ୱିଲିୟମସନ୍‍ ସନରାଇଜର୍ସ ହାଇଦରାବାଦ ଅଧିନାୟକ

0

ନୂଆଦିଲ୍ଲୀ : ବଲ୍‍ ଟାମ୍ପରିଂ କରି କ୍ରିକେଟ୍‍ ଅଷ୍ଟ୍ରେଲିଆ ଦ୍ୱାରା ୧୨ ମାସ ପର୍ଯ୍ୟନ୍ତ ବାସନ୍ଦ ହୋଇଥିବା ଡେଭିଡ୍‍ ୱାର୍ଣ୍ଣର ଆଇପିଏଲ୍‍ର ଚଳିତ ସିଜିନ୍‍ରେ ଖେଳିବେ ନାହିଁ। ୱାର୍ଣ୍ଣର ଆଇପିଏଲ୍‍ର ଅନ୍ୟତମ ଦଳ ସନ୍‍ରାଇଜର୍ସ ହାଇଦରାବାଦ୍‍ର ଅଧିନାୟକ ଭାବେ ପୂର୍ବରୁ ନିଯୁକ୍ତି ପାଇଥିବା ବେଳେ ପରିବର୍ତ୍ତିତ ପରିସ୍ଥିତିରେ ୱାର୍ଣ୍ଣରଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର କେନ୍‍ ୱିଲିୟମସନ୍‍ଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସନ୍‍ରାଇଜର୍ସ ଦଳର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ କେ.ସାନ୍ମୁଗାମ୍‍ କହିଛନ୍ତି କେନ୍‍ ୱିଲିୟମସନ୍‍ଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୱିଲିୟମସନ୍‍ଙ୍କ ନେତୃତ୍ୱରେ ଦଳ ଆଇପିଏଲ୍‍ ଭଲ ପ୍ରଦର୍ଶନ କରିବାର ଆଶା କରାଯାଉଛି। ୨୦୧୫ରେ ସନ୍‍ରାଇଜର୍ସ ଦଳ ସହ ଯୋଗ ଦେଇଥିବା ୱିଲିୟମସନ୍‍ ଦଳ ତରଫରୁ ୩ଟି ସିଜିନ୍‍ରେ ୪୧୧ ରନ୍‍ ସଂଗ୍ରହ କରିଛନ୍ତି। ନିଜ ପ୍ରତିକ୍ରିୟାରେ ୱିଲିୟମସନ୍‍ କହିଛନ୍ତି ଦଳର ଅଧିନାୟକ ଭାବେ କାମ କରିବାର ସୁଯୋଗ ମିଳିଥିବାରୁ ସେ ବେଶ୍‍ ଖୁସି ଅଛନ୍ତି। ଦଳରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ଥିବାରୁ ଆଇପିଏଲ୍‍ରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି। ସୂଚନାଥାଉକି ଭାରତୀୟ ଦଳର ଓପନ୍‍ର ଶିଖର ଧାୱନ୍‍ଙ୍କୁ ସନ୍‍ରାଇଜର୍ସ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯିବ ବୋଲି ଆଲୋଚନା ହେଉଥିଲା, ତେବେ ନ୍ୟୁଜିଲାଣ୍ଡ କ୍ରିକେଟ୍‍ ଦଳର ଅଧିନାୟକ ଭାବେ ୩ଟି ଯାକ ଫର୍ମାଟ୍‍ରେ ୱିଲିୟମସନ୍‍ଙ୍କ ସଫଳତାକୁ ଲକ୍ଷ୍ୟ ରଖି ତାଙ୍କୁ ସନ୍‍ରାଇଜର୍ସ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବା କୁହାଯାଉଛି। ୱାର୍ଣ୍ଣରଙ୍କ ସଂପର୍କରେ ମତ ଦେଇ ୱିିଲିୟମସନ୍‍ କହିଛନ୍ତି ସେ ଜଣେ ଖରାପ ବ୍ୟକ୍ତି ନୁହନ୍ତି। ତେବେ ବଲ୍‍ ଟାମ୍ପରିଂକୁ ନେଇ ଯାହା ଘଟିଗଲା ତାହା ଦୁର୍ଭାଗ୍ୟଜନକ। ବଲ୍‍ ଟାମ୍ପରିଂ ବିଷୟକୁ ୱାର୍ଣ୍ଣର ସ୍ୱୀକାର କରି ନିଜ ବିଶାଳ ହୃଦୟର ପରିଚୟ ଦେଇଛନ୍ତି। ଭବିଷ୍ୟତରେ ୱାର୍ଣ୍ଣର ସନ୍‍ରାଇଜର୍ସ ଦଳକୁ ଫେରି ପୁନର୍ବାର ସଫଳତା ପାଇବାର ଆଶା ରହିଛି। ଆଇପିଏଲ୍‍ର ଚଳିତ ସିଜିନ୍‍ରେ ସନ୍‍ରାଇଜର୍ସ ଆସନ୍ତା ୯ରେ ରାଜସ୍ଥାନ ରୟାଲ୍‍ସ ଦଳ ବିପକ୍ଷରେ ପ୍ରଥମ ମ୍ୟାଚ୍‍ ଖେଳିବ।

Leave A Reply