ସରକାରୀ ସମ୍ପତ୍ତି ନଷ୍ଟ ଅଭିଯୋଗରେ ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀଙ୍କୁ ୩ବର୍ଷ ଜେଲ୍ ଦଣ୍ଡ

0

ଚେନ୍ନଇ: ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଦେଷୀ ସାବ୍ୟସ୍ତ ହୋଇଛନ୍ତି ତାମିଲନାଡୁର କ୍ରୀଡା ମନ୍ତ୍ରୀ ବାଳକୃଷ୍ଣ ରେଡ୍ଡୀ। ସୋମବାର ସ୍ବତନ୍ତ୍ର ଅଦାଲତ ରେଡ୍ଡୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହି ଦଣ୍ଡାଦେଶ ଦ୍ବାରା ରେଡ୍ଡୀ ତାଙ୍କର ମନ୍ତ୍ରୀ ପଦ ହରାଇବା ସହିତ ବିଧାନସଭା ସଭ୍ୟପଦ ମଧ୍ୟ ହରାଇଛନ୍ତି। କାରଣ ଜନ ପ୍ରତିନିଧି ଆଇନ ଅନୁଯାୟୀ ଫୌଜଦାରୀ ମାମଲାରେ କୌଣସି ସାଂସଦ କିମ୍ବା ବିଧାୟକ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ସଭ୍ୟ ପଦ ଆପେ ଆପେ ରଦ୍ଦ ହୋଇଥାଏ। ସ୍ବତନ୍ତ୍ର ଅଦାଲତଙ୍କ ଏହି ରାୟ ପରେ ରେଡ୍ଡୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅଦାଲତଙ୍କ ଏହି ରାୟ ବିରୋଧରେ ସେ ମଙ୍ଗଳବାର ମାଡ୍ରାସ ହାଇକୋର୍ଟରେ ଆବେଦନ କରିବେ। ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାର ତ୍ବରିତ ବିଚାର ପାଇଁ ଗଠିତ ସ୍ବତନ୍ତ୍ର ଅଦାଲତଙ୍କ ଏହି ରାୟ ତାମିଲନାଡରୁ ଶାସକ ଏଆଇଏଡିଏମ୍‌କେକୁ ଶକ୍ତ ଧକ୍କା ଦେଇଛି। ୧୯୯୮ରେ ରେଡ୍ଡୀଙ୍କ ନେତୃତ୍ବରେ ହୋସପୁରରେ ହୋଇଥିବା ମଦ ବିରୋଧୀ ବିକ୍ଷୋଭରେ ସରକାରୀ ସମ୍ପତ୍ତି ନଷ୍ଟ କରାଯାଇଥିଲା। ବିକ୍ଷୋଭକାରୀଙ୍କ ପଥର ମାଡରେ ତାମିଲନାଡୁ ସଡକ ପରିବହନ ନିଗମରେ କେତେକ ବସ୍ ଭାଙ୍ଗିରୁଜି ନଷ୍ଟ ହୋଇଥିଲା। ଏହାକୁ ନେଇ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ରେଡ୍ଡୀ ସେତେବେଳେ ବିଜେପି ବିଧାୟକ ଥିଲେ। ଏହି ଘଟଣାରେ ପୁଲିସ ୧୦୮ ଜଣଙ୍କ ବିରୋଧରେ ତାମିଲନାଡୁ ସରକାରୀ ସମ୍ପତ୍ତି (ନଷ୍ଟ ଓ କ୍ଷତିରୁ ସୁରକ୍ଷା) ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା। ଅଦାଲତ ଅନ୍ୟ ୧୫ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ୧୯୯୮ରେ ବିଷାକ୍ତ ମଦ ପିଇ ୩୦ଜଣଙ୍କର ମୃତ୍ୟୁ ହୋଇଥିଲା।

Leave A Reply