ଦେବଦୂତ ସାଜିଲେ ୧୦୮ କର୍ମଚାରୀ

0

ମାଥିଲି: ଆଦିବାସୀ ଅଞ୍ଚଳରେ ରୋଗୀଙ୍କୁ ଠିକ୍‍ ଭାବେ ୧୦୮ ସେବା ମିଳୁନାହିଁ। ୧୦୮ ପହଞ୍ଚିବାରେ ବିଳମ୍ବ ହେଉ କିମ୍ବା ନ ପହଞ୍ଚିବାରୁ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ପିଛା ଛାଡ଼ୁ ନ ଥିବାବେଳେ ଜଣେ ୧୦୮ ଆଟେଣ୍ଡାଣ୍ଟ ଜଣେ ମହିଳା ରୋଗୀଙ୍କୁ ରକ୍ତ ଦେଇ ତାଙ୍କର ଜୀବନ ବଞ୍ଚାଇବା ଘଟଣା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ମାଥିଲି ସଦରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ସୁଲଭ ଶୌଚାଳୟରେ ଝାଡ଼ୁଦାର ଭାବେ କାର୍ୟ୍ୟ କରୁଥିବା ମଉନାବତୀ ଧାଙ୍ଗଡ଼ାମାଝି ରକ୍ତହୀନତା ରୋଗରେ ପୀଡିତ ଅଛନ୍ତି। ତାଙ୍କ ଦେଖାରଖା କରିବା ପାଇଁ କେହି ନାହାନ୍ତି। ଏପରିକି ନିଜର ଚିକିତ୍ସା ପାଇଁ ମଧ୍ୟ ସେ ସମ୍ପୂର୍ଣ୍ଣ ଅସହାୟ। ଦୁଇ ତିନିଦିନ ତଳେ ତାଙ୍କ ଅବସ୍ଥା ଖରାପ ହେବାରୁ ସେ ରହୁଥିବା ମାଥିଲି ହାଟପଦାରୁ ତାଙ୍କୁ ୧୦୮ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୧୦୮ର ଆଟେଣ୍ଡାଣ୍ଟ ଏ.କ୍ରିଷ୍ଣାରାଓ ଓ ଫାର୍ମାସିଷ୍ଟ ରାମକୃଷ୍ଣ ସ୍ୱାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କ ଦେଖାରଖା ମଧ୍ୟ କରୁଥିଲେ। ଆଜି ରକ୍ତ ଅଭାବରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ଏତିକି ବେଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରାକେଶ କୁମାର ବେହେରା ରକ୍ତ ଯୋଗାଡ଼ କରିବା ପାଇଁ କହିଥିଲେ। କିନ୍ତୁ ମାଲକାନଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଓ’ ପଜେଟିଭ୍‍ ଗ୍ରୁପ୍‍ର ରକ୍ତ ଉପଲବ୍ଧ ନ ଥିଲା। ଆଜି ଏ.କ୍ରିଷ୍ଣାରାଓ ଓ ରାମକୃଷ୍ଣ ସ୍ୱାଇଁ କୌଣସି
ରୋଗୀଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବାବେଳେ ରକ୍ତ ଅଭାବରୁ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବା ଓ ତୁରନ୍ତ ରକ୍ତ ପ୍ରଦାନ କରା ନ ଗଲେ ତାଙ୍କ ଜବୀନ ପ୍ରତି ବିପଦ ରହିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଜଣକ କହିଥିଲେ। ଏତିକି ବେଳେ ମହିଳାଙ୍କ ଜୀବନ ବଞ୍ଚାଇବାକୁ ୧୦୮ଆଟେଣ୍ଡାଣ୍ଟ ଏ.କ୍ରିଷ୍ଣାରାଓ ଆଗେଇ ଆସିିଥିଲେ। ଏ.କ୍ରିଷ୍ଣାରାଓ ନିଜର ରକ୍ତଗ୍ରୁପ୍‍ ସମ୍ପର୍କରେ ଜଣାଇ ମହିଳାଙ୍କୁ ତୁରନ୍ତ ରକ୍ତ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କ୍ରିଷ୍ଣା ରକ୍ତଦାନ କରିବା ପାଇଁ ରାଜି ହେବା ପରେ ଡାକ୍ତର ତାଙ୍କ ଠାରୁ ରକ୍ତ ସଂଗ୍ରହ କରି ମହିଳାଙ୍କୁ ପ୍ରଦାନ କରିଥିଲେ। ଚିକିତ୍ସା କରୁଥିବା ଡାକ୍ତର ଓ ଫାର୍ମାସିଷ୍ଟ ମହିଳାଙ୍କ ଔଷଧପତ୍ର ଠାରୁ ଆରମ୍ଭ କରି ସମସ୍ତ ସୁବିଧା ଦେବାକୁ ପ୍ରୟାସ ଚଳାଇଛନ୍ତି। ଆଜି ବିପଦ ବେଳେ ଦେବଦୂତ ସାଜି କ୍ରିଷ୍ଣାରାଓ ତାଙ୍କୁ ରକ୍ତ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍‍ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସପ୍ତାହ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ଭଣ୍ଡାର ଖୋଲାଯିବ। ଏଠାରେ ରକ୍ତ ଗଚ୍ଛିତ ରଖାଯିବ। ଆବଶ୍ୟକ ରୋଗୀ ଏଠାରୁ ସୁବିଧାରେ ରକ୍ତ ନେବାର ପଦକ୍ଷେପ ନିଆଯିବ ବୋଲି ମାଥିଲି ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ବେହେରା ସୂଚନା ଦେଇଛନ୍ତି। ଏଭଳି ଖବର ପ୍ରଚାରିତ ହେବା ପରେ ୧୦୮ ସେବା ପରିଚାଳନା ଦାୟିତ୍ୱରେ ଥିବା ଜିକିତ୍ସା ହେଲ୍‍ଥ କେୟାର ଲିମିଟେଡ ପକ୍ଷରୁ ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଏହି ମହତ୍‍ କାର୍ୟ୍ୟ ପାଇଁ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି।
ରକ୍ତ ଦେଇ ମହିଳାଙ୍କ…

Leave A Reply