ମାଲେସିଆରେ ଫସିଛନ୍ତି ୩ ଶ୍ରମିକ

0

ଗଞ୍ଜାମ: ରୋଜଗାର କରିବା ଆଶାରେ ଦଲାଲ ପ୍ରଲୋଭନରେ ପଡି ସୁଦୂର ମାଲେସିଆକୁ ଯାଇଥିବା ଗଞ୍ଜାମ ଜିଲାର ୩ଜଣ ଶ୍ରମିକ ଅତ୍ୟନ୍ତ ଦଳୟନୀୟ ସ୍ଥିତିରେ ସେଠାରେ ରହୁଛନ୍ତି। ସେମାନଙ୍କ ନିକଟରେ ଭିସା ଓ ଅର୍ଥ ନଥିବାରୁ ସେମାନେ ନିଜ ଘରକୁ ଫେରିବା କାଠିକର ପାଠ ହୋଇଛି। ଏଣେ ପୁଲିସ ଘନଘନ ଭିସା ଯାଞ୍ଚ କରୁଥିବାରୁ ଗିରଫ ଭୟରେ ତିନି ଶ୍ରମିକ ବାହାରକୁ ବାହାରି ନପାରି କାମ କରୁଥିବା କମ୍ପାନୀ କ୍ୱାର୍ଟରରେ ଲୁଚି ରହିଛନ୍ତି। ତୁରନ୍ତ ସେମାନଙ୍କୁ ମୁକୁଳାଇ ଆଣିବାକୁ ପରିବାର ଲୋକେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି। ଗଞ୍ଜାମ ବ୍ଲକ୍‍ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ୩ଜଣ ଶ୍ରମିକ ମାଲେସିଆରେ ଏଭଳି ସ୍ଥିତିରେ ରହିଛନ୍ତି। ସେଠାରୁ ଫେରିବା ପାଇଁ ଚାହିଁଁଲେ ମଧ୍ୟ କିଛି କରିପାରୁ ନାହାନ୍ତି। ଖବର ପାଇବା ପରେ ଏଠାରେ ରହୁଥିବା ସେମାନଙ୍କ ପରିବାର ଲୋକେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଜିଲା ପ୍ରଶାସନଠାରେ ଆକୁଳ ନିବେନ କରିଛନ୍ତି। ସରପଞ୍ଚ ପ୍ରଭାତ ସେଠୀ ଶୁକ୍ରବାର ଏ ସଂକ୍ରାନ୍ତରେ ଗଞ୍ଜାମ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହାର ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ବିଧାୟକ, ଛତ୍ରପୁର, ଜିଲା ଶ୍ରମ ଅଧିକାରୀଙ୍କୁ ସେ ଜଣାଇଛନ୍ତି।
ମଲାଡ ପଞ୍ଚାୟତର ଶ୍ରୀବଣା ଗ୍ରାମର ଏମ୍‍. ଗଣେଶ(୩୫), ବରୋଦା ଗ୍ରାମର ରଙ୍କନିଧି ପ୍ରଧାନ(୩୮)ଙ୍କୁ ମାଲେସିଆରେ ଏକ କମ୍ପାନୀରେ କାମ କରାଇ ଦେବାର ପ୍ରଲୋଭନ ଦେଖାଇ ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳର ଜଣେ ଏଜେଣ୍ଟ ୨୦୧୭ ମସିହା ସେପ୍ଟେମ୍ବର ୨୬ ତାରିଖରେ ନେଇଥିଲେ। ଏମାନଙ୍କ ସହ ମଲାଡ଼ ଓ ଶ୍ରୀବଣା ଗ୍ରାମର ଆଉ କିଛି ଲୋକ ଯାଇଥିଲେ।ସେଠାରେ କୌଣସି କାମଧନ୍ଦା ନପାଇ ୪ମାସ ତଳେ ୫ଜଣ ନିଜ ନିଜ ଘରକୁ ଫେରି ଆସିଥିଲେ। କିନ୍ତୁ ଦଲାଲଙ୍କ ପ୍ରଲୋଭନରେ ପଡି ଉପରୋକ୍ତ ୨ଜଣ ସମେତ ଛତ୍ରପୁର ବ୍ଳକ ଅନ୍ତର୍ଗତ ପୋଡ଼ାପଦର ଗ୍ରାମର ଏମ୍‍. ସୀମାଞ୍ଚଳ ସେଠାରେ ରହି ଯାଇଛନ୍ତି। ଉକ୍ତ କମ୍ପାନୀରେ ୯ମାସ ହେଲା କାମ କରୁଥିଲେ ମଧ୍ୟ ଭିସା ପାଇ ନାହାନ୍ତି। ମାଲେସିଆ ପୁଲିସ କମ୍ପାନୀ ଭିତରେ ପ୍ରବେଶ କରି କାମ କରୁଥିବା ଶ୍ରମିକଙ୍କ ଭିସା ଯାଞ୍ଚ କରିଥିଲେ। ବାହାର ଦେଶରୁ ଆସିଥିବା ଶ୍ରମିକଙ୍କ ଭିସା ରହିଛି କି ନାହିଁ ପୁଲିସ ଯାଞ୍ଚ କରିବା ସହ ଭିସା ନଥିବା କେତେକ ଶ୍ରମିକଙ୍କୁ ସେଠାକାର ପୁଲିସ ଗିରଫ କରିଥିଲା। ଗିରଫଦାରି ଭୟରେ ଉପରୋକ୍ତ ୩ଜଣ ଶ୍ରମିକ କମ୍ପାନୀର କ୍ୱାର୍ଟରରେ ଲୁଚି ରହିଛନ୍ତି। ସେମାନେ ବାହାରକୁ ବାହାରି ପାରୁ ନାହାନ୍ତି। ନିଜ ଦେଶକୁ ଫେରିବା ପାଇଁ ସେମାନଙ୍କ ପାଖରେ ଅର୍ଥାଭାବ ରହିଛି। ତିନି ଶ୍ରମିକଙ୍କୁ ମିଳିଥିବା ପାସ୍‍ପୋର୍ଟକୁ କମ୍ପାନୀ କର୍ତ୍ତୃପକ୍ଷ ନିଜ ଅକ୍ତିଆରରେ ରଖିଛନ୍ତି। ଏହି କାରଣରୁ ତିନି ଶ୍ରମିକ ଦୟନୀୟ ସ୍ଥିତିରେ ବାହାରକୁ ବାହାରି ନପାରି ଫସି ରହିଛନ୍ତି। ତୁରନ୍ତ ସେଠାରୁ ସେମାନଙ୍କୁ ମୁକୁଳାଇ ଆଣିବାକୁ ସରପଞ୍ଚ ଏବଂ ଗ୍ରାମବାସୀ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି।

Leave A Reply