୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବାରୁ ବ୍ୟବସାୟୀଙ୍କ ମୃତ୍ୟୁ ଅଭିଯୋଗ

0

ମୁଖିଗୁଡ଼ା : କଳାହାଣ୍ଡି ଜିଲା ଭବାନୀପାଟଣାରେ ୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବାରୁ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖବରଅନୁସାରେ ଶୁକ୍ରବାର ରାତିରେ ଯଶୋଦା ସାଇକେଲ ଷ୍ଟୋର ମାଲିକ ଗଗନ ବାଗ(୩୭) ହଠାତ୍‍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ଜୟପାଟଣା ଡ଼ାକ୍ତରଖାନାକୁ ନିଆଯାଇଥିଲା। ପରେ ସେଠୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗଗନଙ୍କୁ ଅକ୍ସିଜେନ୍‍ ଦେଇ ଭବାନୀପାଟଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିଲା। ବାଟରେ ଦୁଲ୍‍କିବନ୍ଧ ନିକଟରେ ଅକ୍ସିଜେନ୍‍ ସରିଯିବାରୁ ଜୁନାଗଡ଼ ଡ଼ାକ୍ତରଖାନାକୁ ନିଆଯାଇ ଅକ୍ସିଜେନ୍‍ ବ୍ୟବସ୍ଥା କରାଯାଇ ଭବାନୀପାଟଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶନିବାର ସକାଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତକଙ୍କ ଶବ ବ୍ୟବଚ୍ଛେଦ୍‍ କରାଯାଇଛି। ଗଗନଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ ବାଟରେ ଅକ୍ସିଜେନ୍‍ ସରିଯିବାରୁ ଗଗନଙ୍କ ମୃତ୍ୟୁ ଘଟିଛି । ଗଗନଙ୍କ ବିୟୋଗରେ ଶନିବାର ଜୟପାଟଣାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଜଣେ ଉଦ୍ୟେଗୀ ଯୁବକଙ୍କୁ ହରାଇଲୁ ବୋଲି ଜୟପାଟଣା ବଣିକ ସଂଘର ସଭାପତି ମାହେଶ୍ୱରୀ ପ୍ରସାଦ ବେହେରା, ବ୍ୟବସାୟୀ ରାଜେଶ ଅଗ୍ରୱାଲ ପ୍ରକାଶ କରିଛନ୍ତି।

Leave A Reply