ମୁହାଣମୁହଁରେ ଡଙ୍ଗା ବୁଡ଼ିଲା, ମତ୍ସ୍ୟଜୀବୀ ନିଖୋଜ

0

ପାରାଦ୍ୱୀପ: ମହାନଦୀ ମୁହାଣମୁହଁରେ ମଙ୍ଗଳବାର ମାଛଧରା ଡଙ୍ଗା ବୁଡ଼ିଯିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ନିଖୋଜ ମତ୍ସ୍ୟଜୀବୀ ଏରପିଲ ଜଗନ୍ନାଥଙ୍କୁ ଠାବ ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ ଓ ମେରାଇନ ପୁଲିସ ଉଦ୍ୟମ ଜାରି ରଖିଛି; ହେଲେ ତାଙ୍କ ପତ୍ତା ମିଳିନି। ଏହି ଡଙ୍ଗାରେ ୬ଜଣ ଥିବାବେଳେ ଅନ୍ୟ ୫ଜଣଙ୍କୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ଡଙ୍ଗା ନେଇ ସମୁଦ୍ରକୁ ମାଛମାରିବାକୁ ଯାଇଥିଲେ ଷଣ୍ଢକୁଦ ବସ୍ତିର ୬ ମତ୍ସ୍ୟଜୀବୀ। ଡଙ୍ଗାଟି ନେହେରୁ ବଙ୍ଗଳା ନିକଟ ମହାନଦୀ ଓ ସମୁଦ୍ରର ମିଳନସ୍ଥଳ(ମୁହାଣମୁହଁ) ନିକଟରେ ପହଞ୍ଚିବା ପରେ ଉଚ୍ଚା ଲହଡିର ସାମ୍ନା କରିଥିଲା। ଫଳ ଡଙ୍ଗାଟି ଓଲଟି ପଡିଥିଲା। ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ପାଣିରେ ବୁଡ଼ିଯାଇଥିଲେ। ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଗନ୍ନାଥଙ୍କୁ ଠାବକରାଯାଇ ପାରି ନ ଥିଲା। ସାଥୀ ମତ୍ସ୍ୟଜୀବୀମାନେ ମଧ୍ୟାହ୍ନ ପର୍ୟ୍ୟନ୍ତ ଖୋଜାଖୋଜି କରି ବିଫଳ ହୋଇଥିଲେ। ପରେ ମେରାଇନ ପୁଲିସ ନିଖୋଜ ମତ୍ସ୍ୟଜୀବୀଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲା। ହେଲେ ତାଙ୍କୁ ଠାବ କରିବାରେ ପୁଲିସ ସଫଳ ହୋଇନି।

Leave A Reply