ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ଲୋହରା ସମାଜର ଦାବି

0

କଲମପୁର : ଦେଶ ସ୍ୱାଧିନ ହେବାର ୭୦ ବର୍ଷରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ସମାଜରେ ଅବହେଳିତ ଭାବେ ରହି ଆସିଛି ଲୋହରା (କମାର) ଜାତି। ତଫସିଲ ଭୁକ୍ତ ଜାତି ଓ ଜନ ଜାତି ବର୍ଗର ଲୋକଙ୍କୁ ସରକାର ଅନେକ ପ୍ରକାର ସହାୟତା ପ୍ରଦାନ କରିବା ସହ ସେମାନଙ୍କ ପାଇଁ ଅନେକ ସରକାରୀ ଯୋଜନା ପ୍ରସ୍ତୁତ କରାଯାଇଛି। କିନ୍ତୁ ଲୋହରା ଜାତି ଏବେ ମଧ୍ୟ ଅବହେଳିତ ଭାବେ ରହିଛି। ସଂଖ୍ୟାଲଘୁ ଦୃଷ୍ଟିରୁ ଏହି ଜାତି ପ୍ରତି ସରକାର ଅଣଦେଖା କରିଆସିଛନ୍ତି। ଯାହାରି ଫଳରେ ଏହି ଜାତିର ଶିକ୍ଷା, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ବିକାଶ ହେଇ ପାରି ନାହିଁ। ନିଜର କୌଳିକ ବୃତି ଏବେ ବିପଦମୁଖି। ଏହି କୌଳିକ ବୃତିକୁ ନେଇ ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନାହିଁ। ଆର୍ôଥକ ଓ ସମାଜିକ ସ୍ଥିତି ସୁଦୃଢ ନଥିବାରୁ ଏହି ଜାତି ଭିତରେ ଶିକ୍ଷାର ବିକାଶ ହେଇ ପାରୁନହିଁ। ତେଣୁ ସମାଜରେ ଏହି ଜାତିକୁ ଉଚିତ ସମ୍ମାନ ମିଳି ପାରୁ ନାହିଁ। ଏବେ ମଧ୍ୟ ଅନେକ ପରିବାରର ନିଜସ୍ୱ ଘର ଡିହ ନଥିବାରୁ ସରକାରୀ ଜମିରେ ଝାଟି ମାଟିର ଘର ଖଣ୍ଡିଏ କରି ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ନିଜସ୍ୱ ଜମି ଅଥବା ଘର ଡିହ ନଥିବାରୁ ସରକାରଙ୍କ ମୋ କୁଡିଆ, ବିଜୁ ପକ୍କାଘର ଅଥବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସରକାରଙ୍କ ତରଫରୁ ଏମାନଙ୍କ ପୁରୁଷ ପୁରୁଷ ଧରି ଦଖଲ କରିଆସୁଥିବା ସରକାରୀ ଜମିର ସ୍ଥାୟୀ ପଟ୍ଟା ଦେବା ପାଇଁ ଦାବି କରାଯାଇଛି। ଏହାସହିତ ତଫସିଲଭୁକ୍ତ ଜାତି ଜନ ଜାତି ବର୍ଗର ଶିଶୁ ମାନଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ଯେଭଳି ଆବାସିିକ ବିଦ୍ୟାଳୟର ବ୍ୟବସ୍ଥା କରାଯାଇଛି ଏହି ବର୍ଗର ଶିଶୁ ମାନଙ୍କ ପାଇଁ ମଧ୍ୟ ଆବାସିକ ବିଦ୍ୟାଳୟ ବ୍ୟବସ୍ଥା କରାଯିବା ପାଇଁ ଦାବି କରିଛନ୍ତି। ଜଙ୍ଗଲ ଜମି ଅଧିକାର ବଳରେ ଏମାନଙ୍କୁ ଜଙ୍ଗଲ ଜମି ପ୍ରଦାନର ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି। ଏହି ବର୍ଗର ସମସ୍ତ ପରିବାର ଦରିଦ୍ର ସୀମାରେଖା ତଳେ ବାସ କରୁଥିବାରୁ ସମସସ୍ତ ପରିବାରକୁ ରାସନ କାର୍ଡ ଯୋଗାଇ ଦେବା ସହ କୌଳିକ ବୃତ୍ତି ପ୍ରତି ଆଗ୍ରହ ଥିବା ପରିବାରକୁ ସରକାରଙ୍କ ତରଫରୁ ମାଗଣାରେ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବା ସହ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇ କୂଶଳୀ କାରୀଗରର ମାନ୍ୟତା ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି।
କଲମପୁର ଲୋହରା ସମାଜର ଆନୁକୁଲ୍ୟରେ ଆୟୋଜିତ ଏହି ସମାବେଶରେ ସଭାପତି ଚନ୍ଦ୍ର ହାସ୍ୟ ପରାଭୋଇଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ସମାବେଶରେ ସମିତି ଅଧ୍ୟକ୍ଷା ମଞ୍ଜୁଳା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲା ସଭାପତି ହିମାଂଶୁ ଶେଖର ନାଏକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। କନ୍ଧମାଳର ଲୋହରା ସମାଜନେତା ସୁରେନ୍ଦ୍ର ବିନ୍ଧାଣି, ବିରଂଚି ଭୋଇ, ବସନ୍ତ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋହରା ସମାଜ ତରଫରୁ ଏକ ଗଣ ଧାରଣା ଦିଆଯିବା ସହ ସମସାଜର ସାମାଜିକ ସୁରକ୍ଷା ଯୋଗାଇ ଦେବା ନେଇ ଏକ ୮ ଦଫା ବିଶିଷ୍ଟ ଦାବିପତ୍ର ବ୍ଲକ ପ୍ରଶାସନ ମାଧ୍ୟମରେ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି।

Leave A Reply