ସ୍ୱର୍ଗଦ୍ୱାର ଜମି ଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ ସୁପାରିସ

0

ପୁରୀ: ସ୍ୱର୍ଗଦ୍ୱାର ଜମି ମହାଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତହସିଲଦାର ପ୍ରବୀର କୁମାର ଖିଲାର ଚିଠି ଲେଖିଛନ୍ତି। ଜାଲ୍‌ କାଗଜପତ୍ର ବଳରେ ଶ୍ୟାମସୁନ୍ଦର ଷଡ଼ଙ୍ଗୀଙ୍କ ସମେତ କେତେକ ବ୍ୟକ୍ତି ୧ଏକର ୮୪୨ ଡେସିମିଲ ଜମି ଆତ୍ମସାତ କରିଥିବା ସେ ଉଲ୍ଲେଖ କରିଛନ୍ତି। ଏହିସବୁ ଜମି ହାଲ୍‌ ପ୍ଲଟ ୧୨୫୭, ୧୨୬୭ ଏବଂ ୧୪୫୨ରେ ରହିଛି। ସେଠାରେ ହୋଟେଲ ନିର୍ମାଣ କରାଯାଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ଏଥିନେଇ ଗତବର୍ଷ ମେ ୩୦ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କୁ ରିପୋର୍ଟ ଦେଇଥିଲେ।
ସ୍ୱର୍ଗଦ୍ୱାର ଶ୍ମଶାନକୁ ଲାଗି ରହିଥିବା ଏହି ଜମି ରେକର୍ଡ ସଂଶୋଧନରେ ବଡ଼ଧରଣର ଘୋଟାଲା ହୋଇଥିବା ରିପୋର୍ଟରୁ ଜଣାପଡିଛି। କେବଳ ଶ୍ୟାମସୁନ୍ଦର ନୁହଁନ୍ତି, ଆଉ କେତେକ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତା କରି ସ୍ୱର୍ଗଦ୍ୱାର ଜମି ହଡ଼ପ କରିଛନ୍ତି। ତୁଳସୀ ବଗିଚା ପାଇଁ ୩ ଡେସିମିଲ ଜମି ଶଙ୍କରାଚାର୍ୟ୍ୟଙ୍କଠାରୁ ଲିଜ୍‌ ନେଇ ଜଣେ ବ୍ୟକ୍ତି ୩ ଏକର ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ ଅତିରିକ୍ତ ଉପଜିଲାପାଳ ସନ୍ତୋଷୀ ସାହୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ। ସମୁଦ୍ରକୂଳକୁ ଲାଗି ରହିଥିବା ଏହି ଜମି ସାବକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ମାର୍ଫତ : ଶଙ୍କର ମଧୁସୂଦନ ତୀର୍ଥସ୍ୱାମୀ, ଗୁରୁ ଦାମୋଦର ତୀର୍ଥସ୍ୱାମୀ, ଜାତି : ବୈଷ୍ଣବଙ୍କ ନାମରେ ରହିଥିଲା। ଏହାର ସ୍ୱତ୍ତ୍ୱ ଥିଲା ଅମୃତମଣୋହି। ସାବକ ମୌଜା ବାଲିସାହି, ଖାତା ୩୩ର ୫୬ଟି ପ୍ଲଟରେ ୩୦ ଏକର ୧୧୦ଡେସିମିଲ ଜମି ଥିଲା। ସେଥିରୁ ୮୫୩ ପ୍ଲଟରେ ଥିବା ୧୬ଏକର ୪୦୦ ଡେସିମିଲ ସ୍ୱର୍ଗଦ୍ୱାର ଶ୍ମଶାନ ଭାବେ ବ୍ୟବହାର କରାଯାଉଥିଲା।
୧୯୮୯-୯୦ ହାଲ୍‌ ରେକର୍ଡରେ ମାତ୍ର ୪୬୪ ଡେସିମିଲ ଜମି ସ୍ୱର୍ଗଦ୍ୱାର ଶ୍ମଶାନ ଭାବେ ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୬ଏକର ଅନ୍ୟ ନାମକୁ ଚାଲିଯାଇଛି। ଶ୍ରୀଜୀଉଙ୍କ ମୂଲ୍ୟବାନ ଭୂସମ୍ପତ୍ତି ଉପରେ ହୋଟେଲ, ମାର୍କେଟ କମ୍ଲେକ୍ସ, ବିଦେଶୀ ମଦଦୋକାନ ଏବଂ ଲଜିଂ ଗଢି ଉଠିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୁଜୁ ହୋଇଥିବା
ମାମଲାକୁ ବିଚାର କରି ଓଇଏ କଲେକ୍ଟର ତଥା ତହସିଲଦାର ଶ୍ରୀ ଖିଲାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ପ୍ରାୟ ୨୧ଏକର ଜମି ରେକର୍ଡ କରିବାକୁ ନିର୍ଦେଶ ଦେଇ ସାରିଛନ୍ତି। ଜମି ଦୁର୍ନୀତିର ତଦନ୍ତ ଏବଂ ପୁନରୁଦ୍ଧାର ପାଇଁ ଗୋବର୍ଦ୍ଧନ ପୀଠାଧିଶ ଜଗଦ୍‌ଗରୁ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଜମି ଦୁର୍ନୀତିରେ ସଂପୃକ୍ତଥିବା ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଲିଖିତ ଏତଲା ଦେବାକୁ ହାଇକୋର୍ଟ ପୁରୀ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ।
ତହସିଲଦାର ଶ୍ରୀ ଖିଲାର ଏଥିନେଇ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଶ୍ରୀ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇସାରିଥିବାରୁ ଜମି ଦଖଲରେ ଥିବା ତାଙ୍କ ଉତ୍ତରାଧିକାରୀ ତଥା ସମ୍ପର୍କୀୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମୁଦ୍ରକୂଳ ଥାନା ଇନ୍ସିପେକ୍ଟରଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି। ପୁଲିସ ଏପର୍ୟ୍ୟନ୍ତ ମୋକଦ୍ଦମା ରୁଜୁ କରିନାହିଁ। ଜମି ଜାଲିଆତି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ତହସିଲଦାର ଚିଠି ଲେଖିଥିବା ସୂଚନା ମିଳିଛି। ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ସମ୍ପର୍କରେ ପ୍ରଥମେ “ସମାଜ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ତାହାକୁ ଭିତ୍ତିକରି ଅଭିଯୋଗର ତଦନ୍ତ ପାଇଁ ରାଜସ୍ୱ ପରିଷଦ ସଭ୍ୟ ଏବଂ ରାଜସ୍ୱ ସଚିବ ପୁରୀ ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟରୁ ଜମି ଦୁର୍ନୀତି ଓ ଜାଲିଆତି ସ୍ପଷ୍ଟ ହୋଇଛି।

Leave A Reply