୨୩ ବର୍ଷ ତଳର ରହସ୍ୟ

0

୧୯୯୫ ଅକ୍ଟୋବର ୧୯ରେ ଆଦିତ୍ୟ ଚୋପ୍ରା ନିର୍ଦେଶିତ ‘ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’ ମୁକ୍ତିଲାଭ କରିଥିଲା। ସେସମୟରେ ଖୁବ୍ ବ୍ୟାବସାୟିକ ସଫଳତା ପାଇଥିବା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କିଙ୍ଗ୍ ଖାନ୍ ଶାହରୁଖ୍ ଓ କାଜଲ୍ ଅଭିନୟ କରିଥିଲେ। ଏଇ ଚଳଚ୍ଚିତ୍ର ପରେ ଦୁହେଁ ‘ହିଟ୍ ଯୋଡ଼ି’ ଭାବେ ଜଣାଯିବା ସହ ସେମାନଙ୍କ ଲୋକପ୍ରିୟତା ରାତାରାତି ବୃଦ୍ଧି ପାଇଥିଲା। ଏହା ପରେ ଶାହରୁଖ୍ ଓ କାଜଲ ଏକତ୍ର କେତେକ ଚଳଚ୍ଚିତ୍ରରେ କାମ କରି ସଫଳତା ପାଇଥିଲେ। ବଲିଉଡରେ ମଧ୍ୟ ସମସ୍ତେ ଭଲଭାବେ ଜାଣନ୍ତି କାଜଲ ଓ ଶାହରୁଖଙ୍କ ଘନିଷ୍ଠ ବନ୍ଧୁତା। ତେବେ କାଜଲ ଅଭିନେତା ଅଜୟ ଦେବଗନ୍‌ଙ୍କ ସହ କେତେକ ଚଳଚ୍ଚିତ୍ରରେ ଏକତ୍ର କାମ କରିବା ପରେ ଦୁହେଁ ପରସ୍ପରକୁ ପସନ୍ଦ କରି ବିବାହ କରିଥିଲେ। ବିବାହ ପରେ ଏକ ଉଡ଼ା ଖବର ଶୁଣାଯାଇଥିଲା ଯେ ଅଜୟ ଯଦିଓ କାଜଲଙ୍କୁ ଅଭିନୟ କରିବା ନିମନ୍ତେ ଅନୁମତି ଦେଇଛନ୍ତି, କିନ୍ତୁ ଶାହରୁଖଙ୍କ ସହ ଅଭିନୟ ଯେପରି ସେ କରିବେ ନାହିଁ, ଏହା ମଧ୍ୟ ସର୍ତ୍ତ ରଖିଛନ୍ତି। ଅନେକ ଏହାକୁ ଉଡ଼ା ଖବର କହିଲାବେଳେ ସତକୁ ସତ କିଛି ବର୍ଷ ପର୍ଯ୍ୟନ୍ତ କାଜଲ ଓ ଶାହରୁଖଙ୍କୁ ଅନ୍-ସ୍କ୍ରିନ୍‌ରେ ଦେଖିବାକୁ ମିଳିଲା ନାହିଁ। ପରେ ଅବଶ୍ୟ ଦୁହେଁ ‘କଭି ଖୁସି କଭି ଗମ୍’ ଓ ‘ଦିଲୱାଲେ’ରେ କାମ କରି ପୁଣି ପ୍ରଶଂସିତ ହୋଇଥିଲେ। କିଛିଦିନ ତଳେ ଏକ ସାକ୍ଷାତକାରରେ କାଜଲ କହିଛନ୍ତି, ‘ଦିଲୱାଲେ ଦୁଲହନିୟା ଲେ..’ ମୁକ୍ତିଲାଭର ୨୩ ବର୍ଷ ଅତିବାହିତ ହୋଇଗଲାଣି, କିନ୍ତୁ ଆଜି ଯାଏଁ ତାଙ୍କ ସ୍ବାମୀ ଅଜୟ ଏଇ ଚଳଚ୍ଚିତ୍ର ଦେଖିନାହାନ୍ତି। ଅଜୟ ପତ୍ନୀଙ୍କ ଅଭିନୀତ ସମସ୍ତ ଚଳଚ୍ଚିତ୍ର ଦେଖିସାରିଥିବାବେଳେ ଏଇ ଗୋଟିଏକୁ କାହିଁକି ବାଦ୍ ଦେଇଛନ୍ତି, ତାହା କାଜଲଙ୍କୁ ମଧ୍ୟ ଜଣାନାହିଁ। କାଜଲ ଏହା ମଧ୍ୟ ହସିହସି କହିଥିଲେ, ଆଗାମୀ କୌଣସି ସାକ୍ଷାତକାରରେ ସେ ଓ ଅଜୟ ଉପସ୍ଥିତ ଥିବାବେଳେ ଉପସ୍ଥାପକ ଏଇ ପ୍ରଶ୍ନ ଅଜୟଙ୍କୁ ନିହାତି ଭାବେ ପଚାରିବା ଦରକାର। ଅନ୍ତତଃ ୨୩ ବର୍ଷ ତଳର ରହସ୍ୟ ଉନ୍ମୋଚନ ହୋଇପାରିବ।

Leave A Reply