ଯୁବତୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର

0

କେନ୍ଦ୍ରାପଡ଼ା: ପ୍ରେମିକ ମୃତ୍ୟୁର ମାତ୍ର ଗୋଟିଏ ଦିନ ପରେ ପ୍ରେମିକାର ମୃତଦେହ ଉଦ୍ଧାର ହୋଇଛି । ପ୍ରେମିକର ମୃତ୍ୟୁ ଖବରରେ ଆତ୍ମହରା ହୋଇ ଯୁବତୀ ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଜିଅନ୍ତା ଜଳିଥିବା ସ୍ଥାନୀୟଅଞ୍ଚଳରୁ ଶୁଣିବାକୁ ମିଳିଛି । ଏଭଳି ଏକ ହୃଦୟ ବିଦାରକ ଖବର କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଁସର ପଞ୍ଚାୟତର କଙ୍କଡ଼ିଆ ଗାଁରୁ ଆସିଛି । ଶୁକ୍ରବାର ସକାଳେ ଯୁବତୀଙ୍କ ଦଗ୍ଧ ମୃତଦେହ ଘର ପାଖ ଏକ ଅର୍ଦ୍ଧନିର୍ମିତ ଘରୁ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ, କଙ୍କଡ଼ିଆ ଗ୍ରାମର ଯୁବତୀ ଜଣଙ୍କ ଅଙ୍ଗୁଳେଇ ଗ୍ରାମର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ତେବେ ଉକ୍ତ ଯୁବକଙ୍କ ଗତକାଲି ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟିଥିଲା। ଯୁବତୀ ଜଣଙ୍କ ଏକ ଘରୋଇ ମେଡିକାଲ କଲେଜ୍‌ରେ ନର୍ସିଂ ଟ୍ରେନିଂ ପାଇଁ ଭୁବନେଶ୍ବରରେ ରୁହନ୍ତି । ପ୍ରେମିକର ମୃତ୍ୟୁ ଖବର ପାଇ ଗତକାଲି ଯୁବତୀ ଜଣଙ୍କ ଘରକୁ ଫେରିଥିଲେ ଓ କାହାକୁ କିଛି ନ କହି ଚୁପଚାପ୍ ରହିଥିଲେ । ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଆଜି ସକାଳେ ଯୁବତୀଙ୍କ ଦଗ୍ଧ ମୃତଦେହ ଘର ନିକଟରେ ଥିବା ଅର୍ଦ୍ଧନିର୍ମିତ ଘରୁ ମିଳିଥିଲା । ମୃତଦେହ ନିକଟରୁ ଏକ କିରୋସିନି ଜାର୍ ଜବତ ହୋଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଏହା ସ୍ପଷ୍ଟ ହୋଇନାହିଁ ।

Leave A Reply