ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକ ଜେଲଗଲା

0

ସମ୍ବଲପୁର  : ବରଗଡ଼ ଜିଲା ବରପାଲି ନିକଟସ୍ଥ କୁମ୍ଭାରୀ ଗ୍ରାମରେ ଗତ ୨୦ ତାରିଖ ଏକ ନିର୍ବାଚନୀ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ପଦ୍ମପୁର ବୁଧାପାଲିର କାର୍ତ୍ତିକ ମେହେର (୨୧)କୁ ଆଜି ରାତିରେ ବରଗଡ଼ ସବ୍‌ଜେଲକୁ ପଠାଇ ଦିଆଯାଇଛି। ଏହି ସୂଚନା ଦେଇଛନ୍ତି ବରପାଲି ଥାନା ଅଧିକାରୀ ସୁବ୍ରତ କୁମାର ବେହେରା। କାର୍ତ୍ତିକ ବିରୋଧରେ ବରପାଲି ଥାନାରେ ଦଫା ୪୪୮,୩୪୧, ୩୩୬, ୩୫୫, ୧୨୦(ଖ) ଓ ନିର୍ବାଚନ ସମୟରେ ଅପରାଧ କରିଥିବା ହେତୁ ଜନପ୍ରତିନିଧି ଆଇନର ଧାରା ୧୨୭ ମଧ୍ୟ ଲଗାଯାଇଛି। ଗତ ଏକ ସପ୍ତାହ ହେଲା ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କାର୍ତ୍ତିକକୁ ଆଜି ସନ୍ଧ୍ୟା ୫ଟା ସମୟରେ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିଲା ବୋଲି ବୁର୍ଲା ଥାନାଧିକାରୀ ମାନସ ରଂଜନ ପ୍ରଧାନ ସୂଚନା ଦେଇଛନ୍ତି। ଡାକ୍ତରଖାନାରୁ ମୁକ୍ତି ମିଳିବା ମାତ୍ରେ ତାକୁ ବରପାଲି ପୁଲିସ ଧରି ନେଇଥିଲା। ଚାରି ଜଣ ବରିଷ୍ଠ ପୁଲିସ ଅଧିକାରୀ ତାକୁ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା ଭିତରେ ଏଠାରୁ ନେଇ ବରଗଡ଼ ଏସଡିଜେଏମ କୋର୍ଟରେ ତାକୁ ହାଜର କରାଯିବା ପରେ ଜେଲକୁ ପଠାଇ ଦିଆଯାଇଛି ବୋଲି ଥାନାଧିକାରୀ ଶ୍ରୀ ବେହେରା କହିଛନ୍ତି। କାର୍ତ୍ତିକର ମାନସିକ ବିକୃତି ଥିଲା କି ବୋଲି ଭିମସାର ନିର୍ଦେଶକ ଡା. ଅଶ୍ୱିନୀ ପୂଜାହାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ କାର୍ତ୍ତିକକୁ ଯେଉଁଦିନ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା ସେ ଅବଶ୍ୟ ତାକୁ ଥରେ ଦେଖି ଯାଇଥିଲେ। କିନ୍ତୁ ଶଲ୍ୟ ବିଭାଗୀୟ ଡାକ୍ତର ତା ଚିକିତ୍ସା କରିଥିଲେ। ସେ କାତ୍ତିକର ଚିକିତ୍ସା କରି ନ ଥିବାରୁ ତା ମାନସିକ ସ୍ଥିତି ସଂପର୍କରେ କିଛି ମନ୍ତବ୍ୟ ଦେବା ଉଚିତ ହେବ ନାହିଁ ବୋଲି ଡା. ପୂଜାହାରୀ କହିଛନ୍ତି। ଅପର ପକ୍ଷରେ ବରଗଡ଼ ଜିଲା ପୁଲିସ କାର୍ତ୍ତିକକୁ ଜଣେ ଆରଏସଏସ କର୍ମୀ ବୋଲି ଦର୍ଶାଇ ତା ଆରଏସଏସ ୟୁନିଫର୍ମ ପିନ୍ଧା ଫଟୋ ଜାରି କରିସାରିଛି। ଯେଉଁ ୩ ଜଣ ବ୍ୟକ୍ତି ତାକୁ ଏହି କାଣ୍ଡ କରିବାକୁ ପ୍ରରୋଚିତ କରିଥିଲେ ବୋଲି କାର୍ତ୍ତିକ କହୁଛି ସେମାନଙ୍କ ମଧ୍ୟରେ ବିଜେପୁର ଉପନିର୍ବାଚନର ଅନ୍ୟତମ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଜଣେ ବୋଲି ବରଗଡ଼ ଏସଡିପିଓ ସୁରେଶ ନାଏକ ସ୍ପଷ୍ଟ କରି ସାରିଛନ୍ତି।

Leave A Reply