ଷ୍ଟାଡ଼ିୟମ ସ୍ତବ୍ଧ; ଦର୍ଶକ ନିରାଶ

0

ଭୁବନେଶ୍ୱର:ଭରପୂର ଷ୍ଟାଡ଼ିୟମରେ ସଂଘର୍ଷପୂର୍ଣ୍ଣ ମ୍ୟାଚ। ଶେଷରେ ଭାରତର ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି କଳିଙ୍ଗ ଷ୍ଟାଡ଼ିୟମ ଦର୍ଶକ। ଖେଳ ଆରମ୍ଭରୁ ୧୫ ହଜାରରୁ ଊର୍ଦ୍ଧ୍ବ ଦର୍ଶକଙ୍କ ଗହଣରେ ଭରପୂର ହୋଇପଡ଼ୁଥିବା ଷ୍ଟାଡ଼ିୟମ ଶେଷକୁ ନିସ୍ତବ୍ଧ ହୋଇ ପଡ଼ିଥିଲା। ଖେଳି ଯାଇଥିଲା ନିରାଶର ଛାୟା। ଭାରତର ପରାଜୟ ସହ ବିଶ୍ୱକପରୁ ବିଦାୟ ନେବା ଦୁଃଖ ପୂରା ଷ୍ଟାଡ଼ିୟମରେ ଦେଖିବାକୁ ମିଳିଥିଲା। ଭାରତୀୟ ଦଳ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ପରାଜିତ ହୋଇଥିଲା। ଘରୋଇ ଦଳକୁ ପରାସ୍ତ କରି ନେଦରଲାଣ୍ଡ୍‍ସ ସେମିଫାଇନାଲକୁ ଉନ୍ନୀତ ହୋଇଛି।

ଭାରତୀୟ ଖେଳାଳି ମ୍ରିୟମାଣ; କାନ୍ଦିକାନ୍ଦି ଛାଡ଼ିଲେ ପଡ଼ିଆ

ନେଦରଲାଣ୍ଡସ୍‍ ବିପକ୍ଷରେ ସଂଘର୍ଷକରି ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭାରତୀୟ ଖେଳାଳି। ପରାଜୟକୁ ନେଇ ପ୍ରଶିକ୍ଷକ ହରେନ୍ଦ୍ରଙ୍କ ସମେତ ସମସ୍ତ ଖେଳାଳି ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି। ଖେଳ ଶେଷ ପରେ ନେଦରଲାଣ୍ଡସ୍‍ ଖେଳାଳି ଉତ୍ସବମୁଖର ହେଉଥିବା ବେଳେ ଭାରତୀୟ ଖେଳାଳିଙ୍କ ଆଖିରୁ ଲୁହଁ ଝରିଥିଲା। ଘରୋଇ ପଡ଼ିଆରେ ପରାଜୟକୁ ନେଇ ଖେଳାଳି ନିରାଶ ହୋଇଥିଲେ। ଖେଳ ଶେଷ ପରେ ଆମ ଖେଳାଳି କାନ୍ଦିକାନ୍ଦି ପଡ଼ିଆ ଛାଡିବାର ଦୃଶ୍ୟ ଦେଖି ଦର୍ଶକଙ୍କ ମଧ୍ୟ ହୃଦୟ ତରଳି ଯାଇଥିଲା। ଅନ୍ତିମ ଶେଷ ୫ ମିନିଟ୍‍ ଖେଳ ଥିବାବେଳେ ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଅମ୍ପାୟାର ହଳଦିଆ କାର୍ଡ଼ ଦେଖାଇଥିଲେ। ଭାରତ ଅନ୍ତିମ ୪ ମିନିଟ୍‍ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଏହା ସମସ୍ତ ଭାରତୀୟ ଖେଳାଳିଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା। ୫୮ତମ ମିନିଟ୍‍ରେ ଏକ ପେନାଲ୍‍ଟି କର୍ଣ୍ଣର ନେଦରଲାଣ୍ଡସ୍‍କୁ ମିଳିଥିଲା। ଏହାକୁ ବିନା ଗୋଲ୍‍ରକ୍ଷକରେ ଭାରତୀୟ ଦଳ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ମଙ୍ଗଳବାର ଅଜାଣତରେ କାନାଡ଼ା ଓ ନେଦରଲାଣ୍ଡ୍‍ସ କ୍ରସ୍‍ଓଭର ମ୍ୟାଚ ସମୟରେ କିଛି ଭାରତୀୟ ଖେଳାଳିମାନେ ଷ୍ଟାଡ଼ିୟମର ଭିଆଇପି ଲନ୍‍ରେ ବସି ମ୍ୟାଚ୍‍ ଦେଖିଥିଲେ। ଏହାକୁ ନେଇ ହକି ଇଣ୍ଡିଆର ଜଣେ କର୍ମକର୍ତ୍ତା ଚିତ୍କାରକରି ସେମାନଙ୍କୁ ‘ଗେଟ୍‍ ଆଉଟ୍‍’ ବୋଲି କହିଥିଲେ। ଦେଶ ପାଇଁ ଖେଳୁଥିବା ଖେଳାଳିଙ୍କୁ ଏଭଳି ଅସମ୍ମାନ କରା ଯାଇଥିଲେ ମଧ୍ୟ ଭୟରେ ଖେଳାଳି ମୁହଁ ଖୋଲିନଥିଲେ। ହକି ଇଣ୍ଡିଆ ଉକ୍ତ ଘଟଣାକୁ ମଧ୍ୟ ଗୁରୁତ୍ୱ ଦେଇ ନଥିବାବେଳେ ଖେଳାଳିଙ୍କୁ ବଡ଼ ମ୍ୟାଚ୍‍ ପୂର୍ବରୁ ମାନସିକ ଆଘାତ ଦେଇଥିଲା। ଭୁଲ୍‍ବଶତଃ ଭିଆଇପି ଲନ୍‍ରେ ବସି ଯାଇଥିଲୁ ବୋଲି ଅଧିନାୟକ ମନପ୍ରୀତ ସିଂହ ମଧ୍ୟ ସ୍ୱୀକାର କରିଥିଲେ।

 

୪୩ ବର୍ଷର ସ୍ୱପ୍ନ ଧୂଳିସାତ୍‍

ଦୀର୍ଘ ୪ ଦଶନ୍ଧି ପରେ ହକି ବିଶ୍ୱକପ ଟାଇଟଲ ହାସଲ କରିବା ନେଇ ୧୩୦ କୋଟି ଭାରତୀୟ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। ଜୁନିୟର ବିଶ୍ୱକପ ଟାଇଟଲ ହାସଲ କରିଥିବା ହରେନ୍ଦ୍ର ସିଂ ଭାରତକୁ ସିନିୟର ଦଳର ଟାଇଟଲ ହାସଲ କରିବା ନେଇ ଆଶା ସୃଷ୍ଟି କରିଥିଲେ। ପ୍ରାରମ୍ଭରୁ ଭାରତର ଚମତ୍କାର ପ୍ରଦର୍ଶନକୁ ନେଇ ଦୀର୍ଘ ୪୩ ବର୍ଷ ପରେ ଭାରତ ହକି ବିଶ୍ୱକପ ଟାଇଟଲ ହାସଲ କରିବା ନେଇ ଭାରତୀୟଙ୍କ ଆଶା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ଶେଷରେ ସବୁ ସ୍ୱପ୍ନ ଓ ଆଶା ଧୂଳିସାତ୍‍ ହୋଇଯାଇଛି। ଭାରତକୁ ବିଦାୟର ରାସ୍ତା ଦେଖାଇଛି ନେଦରଲାଣ୍ଡ୍‍ସ। ୧୯୭୫ରେ ଭାରତ ଏକମାତ୍ର ବିଶ୍ୱକପ ଅଜିତ ପାଲ୍‍ ସିଂହଙ୍କ ଅଧିନାୟତ୍ୱରେ ହାସଲ କରିଥିଲା। ଏଥିମଧ୍ୟରେ ଭାରତ ୧୧ଟି ବିଶ୍ୱକପରେ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ସେମିଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛି। ଘରୋଇ ଭୁବନେଶ୍ୱର ଗ୍ରାଉଣ୍ଡରେ ଦର୍ଶକଙ୍କ ଉତ୍ସାହରେ ଭାରତ ଭଲ ପ୍ରଦର୍ଶନ କରି ଟାଇଟଲ ହାସଲ କରିବା ନେଇ କୋଟିକୋଟି ଭାରତୀୟ ଆଶା କରିଥିଲେ। ତେବେ ଦଳର ପରାଜୟ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଲିଗ୍‍ ପର୍ଯ୍ୟାୟରେ ପୁଲ-ସିରେ ଖେଳିଥିବା ଭାରତ ପ୍ରଥମ ମ୍ୟାଚରେ ଦକ୍ଷିଣଆଫ୍ରିକାକୁ ୫-୦ ଗୋଲରେ, ବେଲଜିୟମ ବିପକ୍ଷ ମ୍ୟାଚକୁ ୨-୨ରେ ବରାବର ରଖିଥିଲା। ଅନ୍ତିମ ଲିଗ୍‍ ମ୍ୟାଚରେ କାନାଡ଼ାକୁ ୫-୧ ଗୋଲରେ ପରାସ୍ତ କରି ସିଧା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା।

‘ଏକାଧିକ ସୁଯୋଗ ହାତଛଡ଼ା ପରାଜୟର କାରଣ’

ଭୁବନେଶ୍ୱର: ପ୍ରଥମରୁ ଭାରତ ୧-୦ ଗୋଲରେ ଆଗୁଆ ଥିଲା। ଅନ୍ତିମ କ୍ୱାର୍ଟର ପର୍ଯ୍ୟନ୍ତ ମଧ୍ୟ ଭାରତ ମ୍ୟାଚ୍‍କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ନେଦରଲାଣ୍ଡସ୍‍ ଖେଳାଳି ଏକାଧିକ ସୁଯୋଗ ଦେଇଥିଲେ। ୨ୟ, ୩ୟ ଓ ଅନ୍ତିମ କ୍ୱାର୍ଟରରେ ଗୋଲ୍‍ଦେବା ପାଇଁ ଭାରତ ୫ରୁ ଅଧିକ ସହଜ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେଇ ପାରିନଥିଲା। ମିଡ୍‍ଫିଲ୍‍ଡର ଓ ଫରୱାର୍ଡଙ୍କ ଦୁର୍ବଳ ପ୍ରଦର୍ଶନ ରହିଥିଲା। ଫଲରେ ଭାରତ ପରାଜୟକ୍‍ୁ ସ୍ୱୀକାର କରିବାକୁ ପଡ଼ିଛି ବୋଲି କହିଛନ୍ତି ୧୯୭୫ ଚମ୍ପିଆନ ଭାରତୀୟ ଦଳର ଅଧିନାୟକ ଅଜିତ ପାଲ ସିଂହ। ସେହିପରି ପୂର୍ବତନ ହକି ଖେଳାଳି ସର୍ଦ୍ଦାର ସିଂହ ମଧ୍ୟ ଏକାଧିକ ସୁଯୋଗକୁ ହାତଛଡ଼ା କରିବା ଭାରତ ପାଇଁ ମହଙ୍ଗା ପଡ଼ିଲା ବୋଲି କହିଛନ୍ତି। ଅଲିମ୍ପିଆନ୍‍ ଅଶୋକ କୁମାର ମଧ୍ୟ ଭାରତର ଦୁର୍ବଳ ରଣନୀତିକୁ ଦାୟୀ କରିଛନ୍ତି। ଭଲ ସ୍ଥିତିରେ ଥାଇ ମ୍ୟାଚ ହାରିବା ଦୁର୍ଭାଗ୍ୟଜନକ ବୋଲି ଅଶୋକ କୁମାର କହିଛନ୍ତି।

‘ବିଶ୍ୱକପ୍‍ରେ ଏଭଳି ଅମ୍ପାୟାରିଂ ଆଶା କରା ଯାଏନାହିଁ’

ଭୁବନେଶ୍ୱର: ନେଦରଲାଣ୍ଡସ ବିପକ୍ଷ କ୍ୱାର୍ଟରଫାଇନାଲରେ ପରାଜୟ ପରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଖରାପ ଅମ୍ପାୟାରିଂକୁ ଦୋଷ ଦେଇଛନ୍ତି। ମ୍ୟାଚରେ ପୂରା ଆମ ବିପକ୍ଷରେ ଅମ୍ପାୟାରିଂ ହୋଇଥିଲା। ଆମ ଖେଳାଳି ଭଲ ଖେଳିଥିଲେ ମଧ୍ୟ ଖରାପ ଅମ୍ପାୟାରିଂ ଆମକୁ ହରାଇ ଦେଇଥିଲା ବୋଲି ହରେନ୍ଦ୍ର ଗୁରୁତର ଅଭିଯୋଗ କରିଛନ୍ତି। ଗୁରୁବାର ନେଦରଲାଣ୍ଡସ୍‍ ବିପକ୍ଷ ମ୍ୟାଚରେ ପରାଜୟ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହରେନ୍ଦ୍ର କହିଥିଲେ, ପ୍ରଥମ କ୍ୱାର୍ଟରର ୧୫ ମିିନିଟ୍‍ରେ ଅମ୍ପାୟାର ଆମ ବିପକ୍ଷରେ ନିଷ୍ପତ୍ତି ଦେଇଥିଲେ। ଉକ୍ତ ନିଷ୍ପତ୍ତି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା। ଅନ୍ତିମ କ୍ୱାର୍ଟରରେ ଆମ ବିପକ୍ଷରେ ବାରମ୍ବାର ପେନାଲ୍ଟି କର୍ଣ୍ଣର ନିଷ୍ପତ୍ତି ଦେଇଥିଲେ। ଏଭଳି ଖରାପ ଅମ୍ପାୟାରିଂ କେବେ ଦେଖିନି। ବିଶ୍ୱକପ ଭଳି ପ୍ରତିଯୋଗିତାରେ ଏଭଳି ଖରାପ ଅମ୍ପାୟାରିଂ କେବେ କେଉଁଠି ଦେଖିବାକୁ ମିଳିନଥିଲା ବୋଲି ହରେନ୍ଦ୍ର କହିଛନ୍ତି। ମ୍ୟାଚର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂରା ଦଳ ଭଲ ପ୍ରଦର୍ଶନ କରିଥିଲା। ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲରେ ପରିଣତ ହୋଇପାରିନଥିଲା। ଅନ୍ତିମ ମିନିଟ୍‍ରେ ମଧ୍ୟ ଆମ ବିପକ୍ଷରେ ଅମ୍ପାୟାରିଂ ନିଷ୍ପତି ଯାଇଥିଲା। ବିଶ୍ୱକପରୁ ବିଦାୟ ନେବା ନେଇ ହରେନ୍ଦ୍ର ହକିପ୍ରେମୀ ଓ ଦେଶବାସୀଙ୍କୁ କ୍ଷମା କରିଦେବା ନେଇ ପ୍ରାର୍ଥନା କରିଥିେଲେ। କୋଟିକୋଟି ଭାରିତୀୟଙ୍କୁ ନିରାଶ କରିଛୁ। ଏଥିପାଇଁ ଭାଗ୍ୟର ବିଡ଼ମ୍ବନା। ଭଲ ଖେଳିଲେ ମଧ୍ୟ ଭାଗ୍ୟ ଆମର ସାଥ୍‍ ଦେଇନଥିଲା। ଏହାର ଫଳ ଆମକୁ ଭୋଗିବାକୁ ପଡ଼ିଛି ବୋଲି ହରେନ୍ଦ୍ର କହିଥିଲେ। ସୂଚନାଯୋଗ୍ୟ, ଭାରତ ଓ ନେଦରଲାଣ୍ଡସ ମଧ୍ୟରେ ଆୟୋଜିତ ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡର ଡେଭିଡ଼ ଟୋମିଲସନ ଓ ଟିନିଦାଦ୍‍ ଏଣ୍ଡ ଟବାବୋର ରେହେ ରିଚାର୍ଡସନ ଅମ୍ପାୟାରିଂ କରିଥିଲେ।

ଭଲ ଖେଳିଲୁ; ଅମ୍ପାୟାରିଂରେ ତ୍ରୁଟିନାହିଁ: କାଲ୍‍ଦାସ୍‍

ଭୁବନେଶ୍ୱର: ମ୍ୟାଚରେ ଫିଲ୍‍ଡ୍‍ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ଲାଗି ତୃତୀୟ ଅମ୍ପାୟାରଙ୍କ ନିଷ୍ପତି ନିଆଯାଇଥାଏ। ଭିଡ଼ିଓ ଫୁଟେଜ୍‍କୁ ଆଧାରକରି ୩ୟ ଅମ୍ପାୟାର ଚୂଡାନ୍ତ ନିଷ୍ପତ୍ତି ଶୁଣାଇଥାନ୍ତି। ଭାରତର ଖରାପ ଅମ୍ପାୟାରିଂ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ନେଦରଲାଣ୍ଡସ୍‍ ମୁଖ୍ୟ ପ୍ରଶିକ୍ଷକ ମ୍ୟାକ୍ସ କାଲ୍‍ଦାସ୍‍। ମ୍ୟାଚ୍‍ ପରେ ସାମ୍ବାଦିକ ସମ୍ମିଳନୀରେ କାଲ୍‍ଦାସ୍‍ କହିଛନ୍ତି, ମ୍ୟାଚରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ଭାରତକୁ ଘରୋଇ ପଡ଼ିଆରେ ହରାଇବା ଆମ ପାଇଁ ବଡ଼ ଆହ୍ୱାନ ଥିଲା। ହଜାରହଜାର ଦର୍ଶକଙ୍କ ଉତ୍ସାହରେ ଭାରତ ବିପକ୍ଷରେ ଖେଳିବା ନେଇ ଆମେ ଚାପରେ ଥିଲୁ। ପ୍ରଥମ ଗୋଲ ବରଣ କରିବା ପରେ ମ୍ୟାଚକୁ ଫେରିବା ଓ ବିଜୟ ହେବା ଦଳଗତ ପ୍ରଦର୍ଶନର ଶ୍ରେୟ। ସେମିଫାଇନାଲରେ ଆମେ ଅଷ୍ଟ୍ରେଲିଆକୁ ଭେଟିବୁ। ଏଥିନେଇ ଆମ ଦଳ ପୂରା ପ୍ରସ୍ତୁତ। ଭୁବନେଶ୍ବରରେ ହକି ପ୍ରତି ଏଭଳି ଉତ୍ସାହ ଦେଖିବା ପରେ ବହୁତ ଖୁସି ଲାଗୁଛି ବୋଲି କାଲ୍‍ଦାସ୍‍ କହିଥିଲେ।

Leave A Reply