ଜାଲିଆନୱାଲା ବାଗ୍‌ ଗଣହତ୍ୟାକୁ ୧୦୦ ବର୍ଷ ପୂରିଲା; ଘଟଣାର ୨୧ ବର୍ଷ ପରେ ପ୍ରତିଶୋଧ ନେଇଥିଲେ ଏହି ବୀର ଭାରତୀୟ ସନ୍ତାନ

ନୂଆଦିଲ୍ଲୀ: ଆଜି ୧୩ ଏପ୍ରିଲ ୨୦୧୯ ମସିହା। ଠିକ୍‌ ଶହେ ବର୍ଷ ତଳେ ଆଜିର ଦିନରେ ପଞ୍ଜାବର ଅମୃତସରସ୍ଥିତ ଜାଲିଆନୱାଲା ବାଗ୍‌ରେ ଏଭଳି ଏକ ଘଟଣା ଘଟିଥିଲା ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ବ୍ରିଟିଶ ସରକାରଙ୍କ ଅତ୍ୟାଚାର ସୀମା ଲଙ୍ଘିଥିଲା। ଦୁଇ ସ୍ବାଧୀନତା ସଂଗ୍ରାମୀଙ୍କୁ ବ୍ରିଟିଶ ସରକାର ଗିରଫ କରିବା ଏବଂ ରାଓଲତ ଆକ୍ଟ ପ୍ରତିବାଦରେ ପାଖାପାଖି ୨୦ ହଜାର ଭାରତୀୟ ଅମୃତସରର ଏକ ବୃହତ୍ତ ପାର୍କ ଜାଲିଆନୱାଲା ବାଗରେ ଏକତ୍ର ହୋଇ ଶାନ୍ତିପୂର୍ଣ୍ଣ ଭାବେ ସଭା କରୁଥିଲେ। ଏହି ସମୟରେ ଜେନେରାଲ ଡାୟର ବ୍ରିଟିଶ ସୈନ୍ୟବାହିନୀ ସହ ପହଞ୍ଚି ଭାରତୀୟଙ୍କ ଉପରେ ଅନ୍ଧାଦୁନିଆ ଗୁଳି ଚଳାଇଥିଲେ। ଏଥିରେ ୩୭୯ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବ୍ରିଟିଶ ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ବେସରକାରୀ ସୂତ୍ର ଅନୁସାରେ ୧ହଜାରରୁ ଊର୍ଦ୍ଧ୍ଵ ଭାରତୀୟ ଏଥିରେ ପ୍ରାଣ ହରାଇଥିଲେ। ଜୀବନ ବଞ୍ଚାଇବାକୁ ଯାଇ ନିକଟରେ ଥିବା କୂଅକୁ ଅନେକ ବ୍ୟକ୍ତି ଡେଇଁପଡ଼ିଥିଲେ। ପରେ ସେହି କୂଅରୁ କେବଳ ୧୨୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେତେବଳେ ବ୍ରିଟିଶ ସରକାରଙ୍କ ପକ୍ଷରୁ ପଞ୍ଜାବ ଲ୍ୟୁଟନାଣ୍ଟ ଗଭର୍ନର ଥିଲେ ମାଇକେଲ ଫ୍ରାନ୍‌ସିସ ଓ’ଡାୟର, ଯିଏ ଏହି ଗଣହତ୍ୟା ପାଇଁ ଜେନେରାଲ ଡାୟର(ରେଜିନାଲ୍ଡ ଏଡୱାର୍ଡ ଡାୟର)ଙ୍କୁ ନିର୍ଦେଶ ଦେଇଥିଲେ।

Image courtesy: Amar ujala

ତେବେ ଏହି ଲୋମହର୍ଷଣକାରୀ ଘଟଣାର ପ୍ରତିଶୋଧ ନେଇଥିଲେ ଜଣେ ଭାରତୀୟ ବୀର ପୁରୁଷ, ଯାହାଙ୍କ ନାମ ହେଉଛି ସର୍ଦ୍ଦାର ଉଦ୍ଧମ  ସିଂହ। ସ୍ବାଧୀନତା ସଂଗ୍ରାମ ସମୟରେ ସେ ପଞ୍ଜାବର ଜଣେ କ୍ରାନ୍ତିକାରୀ ଭାବେ ପରିଚିତ ଥିଲେ। ଗଣହତ୍ୟାର ୨୧ ବର୍ଷ ପରେ ଉଦ୍ଧମ ସିଂହ ଲଣ୍ଡନରେ ପହଞ୍ଚି ଗଣହତ୍ୟାକୁ ସମର୍ଥନ ଜଣାଇଥିବା ପୂର୍ବତନ ଗଭର୍ନର ମାଇକେଲ ଓ’ଡାୟରଙ୍କୁ ହତ୍ୟା କରିଥିଲେ। ଏକ କାର କିଣିବା ବାହାନାରେ ଉଦ୍ଧମ ସିଂହ ଲଣ୍ଡନ ଯାତ୍ରା କରିଥିଲେ।

Image courtesy: Amar ujala (Michael O’dyre)

ସେଦିନ ଥିଲା ମାର୍ଚ୍ଚ ୧୩ ତାରିଖ ୧୯୪୦ ମସିହା। କୈକ୍ସଟନ ହଲରେ ଇଷ୍ଟ ଇଣ୍ଡିଆ ଆସୋସିଏଶନ ଏବଂ ରୟାଲ ଏସିଆନ ସୋସାଇଟିର ବୈଠକ ଚାଲିଥିବାବେଳେ ଉଦ୍ଧମ ସିଂହ ପହଞ୍ଚି ଥିଲେ। ଏକ ପୁସ୍ତକର ଭିତର ପୃଷ୍ଠା କାଟି ସେ ଗୋଟିଏ ବନ୍ଧୁକ ଲୁଚାଇ ରଖିଥିଲେ ଏବଂ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରିଥିଲେ। ବୈଠକ ଶେଷ ହେବା ପରେ ସେ ପୁସ୍ତକରୁ ବନ୍ଧୁକ ବାହାର କରି ମାଇକେଲ ଓ’ଡାୟରଙ୍କୁ ଗୁଳି କରିଥିଲେ। ଜେନେରାଲ ଡାୟରଙ୍କ ଦେହରେ ୨ଟି ଗୁଳି ବାଜିଥିଲା ଏବଂ ସେ ସେହିଠାରେ ଟଳି ପଡ଼ିଥିଲେ। ଘଟଣା ପରେ କିନ୍ତୁ ଉଦ୍ଧମ ସିଂହ ସେ ସ୍ଥାନ ଛାଡ଼ି ଖସି ପଳାଇବାକୁ ଉଦ୍ୟମ କରି ନ ଥିଲେ। ବୀରତ୍ବର ସହ ସେହିଠାରେ ଛିଡ଼ା ହୋଇଥିଲେ। ବ୍ରିଟିଶ ସରକାର ତାଙ୍କୁ ଗିରଫ କରିଥିଲେ। ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ୧୯୪୦ ଜୁଲାଇ ୩୧ରେ ଫାଶୀ ଦିଆଯାଇଥିଲା।

Image courtesy: Amar ujala (General dyre)

ଜାଲିଆନୱାଲା ବାଗ୍‌ ଗଣହତ୍ୟାର ୧୦୦ ବର୍ଷ ପୂରିଛି। ବ୍ରିଟେନର ବର୍ତ୍ତମାନର ଥେରେସା ମେଙ୍କ ସରକାର କେବଳ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରୁଥିବା କହିଛନ୍ତି। କିନ୍ତୁ ବ୍ରିଟିଶ  ସରକାର ଏ ପର୍ଯ୍ୟନ୍ତ ଘଟଣା ପାଇଁ କ୍ଷମା ମାଗିବାକୁ ନାରାଜ।

Comments are closed.