ସେବକ-ପ୍ରଭୁ

0

କନ୍ୟାମାନଙ୍କ ଶିକ୍ଷା ଲାଭ ନିମନ୍ତେ ପଞ୍ଜାବର କିଛି ଉତ୍ସାହୀ ବୁଦ୍ଧିଜୀବୀ ରାଜ୍ୟରେ ଏକ କନ୍ୟା ଗୁରୁକୁଳ ସ୍ଥାପନ ନିମନ୍ତେ ମନସ୍ଥ କଲେ। ଏଭଳି ଏକ ମହତ କାର୍ଯ୍ୟ ପାଇଁ ଅର୍ଥସଂଗ୍ରହ ନିମନ୍ତେ ବଦାନ୍ୟ ବ୍ୟକ୍ତିମାନେ ଆର୍ଥିକ ସହାୟତା ଦେବାପାଇଁ ନିବେଦନ କରାଯାଇଥିଲା। ସେ ସମୟରେ ପଞ୍ଜାବର ଅଗ୍ରଣୀ ସମାଜ ସଂସ୍କାରକ ଭାବରେ ରାୟ ବାହାଦୁର ଲାଲଚନ୍ଦଙ୍କର ଖ୍ୟାତି ଥିଲା। ଲାଲଚନ୍ଦ ଖାଲି ଜଣେ ସମାଜ ସୁଧାରକ ନଥିଲେ, ଜଣେ ବଦାନ୍ୟ ତଥା ଧନଶାଳୀ ବ୍ୟକ୍ତି ଥିଲେ। ଅର୍ଥ ସହାୟତା ପାଇଁ ନିବେଦନ ସମ୍ପର୍କରେ ଜାଣିବା ପରେ ସେ ପର୍ଯ୍ୟାପ୍ତ ଅର୍ଥରାଶି କନ୍ୟା ଗୁରୁକୁଳର ପ୍ରଧାନ ଆଚାର୍ଯ୍ୟଙ୍କ ଠିକଣାରେ ପଠାଇଥିଲେ।
ଏହା ଜାଣିବାପରେ ଗୁରୁକୁଳର ପ୍ରଧାନ ଅାଚାର୍ଯ୍ୟ କୃତଜ୍ଞତା ଜ୍ଞାପନ ନିମନ୍ତେ ସ୍ଥିର କରି ଲାଲଚନ୍ଦଙ୍କ ଘରେ ପହଞ୍ଚିଥିଲେ। ଗୃହରେ ପହଞ୍ଚିବା ପରେ ଢ଼େର ସମୟ ଯାଏ ଦ୍ବାରଦେଶରେ ଠିଆ ହୋଇ କବାଟ ଖଟ୍‌ଖଟ୍‌ କରିଥିଲେ। ହେଲେ କୌଣସି ଉତ୍ତର ମିଳିନଥିଲା କିମ୍ବା କେହିହେଲେ ଭିତରୁ କବାଟ ଖୋଲି ନଥିଲେ। ଆଗନ୍ତୁକ ବେଶ୍‌ କିଛି ସମୟ ଅପେକ୍ଷା କଲେ। ଶେଷରେ ଅନଧିକାର ଭାବରେ ଗୃହରେ ପ୍ରବେଶ କରିବାକୁ ମନସ୍ଥ କଲେ।
ଘର ଭିତରେ ପ୍ରବେଶ କରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ପାଇଥିଲେ। ଦେଖିଲେ ଜଣେ ଅତିଶୟ ବୃଦ୍ଧବ୍ୟକ୍ତି ଅନ୍ୟଜଣେ ବୃଦ୍ଧ ବ୍ୟକ୍ତିଙ୍କର ପାଦ ଚିପି ଦେଉଛନ୍ତି। ଆଗନ୍ତୁକ ଦୁଇ ବୃଦ୍ଧଙ୍କୁ ଦେଖି ପ୍ରଶ୍ନ କରିଥିଲେ- ଲାଲଚନ୍ଦଙ୍କୁ ସାକ୍ଷାତ୍‌ କରିବା ନିମନ୍ତେ ଆସିଛି। ସେ କେଉଁଠି ମିଳିବେ କହିପାରିବେ କି?
ତାଙ୍କର ଏହି ପ୍ରଶ୍ନରେ ସେ ଯେଉଁ ଉତ୍ତର ପାଇଲେ ସେଥିରେ ତାଙ୍କର ଆଶ୍ଚର୍ଯ୍ୟ ଆହୁରି ବଢ଼ି ଯାଇଥିଲା। ପାଦ ଚିପି ଦେଉଥିବା ବୃଦ୍ଧ ବ୍ୟକ୍ତି ଜଣକ ଧୀର ଗଳାରେ ଆଗନ୍ତୁକଙ୍କୁ କହିଥିଲେ ମୁଁ ହିଁ ଲାଲଚନ୍ଦ। ଆପଣ କେଉଁ ଉଦ୍ଦେଶ୍ୟରେ ଖୋଜୁଛନ୍ତି ଯେ?
ଆଗନ୍ତୁକ କନ୍ୟାଶ୍ରମକୁ ତାଙ୍କର ଆର୍ଥିକ ସହାୟତା ପରିପ୍ରେକ୍ଷୀରେ କୃତଜ୍ଞତା ଜ୍ଞାପନ ଉଦ୍ଦେଶ୍ୟରେ ଯେ ଆସିଛନ୍ତି, ଏହା ବ୍ୟକ୍ତ କରିଥିଲେ। ଏହା ଶୁଣି ଲାଲଚନ୍ଦ ସାମାନ୍ୟ ହେଲେ ପ୍ରତିକ୍ରିୟା ପ୍ରକାଶ ନକରି କହିଥିଲେ, ଏତେ ପରିଶ୍ରମ କରି ଆସିବାର କୌଣସି ଆବଶ୍ୟକତା ନଥିଲା। ଯଦି ନିହାତି ଆବଶ୍ୟକ ଥିଲା, ତେବେ ପତ୍ର ମାଧ୍ୟମରେ କୃତଜ୍ଞତା ଜଣାଇ ପାରିଥାନ୍ତେ।
ଆଗନ୍ତୁକ ନିଜ କୌତୂହଳକୁ ଅବଦମିତ କରି ନପାରି ପଚାରିଥିଲେ- ହେଲେ ଆପଣ ଯାହାଙ୍କର ପାଦ ଚିପି ଦେଉଛନ୍ତି, ସେ ଜଣକ କିଏ?
ରାୟ ବାହାଦୁର ଲାଲଚନ୍ଦ ଉତ୍ତର ଦେଇଥିଲେ- ‘ସେ ମୋର ସେବକ। ମୋତେ ତାଙ୍କର ପ୍ରଭୁ ଭାବରେ ମାନି ନେଇ ବିଗତ ଚାଳିଶବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ମୋର ସେବାକରି ଆସୁଛନ୍ତି। ଏବେ ତାଙ୍କର ସ୍ବାସ୍ଥ୍ୟ ଭଲ ନାହିଁ। ସେ ଅନ୍ୟର ସେବା ଖୋଜୁଛନ୍ତି। ଆଜି ମୁଁ ତାଙ୍କର ସେବା କରିବାର ପାଳି ପଡ଼ିଛି। ତାଙ୍କ ସେବାରେ ମୁଁ ଖୁବ୍‌ ଖୁସି ଅନୁଭବ କରୁଛି।’ ଲାଲଚନ୍ଦଙ୍କ ମହାନୁଭବତା ସମ୍ପର୍କରେ ଜାଣିବାପରେ ଆଗନ୍ତୁକଙ୍କ ମସ୍ତକ ଶ୍ରଦ୍ଧାରେ ନତ ହୋଇଯାଇଥିଲା।

Leave A Reply