ସାମ୍ପ୍ରତିକ ରାଜନୀତିରେ ବିତର୍କର ସମ୍ଭାବ୍ୟ ଭୂମିକା

0

ଅନିଲ ପାଣିଗ୍ରାହୀ

ବେଲର୍‍ କଲେଜ୍‍ ଅଫ୍‍ ମେଡିସିନ୍‍, ହ୍ୟୁଷ୍ଟନ, ଯୁକ୍ତରାଷ୍ଟ୍ର ଆମେରିକା
anilkp6@gmail.com

ସଙ୍ଘବଦ୍ଧ ହେବା ଏକ ବିବର୍ତ୍ତନୀ ଆବଶ୍ୟକତା, ଯାହାକି ମନୁଷ୍ୟ ସମେତ ଜୀବଜଗତର ପ୍ରାୟ ସବୁ ପ୍ରାଣୀ ଅନୁସରଣ କରିଥାନ୍ତି। ଯେକୌଣସି ସଙ୍ଘରେ ଦୁଇପ୍ରକାର ଆସ୍ପୃହା ରହିପାରେ: ବ୍ୟକ୍ତିଗତ ଓ ସାମୂହିକ । ବିବର୍ତ୍ତନୀ ଶକ୍ତିର ତାଡ଼ନାରେ ତିଷ୍ଠିରହିବା ପାଇଁ ବ୍ୟକ୍ତିଗତ ଇଚ୍ଛା- ଆକାଂକ୍ଷା ଅପେକ୍ଷା ସାମୂହିକ ଆବଶ୍ୟକତାର ପରିପୂର୍ତ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ, ହୋଇଥାଏ; ଯଦିଓ ଏଥିରୁ ବ୍ୟକ୍ତିଗତ ଅସନ୍ତୋଷ – ତଥା ତହିଁରୁ ବିଭ୍ରାଟ ଉପୁଜିପାରେ, ଯାହାକି ସଙ୍ଘର ଅସ୍ତିତ୍ୱ ଉପରେ ଆଘାତ ଆଣିପାରେ। ଏଭଳି ବିଭ୍ରାଟ ଏଡ଼ାଇବା ପାଇଁ ପ୍ରତ୍ୟେକ ସଙ୍ଘରେ ଆବଶ୍ୟକ ଅନୁଯାୟୀ ନୀତି-ନିୟମ ଓ ଦଣ୍ଡବିଧାନର ସମନ୍ୱୟରେ ଶାସନ ବ୍ୟବସ୍ଥାର ସୃଷ୍ଟି ହୋଇଥାଏ। ଏହି ବିବର୍ତ୍ତନୀ ନିୟମରୁହିଁ ସମୟକ୍ରମେ ମନୁଷ୍ୟ ସମାଜରେ ଗୋଷ୍ଠୀ, ନଗ୍ର, ରାଜ୍ୟର ଉଦ୍ଭବ ହୋଇପାରିଛି। କହିବା ବାହୁଲ୍ୟ, ପ୍ରତ୍ୟେକ ସଙ୍ଘର ସୁପରିଚାଳନା ପାଇଁ ବଳିଷ୍ଠ ନେତୃତ୍ୱ ଆବଶ୍ୟକ। ପରାକ୍ରମ, ବୁଦ୍ଧିମତ୍ତା ତଥା ସଦୟ ଭାବନା ବଳିଷ୍ଠ ନେତୃତ୍ୱର ଏକ ଏକ ଗୁଣ। ମାନବ ଇତିହାସରେ ପ୍ରାୟ ସବୁ ମୁଲକରେ ବଂଶାନୁକ୍ରମିକ ନେତୃତ୍ୱର ପ୍ରଚଳନ ହୋଇଛି, ଯାହାକୁ ଆମେ ‘ରାଜା’ ନାମରେ ଜାଣୁ; ଏଭଳି ଶାସନ ବ୍ୟବସ୍ଥାକୁ ରାଜତନ୍ତ୍ର ବୋଲାଯାଏ।
ଇତିହାସରେ କୁଶାସନର ଦେଶଗତ ତଥା କାଳଗତ ବ୍ୟାପ୍ତି ଅଧିକ ରହିଛି। ଏହି କାରଣରୁ ଶାସକ ବିରୋଧରେ ବିପ୍ଲବ, ଓ ତହିଁରୁ ଗଣତନ୍ତ୍ରର ଉଦ୍ଭବ ହୋଇଛି – ଯେଉଁଠି ଶାସିତ ଜନସାଧାରଣଙ୍କ ଦ୍ୱାରା ଶାସକର ମନୋନୟନ ହୁଏ; ଶାସନ ପ୍ରକ୍ରିୟା ବିକେନ୍ଦ୍ରିତ ହୁଏ, ଶାସକବର୍ଗଙ୍କ ସହାୟତା ପାଇଁ ଜନପ୍ରତିନିଧିଙ୍କ ମନୋନୟନ ହୁଏ। ଶାସକଟିଏ ସୀମିତ ସମୟ ପାଇଁ ଶାସନଭାର ତୁଲାଏ। ଏହି କାରଣରୁ ଆଶା କରାଯାଏ ଯେ ଶାସକଟି ସମୟର ସ୍ୱଳ୍ପତା ଦୃଷ୍ଟିରୁ ସୁଶାସନ କରିବ। କରେ କି?
ଆମ ସ୍ୱାଧୀନ ଭାରତର ଅଭିଜ୍ଞତା ଅନୁସାରେ ଏ ପ୍ରଶ୍ନର ଉତ୍ତର ହେବ, “ନା”। ପ୍ରାୟ ଏକା ସମୟରେ ଶାସନ ନିଜ ହାତକୁ ଆଣିଥିଲେବି ବିଶ୍ୱ ସ୍ତରରେ ଭାରତ ଅପେକ୍ଷା ଚୀନ ର ପ୍ରତିପତ୍ତି ବହୁ ଅଧିକ। ଭାରତ ନିଜ ପଡ଼ୋଶୀ ଦେଶମାନଙ୍କ ସହ ସମ୍ପର୍କ ହରାଉଥିବା ବେଳେ ଏ ଦେଶମାନଙ୍କରେ ଚୀନର ପ୍ରତିପତ୍ତି ବଢ଼ିଚାଲିଛି। ଚୀନ ଭାରତସହ ସୀମାର ନିଜଆଡ଼େ ରେଲ ତଥା ରାଜରାସ୍ତାର ଜାଲ ବିଛାଇ ସାରିଥିବା ବେଳେ ଭାରତର ସୀମାଅଞ୍ଚଳ ଦୁର୍ଗମ ଯୁଦ୍ଧ ବେଳେ ସଶକ୍ତ ରହିବ କିଏ। ଏହା ବେଶ୍‌ ଏକ ସହଜ ପ୍ରଶ୍ନ। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ପ୍ରାୟ ସବୁ ସ୍ତରରେ ଓ ସାରା ଦେଶରେ ଅବହେଳା ଓ ଅବନତି ଜଳଜଳ ଦିଶୁଛି। ସର୍ବଭାରତୀୟ ସ୍ତରରେ ଶିକ୍ଷାର ମାନ ନିମ୍ନଗାମୀ ହେଉଛି। ଦେଶ ଅଜସ୍ର ଅର୍ଥ ବିନିଯୋଗ କରୁଥିଲେହେଁ ଗବେଷଣାରେ ଭାରତର ଅବଦାନ ଅବଦାନ ଅତି ନଗଣ୍ୟ (ଇସ୍ରୋ କୁ ବାଦ୍‍ ଦେଇ)। ଜଳ, ରାସ୍ତା, ସ୍ୱାସ୍ଥ୍ୟ ଇତ୍ୟାଦି ଅତ୍ୟାବଶ୍ୟକ ସେବାରେ ଦେଶସାରା ଘୋର ଅବ୍ୟବସ୍ଥା; ଅନିୟନ୍ତ୍ରିତ ଭାବରେ ବଢ଼ିଚାଲିଥିବା ସହରାଞ୍ଚଳ ଦିନକୁଦିନ ହେଉଛି ବିକଳତର; ସାରା ଦେଶର ଜଳବାୟୁ ହୋଇଚାଲିଛି ଅଧିକରୁଅଧିକ ପ୍ରଦୂଷିତ; ନାରୀନିର୍ଯାତନା ଏକ ସ୍ୱାଭାବିକ ଦୈନିକ ଖବର; ଦେଶର ୨୧ ଶତାଂଶ ଲୋକ ଏବେବି ମୁଠାଏ ଖାଇବାକୁ ପାଉନାହାନ୍ତି; ଦେଶର ୨୬ ଶତାଂଶ ଲୋକ ଏବେବି ନିରକ୍ଷର। ଯଦିଓ ଇ-ଗଭ​‌େ​‌ର୍ଣ୍ଣନ୍‌ସ୍‌ ବଳରେ ଦୁର୍ନୀତି କିଛି କମିଛି, ସ୍ୱାଧୀନତାର ସତୁରି ବର୍ଷ ବିତି ସାରିଥିଲେ ମଧ୍ୟ ଭାରତର ଏଭଳି ଦୁରବସ୍ଥାର କାରଣ କଣ?
କାରଣ ହେଲା, ଭାରତୀୟ ରାଜନେତାଙ୍କ “ରାଜନୈତିକ ଇଚ୍ଛାଶକ୍ତି” ର ଅଭାବ। ଭାରତ ଭଳି ଦେଶଟିଏ ପାଖରେ ପର୍ଯ୍ୟାପ୍ତ ସମ୍ୱଳ ଥାଏ ଓ ଦେଶର ଉନ୍ନତିରେ ଏ ସମ୍ୱଳ ବିନିଯୋଗ କରିବା ନିମନ୍ତେ ବହୁ ଧରଣର ଯୋଜନା ପ୍ରସ୍ତୁତ କରାଯାଇଥାଏ। ଏ ଯୋଜନାସବୁର ସମୟାନୁଯାୟୀ ପ୍ରୟୋଗ ନେତାମାନଙ୍କ କ୍ଷମତା ଅଧୀନରେ ଥାଏ ଯେଉଁଠି ନେତାଟି ଯୋଜନା କାର୍ଯ୍ୟକାରୀ ନକରାଇ ପ୍ରଯୁକ୍ତ ଅର୍ଥର ବହୁଳାଂଶ ଆତ୍ମସାତ୍‍ କରେ। ଭାରତୀୟ ଶାସନବ୍ୟବସ୍ଥା ବିକେନ୍ଦ୍ରିତ ହୋଇଥିବା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ଇଚ୍ଛାଶକ୍ତି ଯଥେଷ୍ଟ ନୁହେଁ। ଭିନ୍ନ ଅର୍ଥରେ, ଭାରତୀୟ ନେତାଙ୍କଠାରେ ନିଜନିଜ ଇଲାକାର ଉନ୍ନତି, ପ୍ରଗତି କରାଇବା ଇଚ୍ଛାର ଘୋର ଅଭାବ। ଆସନ୍ତୁ ଦେଖିବା ଏଭଳି ବିକଳ ସ୍ଥିତି ସମ୍ଭବ ହୁଏ କିପରି ଓ ଏ ସ୍ଥିତିରୁ ନିବୃତ୍ତିର ଉପାୟ କ’ଣ?
ପ୍ରଥମତଃ, ଭାରତୀୟ ରାଜନୀତି ସ୍ଲୋଗାନ୍‍-ସର୍ବସ୍ୱ। ସ୍ୱାଧୀନତା ସଙ୍ଗ୍ରାମ କାଳରେ ନେତାମାନେ ଜନସାଧାରଣଙ୍କୁ ଉତ୍‌ପ୍ରେରଣା ଦେବାପାଇଁ ଭାଷଣ ତଥା ସ୍ଲୋଗାନ୍‍ ଦେବା ଆରମ୍ଭ କଲେ। ଯେଣୁ ସ୍ୱାଧୀନତା ପ୍ରାପ୍ତି କୌଣସି ତର୍କ-ବିତର୍କର ବିଷୟ ନଥିଲା, ନେତାଙ୍କ ଭାଷଣ-ସ୍ଲୋଗାନ୍‍ ନେଇ ବିଶେଷ ଭାବରେ ଗଭୀର ଚର୍ଚ୍ଚା ହେଉନଥିଲା। ଏ ବ୍ୟବସ୍ଥା ଏଯାବତ୍‍ ଚଳିଆସୁଛି। ଜନସାଧାରଣ ସେକାଳରେ ଯେମିତି ସ୍ଲୋଗାନ୍‍-ବିହ୍ୱଳ ହୋଇ ଭୋଟ ଦେଉଥିଲେ, ଆଜିବି ସେମିତି ହେଉଛି। ସେକାଳରେ ଯେମିତି ଲୋକେ ନିଜ ଆବଶ୍ୟକତା, ଅଭାବଅନଟନ ବିଷୟରେ ବିଶେଷ ପାଟି ଫିଟାଉ ନଥିଲେ (ଯେଣୁ ଦେଶର ସ୍ୱାଧୀନତାହିଁ ଥିଲା ଆଭିମୁଖ୍ୟ), ଆଜିବି ଲୋକେ ଉଣାଅଧିକେ ମୂକହୋଇ ରହିଛନ୍ତି। ସେକାଳରେ ଯେମିତି ନେତା ଜନସାଧାରଣଙ୍କ କଥା ଶୁଣୁନଥିଲା (କାରଣ ସିଏ ଦେଶର ସ୍ୱାଧୀନତା ପାଇଁ ଲଢ଼ୁଥିଲା, ଆହା!), ଆଜିବି ସିଏ ଶୁଣିବାକୁ ଚାହେଁନାହିଁ। ଏ ସ୍ଥିତି ବଦଳିବା ଜରୁରୀ।
ଦ୍ୱିତୀୟତଃ, ଯଦିଓ ସିଏ ଲୋକଙ୍କ କଥା ଶୁଣିବାକୁ ହିଁ ନେତା ହୋଇଛି, ନେତାଟିଏ ଲୋକଙ୍କ କଥା ଶୁଣିବାକୁ ବାଧ୍ୟ ନୁହେଁ । କାରଣ, ଲୋକଙ୍କ କଥା ଶୁଣିବାପାଇଁ ନେତାଟିକୁ ଲୋକେ ବାଧ୍ୟ କରନ୍ତି ନାହିଁ। ବିଶେଷତଃ, ନେତାଟି ଜାଣେ ଯେ ଲୋକଙ୍କ କଥା ନଶୁଣିଲେ ମଧ୍ୟ ସିଏ ନେତା ହୋଇ ରହିପାରିବ। ଅତି ବେଶିରେ ସିଏ ଗୋଟିଏ ନିର୍ବାଚନ ହାରିପାରେ। ଯେଣୁ ବିପକ୍ଷ ନେତା ବି ତା ଭଳି, ପରବର୍ତ୍ତୀ ନିର୍ବାଚନରେ ତାର ଜିତିବା ସମ୍ଭାବନା ସର୍ବଦା ରହିଛି। ତେଣୁ, ସିଏ ତୁଛାଟାରେ ଲୋକଙ୍କ କଥା ଶୁଣିବ କାହିଁକି? ତୃତୀୟତଃ, ଦଳମତ ନିର୍ବିଶେଷରେ, ଏବଂ ଶିକ୍ଷା-ଯୋଗ୍ୟତା ବା ଜନସେବା ଇଚ୍ଛା ଥାଉ ବା ନଥାଉ, ନେତାଟିଏର ସ୍ତ୍ରୀ-ପିଲା ନେତା ହେବାପାଇଁ ହକ୍‍ଦାର୍‍, ଜନତାବି ସେମାନଙ୍କୁ ଦ୍ୱିଧାହୀନଭାବରେ ଭୋଟ ଦେଇ ଚାଲନ୍ତି। ଅର୍ଥାତ୍‍, ସ୍ୱାଧୀନତା ସଙ୍ଗ୍ରାମକାଳରୁ ଭାରତରେ ଗଣତନ୍ତ୍ରର ପ୍ରଚଳନ ହେଇଥିଲେହେଁ ଭାରତୀୟ ମାନସ ଏଯାବତ୍‍ ରାଜତନ୍ତ୍ର ଚାପରେ କବଳିତ। ଏଭଳି ପରିସ୍ଥିତିରେ ଏଭଳି ନେତାଠୁ ଆମେ ଭଲକଥା ଆଶା କରିବା କାହିଁକି? ଚତୁର୍ଥତଃ, ଭାରତୀୟ ସମ୍ୱିଧାନ ଲୋକଙ୍କୁ କେବଳ ନେତାଟିଏ ନିର୍ବାଚନ କରିବାର ଅଧିକାର ଦେଇଛି; ଅପାରଗ ନେତାଟିଏଠୁ ନେତାପଣିଆ ଛଡ଼ାଇ ନେବାର ସାମ୍ୱିଧାନିକ ଅଧିକାର ଭାରତୀୟ ନାଗରିକର ନଥାଏ (ଆମେରିକୀୟ ବ୍ୟବସ୍ଥାରେ ଜନପ୍ରତିନିଧିଠୁ ପ୍ରତିନିଧିତ୍ୱ ପ୍ରତ୍ୟାହାର କରିନେବାର ଅଧିକାର ଓ କ୍ଷମତା ଜନତା ହାତରେ ଥାଏ)। ତେଣୁ, ନେତା ଡରିବ କାହାକୁ ଓ କାହିଁକି? ଅର୍ଥାତ୍‍ ଯେଉଁ ଉଦ୍ଦେଶ୍ୟରେ ଗଣତନ୍ତ୍ରର ଉଦ୍ଭବ ହେଲା, ସେ ଉଦ୍ଦେଶ୍ୟ ଭାରତରେ ଏଯାବତ୍‍ ପ୍ରାୟତଃ ଅପୂର୍ଣ୍ଣ ହୋଇ ରହିଛି।
ଏଇଠି ଆସେ ଏ ଲେଖାର ପ୍ରକୃତ ପ୍ରସଙ୍ଗ: ନେତାଙ୍କୁ ଲୋକଙ୍କ କଥା ଶୁଣିବାକୁ ବାଧ୍ୟ କରାଯିବ କିପରି? ଉତ୍ତର ହେଲା: ବିତର୍କ ଯୋଗେ।
ଯୁକ୍ତରାଜ୍ୟ ତଥା ଯୁକ୍ତରାଷ୍ଟ୍ର ଭଳି ଉନ୍ନତ ଗଣତନ୍ତ୍ରମାନଙ୍କରେ ବିତର୍କ ନିର୍ବାଚନ ପ୍ରକ୍ରିୟାର ଏକ ଅଭିନ୍ନ ଅଙ୍ଗ ଅଟେ। ପ୍ରତ୍ୟେକ ସ୍ତରରେ ପ୍ରତ୍ୟେକ ପ୍ରାର୍ଥୀ ବିତର୍କରେ ଭାଗନିଏ, ଯାହାକି ପ୍ରାୟତଃ ସର୍ବସାଧାରଣଙ୍କ ଗୋଚରରେ (ଗଣମାଧ୍ୟମ ଜରିଆରେ) ହୋଇଥାଏ। ବିତର୍କରେ ପ୍ରାୟତଃ ସବୁପ୍ରକାର ପ୍ରଶ୍ନ ଉଠାଯାଏ, ଯାହାଉପରେ ପ୍ରତ୍ୟେକ ପ୍ରାର୍ଥୀ ନିଜନିଜ ବକ୍ତବ୍ୟ ଓ ଯୁକ୍ତି ଉପସ୍ଥାପନ କରନ୍ତି। ଆଞ୍ଚଳିକ ବିକାଶ, ଖାଉଟି ଦରଦାମ, ରାସ୍ତା-ସଡ଼କ, ସ୍କୁଲ-ପାଠାଗାର, ସାମାଜିକ ଜାତି-ବର୍ଗ-ଭିତ୍ତିକ ସମସ୍ୟା, ପରିବେଶ ସଂରକ୍ଷଣ, ତଥା ରାଷ୍ଟ୍ରୀୟ ଓ ଅନ୍ତର୍ଜାତୀୟ ସମସ୍ୟାସବୁ ଉପରେ ଗଭୀର ଆଲୋଚନା ଓ ବିତର୍କ ହୁଏ। ଜନସାଧାରଣ ଏ ବିତର୍କରୁ ପ୍ରାର୍ଥୀ ନେତାଙ୍କ ଆଭିମୁଖ୍ୟ, ଯୋଗ୍ୟତା ଓ ସମ୍ଭାବ୍ୟ ଉପଯୋଗିତା ଆକଳନ କରେ ଓ ତଦନୁଯାୟୀ ଭୋଟ ଦିଏ। ଆମର ସାମୂହିକ ଦୁର୍ଭାଗ୍ୟ ଯେ ସ୍ୱାଧୀନତାର ସତୁରି ବର୍ଷ ପରେ ମଧ୍ୟ ଆମ ଦେଶରେ ନେତାଙ୍କର ଆଭିମୁଖ୍ୟ, ଯୋଗ୍ୟତା, ଉପଯୋଗିତା ବା ପାରଙ୍ଗମପଣିଆର ଆକଳନ ହୁଏ ନାହିଁ। ବର୍ଷ ପରେ ବର୍ଷ ଆମେ ଅନ୍ଧ ଭାବରେ ସ୍ଲୋଗାନ୍‍-ବିହ୍ୱଳହୋଇ ଭୋଟ ଦେଇଚାଲୁଁ। ଏ ଅନ୍ଧତ୍ୱର ଅବସାନ ସର୍ବାଦୌ ଆବଶ୍ୟକ। ତେବେ, ତାହା ସମ୍ଭବ ହେବ କିପରି?
ଏଇଠି ଭାରତୀୟ ଯୁବସମାଜ, ବିଶେଷତଃ ଛାତ୍ରସମାଜ, ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବେ। ପ୍ରାୟ ପ୍ରତ୍ୟେକ ଭାରତୀୟ ଶିକ୍ଷାନୁଷ୍ଠାନରେ (କଲେଜ୍, ୟୁନିଭର୍ସିଟି) ଛାତ୍ରସଂଘ ସବୁ ରହିଥାଏ, ଯହିଁ ବାର୍ଷିକ ଦଳମତ-ଭିତ୍ତିକ ନିର୍ବାଚନ ହୋଇଥାଏ। ଏଭଳି ନିର୍ବାଚନ ବା ଛାତ୍ରସଙ୍ଘ ଭାରତୀୟ ଜୀବନଚର୍ଯ୍ୟା, ରାଷ୍ଟ୍ରୀୟ ବିକାଶ, ଯୁବଶିକ୍ଷା ବା ସାମୂହିକ ସଭ୍ୟତା ପ୍ରତି କୌଣସି ଆଖିଦୃଶିଆ ଅବଦାନ ଦେଇନାହିଁ; ଯଦିଓ ଏହା ଛାତ୍ରସମାଜକୁ କିଛିଟା ରାଜନୀତି-ସଚେତନ କରିପାରିଛି। ଏ ସଚେତନତାକୁ ଭିତ୍ତିକରି ଭାରତୀୟ ଛାତ୍ରସମାଜ ନିଜନିଜ ଅଞ୍ଚଳରେ ପ୍ରତ୍ୟେକ ସ୍ତରରେ ନିର୍ବାଚନ ପ୍ରାର୍ଥୀଙ୍କ ପାଇଁ ସାମୂହିକ ବିତର୍କ ପରିଚାଳନା କରିପାରିବେ। କୌଣସି ନିର୍ବାଚନ ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଏକା ମଞ୍ଚରେ ବିଭିନ୍ନ ପ୍ରଶ୍ନ ପଚରା ଯାଇପାରିବ; ଯଥା, “ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ଆପଣଙ୍କୁ ଲୋକେ କାହିଁକି ଭୋଟ ଦେବା ଉଚିତ୍; ଆପଣ ଏ ଅଞ୍ଚଳ (ବା ଜିଲା/ରାଜ୍ୟ/ଦେଶ) ର ଉନ୍ନତିପାଇଁ କ’ଣ କରିବେ ଓ କିପରି; ଆପଣ ଏ ଅଞ୍ଚଳ (ବା ଜିଲା/ରାଜ୍ୟ/ଦେଶ) ପାଇଁ ଏପର୍ଯ୍ୟନ୍ତ କି ଅବଦାନ ଦେଇଛନ୍ତି; ଆପଣଙ୍କ ଆଖିରେ ଏ ଅଞ୍ଚଳର ପ୍ରମୁଖ ସମସ୍ୟା କ’ଣ, ଓ ସେନେଇ ଆପଣ କରିବେ କ’ଣ; ଆପଣ ପ୍ରତିଶ୍ରୁତି ପାଳନ କରି ନପାରିଲେ ଜନତା ଆପଣଙ୍କ ପ୍ରତି କରିବ କ’ଣ” ଇତ୍ୟାଦି।
ଏଭଳି ଏକ ପ୍ରୟାସ ଯଦି ସର୍ବଭାରତୀୟ ସ୍ତରରେ ସମ୍ଭବ ହୋଇପାରିବ, ତେବେ ନେତାମାନେ ନିଜ ନିଜ ଅବଦାନ, ପାରଙ୍ଗମପଣିଆ ଓ ଉପଯୋଗିତା ବିଷୟରେ ସଚେତନ ହୋଇପାରିବେ। ଲୋକଭୟ ଓ ଭୋଟଭୟ ତାଡ଼ନାରେ ନେତାମାନେ ଆଖିଦୃଶିଆ କାମ କରିବାକୁ ବାଧ୍ୟ ହେବେ ତଥା ସାଂପ୍ରତିକ ଆଞ୍ଚଳିକ-ଜାତୀୟ ଘଟଣାବଳୀ ସହ ପରିଚିତ ଓ ସଚେତନ ରହିବାକୁ ବାଧ୍ୟ ହେବେ। ଏଭଳି ଏକ ସ୍ୱପ୍ନ ସାକାର ହେବାପାଇଁ, ଅବଶ୍ୟ କୌଣସି ଏକ ଜାଗାରୁ ଏ ପ୍ରୟାସର ପ୍ରାରମ୍ଭ ହେବା ଆବଶ୍ୟକ। ସେଥିପାଇଁ ସର୍ବପ୍ରଥମେ ଭାରତୀୟ ଛାତ୍ରସମାଜ ରାଜନୀତି-ନିରପେକ୍ଷ ହେବା ଜରୁରୀ (କିନ୍ତୁ ଦୁଃଖର କଥା, ସେଲ୍‍ ଫୋନ୍‍-ପୀଡ଼ିତ ଯୁବପିଢ଼ି ଅଧିକରୁ ଅଧିକ ଭାବରେ ରାଜନୀତିକ ଧୁବୀକରଣର ଶିକାର ହୋଇଚାଲିଛି)। ଦ୍ୱିତୀୟତଃ, ସଂପୃକ୍ତ ଶିକ୍ଷାନୁଷ୍ଠାନର ପରିଚାଳକମାନେ ଆଗଭର ହୋଇ ଏ ପ୍ରୟାସରେ ଯୋଗଦେବା ଜରୁରୀ। ତୃତୀୟତଃ, ସଂପୃକ୍ତ ଇଲାକାର ପୁଲିସ୍‍ ତଥା ପ୍ରଶାସନ ଏଭଳି ପ୍ରୟାସର ସଫଳ ପରିଚାଳନା କରାଇବେ, ଏବଂ ଛାତ୍ର, ଉପସ୍ଥିତ ଜନତା ଓ ବିତର୍କ ପରିଚାଳନା କରୁଥିବା ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଦେବେ। ଚତୁର୍ଥତଃ ଗଣମାଧ୍ୟମ, ଦଳମତନିର୍ବିଶେଷରେ ନିରପେକ୍ଷ ଭାବରେ ବିତର୍କର ପ୍ରସାର କରିବେ ଏବଂ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯେ ଏଭଳି ବିତର୍କକୁ ନେଇ ଜନସାଧାରଣ ପ୍ରାର୍ଥୀଙ୍କ ମୂଲ୍ୟାୟନ କରିବେ ଓ ତଦନୁଯାୟୀ ଭୋଟ ଦେବେ, କିନ୍ତୁ ପ୍ରଶ୍ନ ହେଲା, ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାପାଇଁ ଆମେ ପ୍ରସ୍ତୁତ କି? ଯଦି “ନା”, ତେବେ ଆଗାମୀ ବହୁ ଦଶନ୍ଧିଧରି ଆମେ ଅବିକଶିତ ହୋଇ ରହିଥିବା।

Leave A Reply