ତିନି ଅପହୃତ ବ୍ୟକ୍ତି ଉଦ୍ଧାର; ୧୧ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ତିନି ଜଣ ବ୍ୟକ୍ତିଙ୍କୁ ଅପହରଣ କରିଥିବା ଘଟଣାରେ ପୁଲିସ ୧୧ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୧ ମୋବାଇଲ, ଗୋଟିଏ ନକଲି ବନ୍ଧୁକ, ୨ବାଇକ ଓ ତିନି କାର ଜବତ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଅମର ପ୍ରସାଦ ସେଠି ନାମକ ଜଣେ ଯୁବକ ତାଙ୍କ ଦୁଇ ଜଣ ସାଙ୍ଗଙ୍କ ସହ ପଦ୍ମପୁର ଥାନାର ବାରିହାପାଲି ଅଞ୍ଚଳରେ ତାଙ୍କ କାରରେ ଆସିଥିଲେ। ଏହି ସମୟରେ ଅନ୍ୟ କିଛି ଯୁବକଙ୍କ ସହ ଭେଟ ହୋଇ କଥାବାର୍ତ୍ତା ହୋଇଥିଲା। ସେହି ଯୁବକମାନେ ଅମର ଏବଂ ତାଙ୍କ ସାଙ୍ଗମାନଙ୍କୁ ଅପହରଣ କରି ବିଜେପୁର ଅଞ୍ଚଳକୁ ନେଇ ଯାଇଥିଲେ। ପରେ ଅମରଙ୍କ ପରିବାରକୁ ଫୋନ କରି ପଇସା ଦାବି କରିଥିଲେ। ଏହି ଘଟଣା ଗତ୧୩ ତାରିଖ ରାତିରେ ଘଟିଥିବା ବେଳେ ପଦ୍ମପୁର ପୁଲିସରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ ତନାଘନା କରି ଏଥିରେ ସଂପୃକ୍ତ ଥିବା ୧୧ଜଣ ଯୁବକଙ୍କୁ ଗିରଫ କରିବା ସହ ଅପହରଣ ହୋଇଥିବା ତିନି ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ।

Comments are closed.