୟୁ ସ୍କୋର ୧୬୦ ଥିଲାବେଳେ ଅନୁଷ୍କାଙ୍କ ଆଇକ୍ୟୁ ସ୍କୋର ୧୬୨ ରହିଛି। ନିକଟରେ ଲଣ୍ଡନରେ ହୋଇଥିବା ମେନ୍‌ସା ଆଇକ୍ୟୁ ପରୀକ୍ଷାରେ ଅନୁଷ୍କା ଏହି ସ୍କୋର କରିଛନ୍ତି। ପୂର୍ବ ଲଣ୍ଡନ ବିଶ୍ବବିଦ୍ୟାଳୟରେ ହୋଇଥିବା ଏହି ପରୀକ୍ଷାରେ ସେ ୪୦ ମିନିଟରେ ସମ୍ପୂର୍ଣ୍ଣ ପିରିୟଡିକ୍‌ ଟେବୁଲକୁ ମନେ ପକାଇ ଦେଇଥିଲେ ଏବଂ ୧୬୨ ନମ୍ବର ରଖିଥିଲେ।

ମା’ବାପାଙ୍କ ସହିତ ଲଣ୍ଡନରେ ରହୁଥିବା ଅନୁଷ୍କାଙ୍କ ବୟସ ମାତ୍ର ୧୧ ବର୍ଷ। ଅନୁଷ୍କାଙ୍କ ମା’ଙ୍କ ନାମ ଆରତୀ ଦୀକ୍ଷିତ ଏବଂ ତାଙ୍କ ବାପାଙ୍କ ନାମ ନୀରଜ ଦୀକ୍ଷିତ। ମା’ ଗୃହିଣୀ ହୋଇଥିବାବେଳେ ବାପା ଜଣେ ପ୍ରବର୍ତ୍ତନ ଅଧିକାରୀ।

Image courtesy: Amar ujala

ଅନୁଷ୍କା ପିଲାଦିନରୁ ଅତ୍ୟନ୍ତ ବୁଦ୍ଧିମାନ। ତାଙ୍କୁ ଯେତେବେଳେ ୬ମାସ ହୋଇଥିଲା ସେତେବେଳେ ସେ କଥା କହିବା ଆରମ୍ଭ କରିଥିଲେ। ୧ବର୍ଷ ବୟସରେ ସେ ସମସ୍ତ ଦେଶ ଏବଂ ତାହାର ରାଜଧାନୀର ନାମ ମନେରଖିପାରିଥିଲେ, ଯାହା ତାଙ୍କ ପରିବାର ଲୋକଙ୍କୁ ଚକ୍କିତ କରିଥିଲା। ୟୁନିଭର୍ସିଟି ଅଫ ଇଷ୍ଟ ଲଣ୍ଡନରେ ଆୟୋଜିତ ଆଇକ୍ୟୁ ପରୀକ୍ଷାରେ ଅନୁଷ୍କା ସବୁଠାରୁ କମ୍‌ ବୟସର ପରୀକ୍ଷାର୍ଥୀ ଥିଲେ। ସେଠାରେ ଉପସ୍ଥିତ ପରୀକ୍ଷାର୍ଥୀଙ୍କ ବୟସ ୩୦ରୁ ୬୦ ବର୍ଷ ମଧ୍ୟରେ ଥିଲା। ପରୀକ୍ଷାରେ ତାଙ୍କୁ ମୋଟ ୨୮ଟି ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ୪ମିନିଟରେ ଦେବାର ଥିଲା। ପ୍ରଥମେ ଅନୁଷ୍କା ଭାବିଥିଲେ ଯେ, ସେ ଗୋଟିଏ ପ୍ରଶ୍ନର ଭୁଲ ଉତ୍ତର ଦେଇଦେଇଛନ୍ତି। ସେଥିପାଇଁ ସେ ବହୁତ କାନ୍ଦିଥିଲେ। କିନ୍ତୁ ଯେତେବେଳେ ଫଳାଫଳ ଆସିଲା, ସେତେବେଳେ ତାହା ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ସବୁଠାରୁ ଅଧିକ ନମ୍ବର ରଖିଥିଲେ।

Comments are closed.