ସରକାର-ଆରବିଆଇର ସମ୍ପର୍କ ପତିପତ୍ନୀ ଭଳି: ମନମୋହନ ସିଂହ

0


ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ସମ୍ପର୍କ ପତିପତ୍ନୀ ଭଳି। ତେଣୁ ଦୁଇ ସଂସ୍ଥା ମଧ୍ୟରେ ସୃଷ୍ଟ ମତାନ୍ତର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରାଯିବା ଆବଶ୍ୟକ। ଏଭଳି ରୋଚକ ଓ ଉପାଦେୟ ମନ୍ତବ୍ୟ ଦେଇଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ।
ଆରବିଆଇର ଗଭର୍ଣ୍ଣର ପଦରେ ରହିଥିବା ଡ. ସିଂହ ତାଙ୍କର ପୁସ୍ତକ ‘ଚେଞ୍ଜିଙ୍ଗ ଇଣ୍ଡିଆ’ ସିରିଜ୍‍ର ଷଷ୍ଠ ସଂସ୍କରଣ ଉନ୍ମୋଚନ ଅବସରରେ କହିଛନ୍ତି ଯେ ଆରବିଆଇର ସ୍ୱାଧୀନତା ଓ ସ୍ୱୟଂପରିଚାଳନାକୁ ସମ୍ମାନ ଦେବା ଆବଶ୍ୟକ। ଦେଶର ଅର୍ଥନୀତିକୁ ପରିଚାଳିତ କରୁଥିବା ଆରବିଆଇ ଓ ଜନମଙ୍ଗଳର ଗୁରୁ ଦାୟିତ୍ୱ ବହନ କରୁଥିବା କେନ୍ଦ୍ର ସରକାରଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ରହିବା ସ୍ୱାଭାବିକ। କିନ୍ତୁ ତାହାକୁ ଆଲୋଚନା ମାଧ୍ୟମରେ ସୁସ୍ଥ ବାତାବରଣ ମାଧ୍ୟମରେ ସମାଧାନ କରିବା ଆବଶ୍ୟକ। ଆରବିଆଇ କେନ୍ଦ୍ର ସରକାରଙ୍କ ସହିତ ନିବିଡ଼ ସମ୍ପର୍କ ଓ ସମନ୍ୱୟ ରଖି ପରିଚାଳିତ ହେବା ଆବଶ୍ୟକ। ଏକାଠି କାମ କରିବା ପାଇଁ କେନ୍ଦ୍ର ସରକାର ଓ ଆରବିଆଇ ଏକ ମାଧ୍ୟମ ଖୋଜି ବାହାର କରିବେ ବୋଲି ଆଶା ଓ ପ୍ରାର୍ଥନା କରିଛନ୍ତି ଡ. ସିଂହ। କୃଷି ଋଣ ଛାଡ଼ ଓ ତାହାର ପ୍ରଭାବ ସମ୍ପର୍କରେ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଡ. ସିଂହ କହିଛନ୍ତି ଯେ କୃଷି ଋଣ ଛାଡ଼ର ପ୍ରଭାବ କଣ ହେବ ସେ ସମ୍ପର୍କରେ ସେ ଅନୁଧ୍ୟାନ କରିନାହାନ୍ତି। କିନ୍ତୁ ଜନସାଧାରଣଙ୍କୁ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ପଡ଼ିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ଡ. ସିଂହ କହିଛନ୍ତି ଯେ ମୋତେ ସବୁବେଳେ ନିରବ ପ୍ରଧାନମନ୍ତ୍ରୀ ରୂପେ ଅଭିହିତ କରାଯାଉଥିଲା। କିନ୍ତୁ ମୁଁ ପ୍ରତି ବିଦେଶ ଗସ୍ତରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀରେ ମତ ରଖୁଥିଲି। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ନରେନ୍ଦ୍ର ମୋଦୀ ଗୋଟିଏ ହେଲେ ସାମ୍ବାଦିକ ସମ୍ମିଳନୀ ଡାକିନାହାନ୍ତି।

Leave A Reply