ହାତୀ ଉପଦ୍ରବ, ଚାଷୀ ଆତଙ୍କିତ

ବୀରମହାରାଜପୁର: ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ବଣୁଆ ହାତୀ ଚାଷ ଜମିରେ ପ୍ରବେଶ କରି ପହ୍ଲା ନଷ୍ଟ କରିଥିବା ଜଣାପଡିଛି। ଗୋଟିଏ ପଟେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ପାରି ନ ଥିବାବେଳେ ଅନ୍ୟପଟେ ହାତୀଙ୍କ ଏପରି ଉପଦ୍ରବ ସ୍ଥାନୀୟ ଚାଷୀଙ୍କ ନିଜ ହଜେଇ ଦେଇଛି। ସୂଚନା ମୁତାବକ, ଶନିବାର ରାତିରେ ୨ଟି ବଣୁଆ ହାତୀ ଗ୍ରାମର କେତେକ ଚାଷ ଜମିରେ ପଶି ଉପଦ୍ରବ କରିଥିଲେ। ଏଥିରେ ସୁଭାଷିନୀ ମନ୍ତ୍ରା, ସନ୍ତୋଷ ମେଣ୍ଡିଲି ଓ ପଞ୍ଚାନନ ମନ୍ତ୍ରାଙ୍କ ଜମିରେ ବହୁ ପରିମାଣର ପହ୍ଲା ଏବଂ ଛବିଙ୍କ ଜମିରେ ରୁଆ ହୋଇଥିବା ଧାନ ତଳି ନଷ୍ଟ ହୋଇଥିବା ଜଣାପଡ଼ିଛି। ଖବରପାଇ ସ୍ଥାନୀୟ ବନ କର୍ମଚାରୀ ରବିବାର କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରିଥିବାବେଳେ ଚାଷୀମାନେ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି। ହାତୀମାନେ ଏବେ ମଧ୍ୟ ନିକଟସ୍ଥ ଜଙ୍ଗଲରେ ଥିବା ଅନୁମାନ କରାଯାଉଥିବାରୁ ସ୍ଥାନୀୟ ଚାଷୀ ଆତଙ୍କିତ ହୋଇପଡିଛନ୍ତି।

Comments are closed.