ଲ୍ୟାମ୍ପସ କିରାଣିକୁ ଜେଲ

0

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ଜଜ ରାଜ କୁମାର ସାହୁ ମଙ୍ଗଳବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତ ଲ୍ୟାମ୍ପସ କିରାଣୀଙ୍କୁ ଏକ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ପ୍ରମାଣ ଅଭାବରୁ ଆକାଉଣ୍ଟାଣ୍ଟକୁ ଖଲାସ କରିଦେଇଛନ୍ତି ।
ବିଭାଗୀୟ ସୂତ୍ରରୁ ପ୍ରକାଶ, ସଦର ଥାନା ଅନ୍ତର୍ଗତ ଫଗୁଆପଡ଼ାରେ ବସବାସ କରୁଥିବା ଚାଷୀ ଜୟପ୍ରକାଶ ସାହୁ ୨୦୦୧ ମସିହାରେ କରମଡ଼ିହି ଲ୍ୟାମ୍ପସରୁ କିଛି କୃଷି ଋଣ ନେଇଥିଲେ । ଏ ବାବଦରେ ଲ୍ୟାମ୍ପସରେ ତାଙ୍କର ୪୨ହଜାର ଟଙ୍କା ବକେୟା ଥିଲା । ଗତ ୫.୬.୨୦୦୮ ଦିନ ଅଭିଯୋଗକାରୀ ଜୟପ୍ରକାଶ ସାହୁ ସରକାରଙ୍କ ଋଣ ଛାଡ଼ ସଂପର୍କିତ ନିଦେ୍ର୍ଦଶନାମା ଜାଣିବା ପରେ କରମଡ଼ିହି ଲ୍ୟାମ୍ପସକୁ ଯାଇ ପରିଚାଳନା ନିଦେ୍ର୍ଦଶକଙ୍କୁ ସାକ୍ଷାତ କରିଥିଲେ । ଲ୍ୟାମ୍ପସର ପରିଚାଳନା ନିଦେ୍ର୍ଦଶକ ଋଣ ବିଭାଗର କିରାଣି ଗୌରାଙ୍ଗ ଉର୍ମାଲ ଓ ଏକାଉଣ୍ଟାଣ୍ଟ ରୁଶିବର ବୈଗାଙ୍କୁ ସାକ୍ଷାତ କରିବା ପାଇଁ ପରାମର୍ଶ ଦେଇଥିଲେ । ପରାମର୍ଶ ଅନୁସାରେ ଜୟପ୍ରକାଶ ଉଭୟଙ୍କୁ ସାକ୍ଷାତ କରି ଋଣ ଛାଡ଼ କରିବା ପାଇଁ ତାଙ୍କ ନାମ ସୁପାରିଶ କରିବାକୁ ଅନୁରୋଧ କରିଥିଲେ ମାତ୍ର ଉଭୟ କର୍ମଚାରୀ ୧୦ହଜାର ଟଙ୍କା ଲାଞ୍ଚ ନ ଦେଲେ ଆମେ ସୁପାରିଶ କରିବୁ ନାହିଁ ବୋଲି ରୋକଠୋକ ଭାବେ ଶୁଣାଇଦେଇଥିଲେ । ପରେ ଜୟପ୍ରକାଶ ଏ ସଂପର୍କରେ ସୁନ୍ଦରଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ । ଯୋଜନା ଅନୁସାରେ ୧୦.୬.୨୦୦୮ ଅପରାହ୍ନରେ ଅଭିଯୋଗକାରୀଙ୍କୁ ବିଭାଗ ପକ୍ଷରୁ ୧୬ଟି ୫ଶହ ଟଙ୍କିଆ ରାସାୟନିକ ପ୍ରଲେପ ଲେପା ଟଙ୍କା ପ୍ରଦାନ କରାଯାଇଥିଲା ଓ ସେହିଦିନ ହିଁ ଅଭିଯୋଗକାରୀ ଲ୍ୟାମ୍ପସକୁ ଯାଇ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ରଙ୍ଗେହାତ ଧରିଥିଲେ । ବିଭାଗ ପକ୍ଷରୁ ଉଭୟଙ୍କ ନାମରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା । ସ୍ୱତନ୍ତ୍ର ଜଜ୍‌ ରାଜ କୁମାର ସାହୁ ଶେଷରେ ଅଭିଯୁକ୍ତଥିବା ଏକାଉଣ୍ଟାଣ୍ଟ ରୁଶିବର ବୈଗାଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଦେଇଥିବା ବେଳେ କିରାଣି ଗୌରାଙ୍ଗ ଉର୍ମାଲଙ୍କୁ ବିଭିନ୍ନ ଦଫାରେ ବର୍ଷେ ସଶ୍ରମ କାରାଦଣ୍ଡ ଓ ୧୫ହଜାର ଟଙ୍କା ଜୋରିମାନା କରି ରାୟ ପ୍ରକାଶ କରିଛନ୍ତି । ଜୋରିମାନା ଅନାଦେୟ ୮ମାସ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି ।

Leave A Reply