୪୭ବର୍ଷରେ କନ୍ୟାର ପିତା: ସମାଲୋଚନାକୁ ଭୟ କରି ନବଜାତକୁ ହତ୍ୟା କଲେ ଦମ୍ପତ୍ତି

0

ଜଲପାଇଗୁଡ଼ି: ପରିଣତ ବୟସରେ ସନ୍ତାନକୁ ଜନ୍ମ ଦେଇ ସମାଜର ସମାଲୋଚନାର ଶିକାର ହେବା ଭୟରେ ଏକ ଦମ୍ପତ୍ତି ନିଜ ନବଜାତ ଶିଶୁକୁ ହତ୍ୟା କରିବା ଘଟଣା ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଦିଲ୍ଲୀପ ଚକ୍ରବର୍ତ୍ତୀ(୪୭) ଜଣେ ଦୀନ ମଜୁରୀଆ ହୋଇଥିବାବେଳେ ତାଙ୍କ ପତ୍ନୀ ସୁନୀତି(୪୨) କିଛି ଦିନ ପୂର୍ବେ ୬ଷ୍ଠ ସନ୍ତାନ ପ୍ରସବ କରିଥିଲେ। ପୂର୍ବରୁ ଉକ୍ତ ଦମ୍ପତ୍ତିଙ୍କ ୩ଝିଅ ଓ ୨ପୁଅ ଥିବାବେଳେ ୬ଷ୍ଠ ସନ୍ତାନ ଭାବେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଇତିମଧ୍ୟରେ ଉକ୍ତ ଦମ୍ପତ୍ତି ନିଜ ବଡ଼ ଝିଅ ପକ୍ଷରୁ ନାତି ନାତୁଣୀ ଦେଖି ସାରିଥିବାବେଳେ, ପରିବାରରେ ୬ଷ୍ଠ ସନ୍ତାନକୁ ନେଇ ସାମାଜିକସ୍ତରରେ ସମାଲୋଚନାର ସମ୍ଭାବନାକୁ ନେଇ ବେଶ୍‍ ବିଚଳିତ ହୋଇ ପଡ଼ିଥିଲେ ଏହି ଦମ୍ପତ୍ତି। କାଶିରଡାଙ୍ଗା ଗ୍ରାମରେ ରବିବାର ରାତିରେ ପାଣିରେ ଭାସୁଥିବା ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ମାତ୍ର ୭ଦିନର ଏହି କନ୍ୟ ସନ୍ତାନର ଗଳାକୁ ଧରୁଆ ଅସ୍ତ୍ରରେ କଟା ଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଥିଲା। ମାୟାନାଗୁରୀ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ ହେବା ପରେ ଘଟଣାକୁ ନେଇ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ପଡ଼ୋଶୀଙ୍କଠାରୁ ଦିଲ୍ଲୀପ ଓ ସୁନୀତିଙ୍କ ୬ଷ୍ଠ କନ୍ୟାସନ୍ତାନ ପ୍ରସବ କାହାଣୀ ଜଣାପଡ଼ିବା ପରେ ଉକ୍ତ ନବଜନ୍ମାକୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ତେବେ ଉକ୍ତ କନ୍ୟା ସନ୍ତାନ ସମ୍ପର୍କରେ ଦମ୍ପତ୍ତି ପୁଲିସକୁ କୌଣସି ସଠିକ ଉତ୍ତର ଦେଇ ନପାରିବାରୁ ଉଭୟଙ୍କୁ ଗିରଫ କରି ପୁଲିସ ପଚରାଉଚରା ଆରମ୍ଭ କରିଥିଲା। ସେହି କନ୍ୟା ସନ୍ତାନକୁ ଦମ୍ପତ୍ତି ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି।

Leave A Reply