୨ୟ ଟି୨୦ ଆଜି: ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ଭାରତ

0

ଅକ୍‌ଲାଣ୍ଡ: ଦିନିକିଆ ସିରିଜ୍‌କୁ ଭାରତ ଏକତରଫା ଭାବେ ଜିତିବା ପରେ ଏକ ଭିନ୍ନ ନ୍ୟୁଜିଲାଣ୍ଡ ଦଳକୁ ଭାରତ ବୁଧବାର ଭେଟିଥିଲା। ଫର୍ମାଟ ବଦଳିବା ସହ ଘରୋଇ ନ୍ୟୁଜିଲାଣ୍ଡ ଏକ ଉନ୍ନତ ଦଳ ନଜର ଆସିଥିଲା। ଘରୋଇମାଟିରେ ତା’ର ଟ୍ବେଣ୍ଟି୨୦ ରେକର୍ଡକୁ ଅକ୍ଷୂଣ୍ଣ ରଖିବା ସହ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ୮୦ ରନ୍‌ର ବିପୁଳ ବ୍ୟବଧାନରେ ନ୍ୟୁଜିଲାଣ୍ଡ ଜିତିବାରେ ସଫଳ ହୋଇଛି। ତା’ର ଟ୍ବେଣ୍ଟି୨୦ ଇତିହାସରେ ସବୁଠାରୁ ବଡ଼ ପରାଜୟ ପରେ ଝାଡ଼ିଝୁଡ଼ି ହୋଇ ଉଠିବାକୁ ବହୁତ କମ୍ ସମୟ ଭାରତୀୟ ଦଳ ପାଖରେ ରହିଛି। ଶୁକ୍ରବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍‌କୁ ସହଜରେ ଜିତିବା ପରେ ୩ ମ୍ୟାଚ୍‌ର ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ତେଣୁ ୨ୟ ମ୍ୟାଚ୍ ଜିତି ସିରିଜ୍‌ କବ୍‌ଜା କରିବା ସହ ଦିନିକିଆ ସିରିଜ୍‌ ପରାଜୟର ପ୍ରତିଶୋଧ ନେବାକୁ ନ୍ୟୁଜିଲାଣ୍ଡ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ସିରିଜ୍‌କୁ ଜୀବନ୍ତ ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ହେବ। ଏଥିପାଇଁ ଭାରତକୁ ତା’ର ପ୍ରଦର୍ଶନ ସ୍ତର ବହୁତ ଉପରକୁ ଉଠାଇବାକୁ ପଡ଼ିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅସଜଡ଼ା ଘରକୁ ସଜାଡ଼ି ଏହି ମ୍ୟାଚ୍‌ରେ ଓହ୍ଲାଇବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି।
ପ୍ରଥମ ଟ୍ବେଣ୍ଟି୨୦ରେ ବ୍ୟାଟ୍‌ସମ୍ୟାନଙ୍କ ଅପେକ୍ଷା ବୋଲର ଭାରତକୁ ଅଧିକ ନିରାଶ କରିଛନ୍ତି। ୨୨୦ ରନ୍‌ର ପିଛାକରି ଜିତିବା ବିଶ୍ବରେ ଯେକୌଣସି ଦଳ ପାଇଁ ବହୁତ କଷ୍ଟକର। ନ୍ୟୁଜିଲାଣ୍ଡ ବ୍ୟାଟ୍‌ସମ୍ୟାନ ଆରମ୍ଭରୁ ଆକ୍ରମଣକରି ଭାରତୀୟ ବୋଲରଙ୍କୁ ଚାପରେ ପକାଇଥିଲେ। ୮୬ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ନ୍ୟୁଜିଲାଣ୍ଡ ଏହି ମୂଳଦୁଆ ଉପରେ ବଡ଼ ସ୍କୋର୍ ଛିଡ଼ା କରି ପାରିଥିଲା। ନ୍ୟୁଜିଲାଣ୍ଡ ମଧ୍ୟକ୍ରମରେ କେନ୍ ୱିଲିୟମ୍‌ସନ ଓ ରସ୍ ଟେଲରଙ୍କ ପରି ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଥିଲେ; ଯେଉଁମାନେ ଇନିଂସ ସମ୍ଭାଳି ପାରିଥିଲେ। ତେବେ ଭାରତ ତା’ର ମଧ୍ୟକ୍ରମରେ ୩ ଜଣ ୱିକେଟ ରକ୍ଷକଙ୍କ ସହ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କୁ ଖେଳାଇଥିଲା। ଏହି ରଣନୀତି ବିଫଳ ହୋଇଥିବା ବେଳେ ଭାରତ ପାଖରେ ବିକଳ୍ପ ନାହିଁ। ଅତିବେଶିରେ ଭାରତ ଶୁବ୍‌ମାନ ଗିଲ୍‌ ଓ କେଦାର ଯାଦବଙ୍କୁ ଖେଳାଇପାରେ। ତାଙ୍କ ଗତ ୩ଟି ମ୍ୟାଚ୍‌ରେ ୭, ୨, ୧ ରନ୍ କରିଥିବା ରୋହିତ ଶର୍ମା ବଡ଼ ସ୍କୋର୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତୀୟ ବୋଲିଂ ଲାଇନ୍‌ରେ ଗୋଟିଏ ପରିବର୍ତ୍ତନ ହେବା ନିଶ୍ଚିତ। ପ୍ରଥମ ମ୍ୟାଚ୍‌ରେ ୪୮ ରନ୍ ବ୍ୟୟ କରିଥିବା ଖଲିଲ ଅହମ୍ମଦଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲ କିମ୍ବା ମହମ୍ମଦ ସିରାଜ୍ ଖେଳିପାରନ୍ତି। ଏପରି ହୋଇପାରେ ଯେ ଅତିରିକ୍ତ ସ୍ପିନର ଭାବେ ଭାରତ କୁଲଦୀପ ଯାଦବଙ୍କୁ ଓହ୍ଲାଇପାରେ। ନ୍ୟୁଜିଲାଣ୍ଡ ମଧ୍ୟ ତା’ର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ। ଅଲ୍‌ରାଉଣ୍ଡର କଲିନ୍ ଡି ଗ୍ରାଣ୍ଡହୋମ୍‌ଙ୍କ ସ୍ଥାନରେ ଜେମ୍‌ସ ନିସାମ୍ କିମ୍ବା ଡଗ୍ ବ୍ରେସ୍‌ୱେଲ ଖେଳିପାରନ୍ତି। ମାର୍ଟିନ୍ ଗପ୍‌ଟିଲଙ୍କ ଅନୁପସ୍ଥିତି ଯୋଗୁଁ ଘରୋଇ ଦଳ ଜଣେ ନୂଆ ଓପ୍‌ନରଙ୍କୁ ଆବିଷ୍କାର କରିପାରିଛି। ଟିମ୍ ସୈଫର୍ଟ ୮ଟି ଟ୍ବେଣ୍ଟି୨୦ରୁ ମୋଟ ୪୨ ରନ୍ କରିଥିବା ​‌ବେଳେ ବୁଧବାର ୮୪ ରନ୍‌ର ବିସ୍ଫୋରକ ଇନିଂସ ଖେଳିଛନ୍ତି। ତାଙ୍କ ସହ କଲିନ୍ ମନ୍‌ରୋ ଫର୍ମକୁ ଫେରିବା ନ୍ୟୁଜିଲାଣ୍ଡକୁ ବେଶ୍ ଉତ୍ସାହିତ କରିଛି। ୱିଲିୟମ୍‌ସନ୍ ଓ ଟେଲର ମଧ୍ୟକ୍ରମକୁ ଦୃଢ଼ତା ଦେଇଛନ୍ତି। ଜୀବନର ପ୍ରଥମ ଟ୍ବେଣ୍ଟି୨୦ ଖେଳିଥିବା ଡ୍ୟାରିଲ୍ ମିଚେଲ ପୁଣି ଏକ ସୁଯୋଗ ପାଇପାରନ୍ତି। ଟ୍ରେଣ୍ଟ୍ ବୋଲ୍‌ଟ ଏହି ସିରିଜ୍‌ରୁ ବିଶ୍ରାମ ନେଇଥିଲେ ହେଁ ଟିମ୍ ସାଉଦି ଚମ୍ପିଆନ୍‌ଙ୍କ ପରି ବୋଲିଂକରି ଦଳକୁ ଜିତାଇ ପାରିଛନ୍ତି। ଭାରତୀୟ ସ୍ପିନରଙ୍କ ଅପେକ୍ଷା ନ୍ୟୁଜିଲାଣ୍ଡର ଦୁଇ ସ୍ପିନର ମିଚେଲ ସାଣ୍ଟ୍‌ନର ଓ ଇସ୍ ସୋଢ଼ି ଭଲ ପ୍ରଦର୍ଶନ କରିଥିବାରୁ ବୋଲିଂକୁ ନେଇ ନ୍ୟୁଜିଲାଣ୍ଡର ବିଶେଷ ଚିନ୍ତା ନାହିଁ। ପ୍ରଥମ ମ୍ୟାଚ୍ ଜିତିଥିବାରୁ ନ୍ୟୁଜିଲାଣ୍ଡ ଅଧିକ ଉତ୍ସାହରେ ଏହି ମ୍ୟାଚ୍‌ରେ ଓହ୍ଲାଇବ। ଅନ୍ୟପକ୍ଷରେ ସିରିଜ୍‌କୁ ଫେରିବାର ଦକ୍ଷତା ଭାରତୀୟ ଦଳର ରହିଛି। ଇଡେନ୍ ପାର୍କରେ ପିଚ୍‌ରେ ୨ ଶହରୁ ଅଧିକ ରନ୍ ହେବାର ପୂର୍ବାନୁମାନ କରାଯାଇଛି।
ଆଜି (ଶୁକ୍ରବାର)ର ମ୍ୟାଚ୍
ଭାରତ-ନ୍ୟୁଜିଲାଣ୍ଡ (୨ୟ ଟ୍ବେଣ୍ଟି୨୦); ସିଧା ପ୍ରସାରଣ ପୂର୍ବାହ୍ନ ୧୧.୩୦ଟାରୁ; ଚ୍ୟାନେଲ: ଷ୍ଟାର ସ୍ପୋର୍ଟସ-୧।

Leave A Reply